India Build 5th Gen Jet: ଟ୍ରମ୍ପକୁ ବଡ଼ ଝଟକା ! ଏହି ଦେଶ ସହ ମିଶି ଭାରତ ତିଆରି କରିବ ଲଢ଼ୁଆ ଜେଟ୍ ଇଞ୍ଜିନ୍

Key Points
ଆମେରିକାକୁ ବଡ଼ ଝଟକା ଦେଲା ଭାରତ
ଫ୍ରାନ୍ସ ସହ ମିଶି ଲଢ଼ୁଆ ଜେଟ୍ ଇଞ୍ଜିନ କରିବ ତିଆରି
ଫ୍ରାନ୍ସର ସାଫ୍ରନ କମ୍ପାନୀ ଭାରତକୁ ଶତ ପ୍ରତିଶତ ପ୍ରଯୁକ୍ତିବିଦ୍ୟା କରିବ ହସ୍ତାନ୍ତର
ଆମେରିକାକୁ ବଡ଼ ଝଟକା ଦେଲା ଭାରତ । ଫ୍ରାନ୍ସ ସହିତ ମିଶି ଏକ ନୂତନ ଶକ୍ତିଶାଳୀ ଜେଟ୍ ଇଞ୍ଜିନ୍ ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛି ଭାରତ । ଏହି ଇଞ୍ଜିନ୍ ଭାରତର ସ୍ୱଦେଶୀ ପଞ୍ଚମ ପିଢ଼ିର ଷ୍ଟେଲ୍ଥ୍ ଫାଇଟର ଏବଂ ଅନ୍ୟାନ୍ୟ ଆଧୁନିକ ବିମାନ ପାଇଁ ହେବ । ଏହା ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବ । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଖୁବ୍ ଶୀଘ୍ର ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପକୁ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟିକୁ ଅନୁମୋଦନ ପାଇଁ ପଠାଇବ।
ବରିଷ୍ଠ ଅଧିକାରୀମାନେ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହି ପ୍ରକଳ୍ପରେ, ଫ୍ରାନ୍ସର ବଡ଼ କମ୍ପାନୀ ସାଫ୍ରନ ଭାରତକୁ ଶତ ପ୍ରତିଶତ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର କରିବ । ଏହା ଭାରତରେ ହିଁ ଏକ ନୂତନ ୧୨୦ କିଲୋନ୍ୟୁଟନ୍ ଇଞ୍ଜିନର ଡିଜାଇନ୍, ବିକାଶ, ପରୀକ୍ଷଣ, ପ୍ରମାଣପତ୍ର ଏବଂ ଉତ୍ପାଦନକୁ ସକ୍ଷମ କରିବ ।
ଜଣେ ଅଧିକାରୀ କହିଛନ୍ତି ଯେ DRDO ଫ୍ରାନ୍ସ କମ୍ପାନୀ ସାଫ୍ରନର ପ୍ରସ୍ତାବକୁ ଅନୁମୋଦନ କରିଛି । ସାଫ୍ରନ୍ ପୂର୍ବରୁ ଭାରତରେ ଅନେକ ପ୍ରକାରର ହେଲିକପ୍ଟର ଇଞ୍ଜିନ୍ ନିର୍ମାଣ କରିଆସୁଛି। DRDO ବିଶ୍ୱାସ କରେ ଯେ ସାଫ୍ରନ୍ ହେଉଛି ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ AMCA (ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ) ପାଇଁ ସର୍ବୋତ୍ତମ ବିକଳ୍ପ। ଏହି ପ୍ରକଳ୍ପରେ DRDO ର ଲ୍ୟାବ୍ ଗ୍ୟାସ୍ ଟର୍ବାଇନ୍ ଗବେଷଣା ପ୍ରତିଷ୍ଠାନ ମଧ୍ୟ ଅନ୍ତର୍ଭୁକ୍ତ ହେବ । ଏହି ପ୍ରକଳ୍ପ ପାଇଁ ପ୍ରାୟ ୭ ବିଲିୟନ ଡଲାର ଖର୍ଚ୍ଚ ହେବ ।
ତେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଦି ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମରେ ଭାଷଣ ଦେବା ସମୟରେ ଏହି ପ୍ରକଳ୍ପକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, 'ଆମେ ଆମର ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ନିର୍ମାଣ ଦିଗରେ ପଦକ୍ଷେପ ନେଇଛୁ। ଆମେ ଭାରତରେ ହିଁ ଜେଟର ଇଞ୍ଜିନ ନିର୍ମାଣ କରିବା ଦିଗରେ ଆଗକୁ ବଢ଼ିଛୁ। ଫ୍ରାନ୍ସ କମ୍ପାନୀ ସାଫ୍ରନ ସହିତ ମିଳିତ ଭାବରେ ଭାରତରେ ଇଞ୍ଜିନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛୁ।'