XI Jinping: 'ଭାରତ-ଚୀନ୍ ଦୁଇଟି ପ୍ରାଚୀନ ସଭ୍ୟତା, ଡ୍ରାଗନ-ହାତୀ ଏକାଠି ହେବା ଗୁରୁତ୍ବପୂର୍ଣ୍ଣ'

Key Points
SCO ସମିଟ ପୂର୍ବରୁ ମୋଦି-ଜିନପିଙ୍ଗ ବୈଠକ। ଭାରତ-ଚୀନ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା । ବୈଠକ ପରେ ଚୀନ୍ ରାଷ୍ଟ୍ରପତି କହିଲେ, ଡ୍ରାଗନ - ହାତୀ ଏକାଠି ହେବା ଦରକାର ।
୨ ଦିନିଆ ଚୀନ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୭ ବର୍ଷ ପରେ ଚୀନ୍ ଗସ୍ତରେ ମୋଦି । ସେ ସେଠାରେ ଅନୁଷ୍ଠିତ ହେବାକୁ ଥିବା SCO ସମ୍ମିଟ୍ରେ ଅଂଶଗ୍ରହଣ କରିବେ । ଏହି ବୈଠକରେ ୨୦ରୁ ଅଧିକ ଦେଶ ଅଂଶଗ୍ରହଣ କରୁଛନ୍ତି । ତେବେ ଏହି SCO ସମ୍ମିଟ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି-ଚୀନ ରାଷ୍ଟ୍ରପତି ଜିନପିଙ୍ଗ ମଧ୍ୟରେ ବୈଠକ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଏକ ଘଣ୍ଟା ଧରି ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏହି ଆଲୋଚନାରେ ଦୁଇ ନେତାଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି, "ଆପଣଙ୍କୁ ପୁଣି ଥରେ ଭେଟିବା ବହୁତ ଖୁସିର କଥା। ମୁଁ ଆପଣଙ୍କୁ ଚୀନ୍ରେ SCO ଶିଖର ସମ୍ମିଳନୀକୁ ସ୍ୱାଗତ କରୁଛି । ଗତ ବର୍ଷ କାଜାନରେ ଆମର ଏକ ସଫଳ ବୈଠକ ହୋଇଥିଲା। ବିଶ୍ବ ଏକ ବଡ଼ ପରିବର୍ତ୍ତନ ଆଡ଼କୁ ଗତି କରୁଛି । ଚୀନ୍ ଓ ଭାରତ କେବଳ ଦୁଇଟି ସବୁଠୁ ପ୍ରାଚୀନ ସଭ୍ୟତା ନୁହେଁ ବରଂ ଆମେ ଉଭୟ ବିଶ୍ବର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ । ଡ୍ରାଗନ୍ ଏବଂ ହାତୀ ଏକାଠି ହେବା ଗୁରୁତ୍ୱପୂର୍ଣ୍ଣ। ଭାରତ ଏବଂ ଚୀନ୍ ମଧ୍ୟରେ ବନ୍ଧୁତା ଗୁରୁତ୍ୱପୂର୍ଣ୍ଣ। ବନ୍ଧୁତା ଏବଂ ଭଲ ପଡ଼ୋଶୀ ହେବା ଗୁରୁତ୍ୱପୂର୍ଣ୍ଣ।"
ପ୍ରଧାନମନ୍ତ୍ରୀ ମୋଦି SCO ଶିଖର ସମ୍ମିଳନୀରେ ତାଙ୍କୁ ନିମନ୍ତ୍ରଣ କରିବା ପାଇଁ ସି ଜିନପିଙ୍ଗଙ୍କୁ ଧନ୍ୟବାଦ ଜଣାଇଥିଲେ। ତାଙ୍କ ଉଦଘାଟନୀ ଭାଷଣରେ ସେ କହିଥିଲେ, "କାଜାନରେ ଆମର ଶେଷ ବୈଠକ ବହୁତ ଫଳପ୍ରଦ ଥିଲା। ଏହା ଆମ ସମ୍ପର୍କକୁ ଏକ ସକାରାତ୍ମକ ଦିଗଦର୍ଶନ ଦେଇଛି। ସୀମାରେ ଶାନ୍ତି ଏବଂ ସ୍ଥିରତା ବଜାୟ ରହିଛି। କୈଳାସ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହୋଇଛି ଏବଂ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ମଧ୍ୟ ପୁନଃସ୍ଥାପିତ ହେଉଛି। ଆମ ଦେଶ ମଧ୍ୟରେ ସହଯୋଗ ସହିତ ୨.୮ ବିଲିୟନ ଲୋକଙ୍କ ସ୍ୱାର୍ଥ ଜଡିତ, ଯାହା ମାନବତାର କଲ୍ୟାଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦି କହିଛନ୍ତି ।