|
logo
Live
Argus News App
GET APP

Argus News - ଡେଙ୍ଗୁ ସହ ଲଢ଼ିବାକୁ ଆସୁଛି ଭ୍ୟାକ୍ସିନ୍; ଖୁବଶୀଘ୍ର ମିଳିବ ମଞ୍ଜୁରୀ

National

Health Update / ଡେଙ୍ଗୁ ସହ ଲଢ଼ିବାକୁ ଆସୁଛି ଭ୍ୟାକ୍ସିନ୍; ଖୁବଶୀଘ୍ର ମିଳିବ ମଞ୍ଜୁରୀ

Sushanta Sahoo
Browse all articles by Sushanta Sahoo
·1 day ago·2 min read
ଡେଙ୍ଗୁ ସହ ଲଢ଼ିବାକୁ ଆସୁଛି ଭ୍ୟାକ୍ସିନ୍; ଖୁବଶୀଘ୍ର ମିଳିବ ମଞ୍ଜୁରୀ
Dengue Vaccine Qdenga Recommended for Approval in India

Key Points

ଏହି ଟିକା ୪ରୁ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଦିଆଯାଇ ପାରିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ ଅନୁଯାୟୀ, ୩ ମାସ ବ୍ୟବଧାନରେ ଏହାର ୨ଟି ଡୋଜ୍ ନେବାକୁ ପଡ଼ିବ ।
ନୂଆଦିଲ୍ଲୀ: ଭାରତରେ ପ୍ରଥମ ଡେଙ୍ଗୁ ଟିକାକୁ ମିଳିପାରେ ଅନୁମତି । ଏଥିପାଇଁ ବିଶେଷଜ୍ଞ କମିଟି ସୁପାରିସ କରିଥିବା ଜଣାପଡ଼ିଛି । କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO)ର ଏକ ବିଶେଷଜ୍ଞ କମିଟି ଜାପାନର ବାୟୋଫାର୍ମା କମ୍ପାନୀ 'ଟାକେଡା' ଦ୍ୱାରା ପ୍ରସ୍ତୁତ ଡେଙ୍ଗୁ ଟିକାକୁ ଭାରତ ଆମଦାନୀ କରିବା ପାଇଁ ସୁପାରିସ କରିଛି ।

ଯଦି ସରକାରୀ ସ୍ତରରେ ଏହାକୁ ଚୂଡ଼ାନ୍ତ ମଞ୍ଜୁରୀ ମିଳେ, ତେବେ ଏହା ଭାରତର ପ୍ରଥମ ଡେଙ୍ଗୁ ଟିକା ହେବ । ଏହି ଟିକାର ନାମ Q Denga-TK-003 । ଏହା ଏକ 'ଟେଟ୍ରାଭାଲେଣ୍ଟ' ଟିକା, ଯାହା ଡେଙ୍ଗୁର ଚାରିଟିଯାକ ସେରୋଟାଇପ୍ ବିରୋଧରେ ଲଢ଼ିବାକୁ ସକ୍ଷମ ।

ଏଥିସହ ପଢ଼ନ୍ତୁ: ମସ୍ତିଷ୍କର ସୁରକ୍ଷା କୋଷିକାକୁ ନଷ୍ଟ କରୁଛି ମେନିଞ୍ଜାଇଟିସ୍; ଭ୍ୟାକ୍ସିନ୍ ପାଇଁ ଲୋକଙ୍କ ଲମ୍ବା ଧାଡ଼ି

କିଏ ନେଇପାରିବେ ଡେଙ୍ଗୁ ଟିକା ?

ଏହି ଟିକା ୪ରୁ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଦିଆଯାଇ ପାରିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ପରାମର୍ଶ ଅନୁଯାୟୀ, ୩ ମାସ ବ୍ୟବଧାନରେ ଏହାର ୨ଟି ଡୋଜ୍ ନେବାକୁ ପଡ଼ିବ । ପରୀକ୍ଷଣରୁ ଜଣାପଡ଼ିଛି ଯେ, ପୂର୍ବରୁ ଡେଙ୍ଗୁ ହୋଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ପ୍ରଭାବ ୬୪% ଏବଂ ନୂଆ ବ୍ୟକ୍ତିଙ୍କ କ୍ଷେତ୍ରରେ ୫୪% ରହୁଛି ।

ଗତବର୍ଷ ଭାରତରେ ପ୍ରାୟ ୧.୧ ଲକ୍ଷରୁ ଅଧିକ ଡେଙ୍ଗୁ ମାମଲା ଚିହ୍ନଟ ହୋଇଥିଲା । ଏହି ଟିକା ଆସିବା ଫଳରେ ଗୁରୁତର ଅସୁସ୍ଥତା ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଏବେ ଦେଶରେ ଡେଙ୍ଗୁ ମାମଲା ବଢ଼ୁଥିବା ବେଳେ ପାଣିପାଗ ପରିବର୍ତ୍ତନ ହେଉଛି । ତେଣୁ ଡେଙ୍ଗୁକୁ ପ୍ରତିହତ କରିବା ପାଇଁ ଟିକା ଜରୁରୀ ହୋଇ ପଡ଼ିଛି ।

ଟାକେଡାକୁ ୪୧ ଦେଶରେ ଅନୁମତି

ଜାପାନର ଏହି ଟାକେଡା ଟିକାକୁ ଏବେ ସୁଦ୍ଧା ବିଶ୍ଵର ୪୧ଟି ଦେଶ ଅନୁମତି ଦେଇଛନ୍ତି । ୟୁରୋପିଆନ୍ ୟୁନିଅନ, ୟୁକେ ସହ ଏକାଧିକ ଦକ୍ଷିଣପୂର୍ବ ଏସିଆ ଦେଶ ଭ୍ୟାକ୍ସିନ୍‌କୁ ଅନୁମତି ପ୍ରଦାନ କରିଛନ୍ତି । ଏହି ଟିକାକୁ ବିଶ୍ଵ ସ୍ଵାସ୍ଥ ସଂଗଠନ ମଧ୍ୟ ପ୍ରାକ-ଅନୁମତି ଦେଇଛି ।

ଡେଙ୍ଗୁ କେତେ ମାରାତ୍ମକ ?

WHOର ୨୦୧୯ ବିଶ୍ଵ ସ୍ଵାସ୍ଥ୍ୟ ତଥ୍ୟ ଅନୁସାରେ, ଦୁନିଆର ଶ୍ରେଷ୍ଠ ୧୦ ଗମ୍ଭୀର ରୋଗ ମଧ୍ୟରେ ଡେଙ୍ଗୁ ଅନ୍ୟତମ । ଯାହାର ପ୍ରମୁଖ ଲକ୍ଷଣ ଅତ୍ୟଧିକ ଜ୍ଵର, ମୁଣ୍ଡବିନ୍ଧା, ବାନ୍ତି ଓ ଗୋଡ଼ହାତ ଯନ୍ତ୍ରଣା । କେତକ ରୋଗୀ କ୍ଷେତ୍ରରେ ଏହା ଭୀଷଣ ହୋଇ ରକ୍ତ ପ୍ଲାଜମା ଝରାଇ ନିମ୍ନ ରକ୍ତଚାପ ସୃଷ୍ଟି କରିଥାଏ ।

ଏଥିସହ ପଢ଼ନ୍ତୁ: ଡେଙ୍ଗୁ ରୋଗୀକୁ କ’ଣ ଖାଇବାକୁ ଦେବେ

୮ଟି ଦେଶରେ ପରୀକ୍ଷଣ

ଟାକେଡା ଟିକା ବଜାରକୁ ଆସିବା ପରଠାରୁ ବିଶ୍ଵରେ ୨୪.୪ ମିଲିୟନ୍ ଡୋଜ୍ ବ୍ୟବହାର ହୋଇଛି । କ୍ଲିନିକାଲ୍ ଟ୍ରାଏଲ୍ ସମୟରେ ସୁରକ୍ଷା ଦୃଷ୍ଟିରୁ ସେଭଳି କୌଣସି ବଡ଼ ଧରଣର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇ ନାହିଁ । କମ୍ପାନୀ ସାଢ଼େ ୪ ବର୍ଷ ଭିତରେ ୮ଟି ଦେଶର ୨୦ ହଜାରରୁ ଅଧିକ ଲୋକଙ୍କ କ୍ଷେତ୍ରରେ ଏହି ଟିକାର ପରୀକ୍ଷଣ କରିଛି ।

ଏବେ ଭାରତରେ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ଯେଉଁଥିରେ ୪ରୁ ୬୦ ବର୍ଷ ମଧ୍ୟରେ ୪୮୦ ଜଣ ଭାଗ ନେଇଛନ୍ତି । ଏହା ପୂର୍ବରୁ ବ୍ରାଜିଲ୍ ଓ ଶ୍ରୀଲଙ୍କାରେ ଏହି ଟିକାର କ୍ଲିନିକାଲ୍ ଟ୍ରାଏଲ୍ କରାଯାଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Health Update: ଡେଙ୍ଗୁ ସହ ଲଢ଼ିବାକୁ ଆସୁଛି ଭ୍ୟାକ୍ସିନ୍; ଖୁବଶୀଘ୍ର ମିଳିବ ମଞ୍ଜୁରୀ | Argus News