Videos
|
National

India Poverty Decline / ଭାରତରେ ଦ୍ରୁତ ଗତିରେ କମୁଛି ଦାରିଦ୍ର୍ୟ, ପ୍ରାୟ ୫୦ କୋଟି ଲୋକଙ୍କ ଜୀବନରେ ଆସିଲା ବଡ଼ ପରିବର୍ତ୍ତନ

Santosh Kumar Sahoo
Browse all articles by Santosh Kumar Sahoo
·16 mins ago·2 min read
ଭାରତରେ ଦ୍ରୁତ ଗତିରେ କମୁଛି ଦାରିଦ୍ର୍ୟ, ପ୍ରାୟ ୫୦ କୋଟି ଲୋକଙ୍କ ଜୀବନରେ ଆସିଲା ବଡ଼ ପରିବର୍ତ୍ତନ
India Poverty Decline

Key Points

ଦାରିଦ୍ର୍ୟ ହ୍ରାସରେ ଭାରତର ବଡ଼ ସଫଳତା
ବିଶ୍ୱ ବ୍ୟାଙ୍କ ରିପୋର୍ଟରେ ଚମକାଇଲା ତଥ୍ୟ
୧୨ ବର୍ଷରେ ୪୯.୬ କୋଟି ଲୋକ ହେଲେ ଗରିବୀମୁକ୍ତ
ଭାରତ ପାଇଁ ଆସିଛି ଏକ ଖୁସି ଖବର। ଦେଶରେ ଦ୍ରୁତ ଗତିରେ ହ୍ରାସ ପାଉଛି ଦାରିଦ୍ର୍ୟ । ବିଶ୍ୱ ବ୍ୟାଙ୍କର ନୂତନ ରିପୋର୍ଟ ଅନୁଯାୟୀ, ଗତ ୧୨ ବର୍ଷ ମଧ୍ୟରେ ଭାରତରେ କୋଟି କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି । ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ଭାରତର ଏହି ସଫଳତାକୁ ବିଶ୍ୱସ୍ତରରେ ଏକ ବଡ଼ ଉପଲବ୍ଧି ଭାବେ ଦେଖାଯାଉଛି ।
ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ 'ଇଣ୍ଡିଆ ପଭର୍ଟି ଆଣ୍ଡ ଇକ୍ୱିଟି ବ୍ରିଫ୍-ଅକ୍ଟୋବର ୨୦୨୬' ରିପୋର୍ଟରେ ଭାରତର ଦାରିଦ୍ର୍ୟ ହ୍ରାସ ସମ୍ପର୍କରେ ଏହି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ୨୦୧୧ ମସିହାରେ ଭାରତର ୫୭.୭ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମା ତଳେ ରହୁଥିବା ବେଳେ ୨୦୨୩ ମସିହାରେ ଏହି ହାର ହ୍ରାସ ପାଇ ୧୬.୧ ପ୍ରତିଶତରେ ପହଞ୍ଚିଛି ।

ସବୁଠାରୁ ବଡ଼ କଥା ହେଉଛି, ଏହି ୧୨ ବର୍ଷ ମଧ୍ୟରେ ପ୍ରାୟ ୪୯.୬ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି । ଏହା ସହିତ ଦିନକୁ ୩ ଡଲାର ଆୟ ସୀମା ଆଧାରରେ ମପାଯାଉଥିବା ଚରମ ଦାରିଦ୍ର୍ୟ ହାର ମଧ୍ୟ ୨୦୧୧ର ୨୭.୧ ପ୍ରତିଶତରୁ ହ୍ରାସ ପାଇ ୨୦୨୩ରେ ମାତ୍ର ୨.୬ ପ୍ରତିଶତକୁ ଖସିଆସିଛି ।

ରିପୋର୍ଟରେ କୁହାଯାଇଛି ଯେ, ଭାରତ ଆର୍ଥିକ ଏବଂ ଅଣ-ଆର୍ଥିକ ଉଭୟ କ୍ଷେତ୍ରରେ ଦାରିଦ୍ର୍ୟ ହ୍ରାସ କରିବାରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ରୋଜଗାର ସୁଯୋଗରେ ବୃଦ୍ଧି, ସରକାରୀ କଲ୍ୟାଣକାରୀ ଯୋଜନା ଏବଂ ଖାଦ୍ୟ ସବସିଡି ଭଳି ସାମାଜିକ ସୁରକ୍ଷା ବ୍ୟବସ୍ଥା ଏହି ସଫଳତାର ପ୍ରମୁଖ କାରଣ ବୋଲି ଆଶା କରାଯାଉଛି ।

କେବଳ ସେତିକି ନୁହେଁ, ଆଗାମୀ ଦିନରେ ମଧ୍ୟ ଦାରିଦ୍ର୍ୟ ହାର ଆହୁରି କମିବ ବୋଲି ବିଶ୍ୱ ବ୍ୟାଙ୍କ ଆକଳନ କରିଛି । ୨୦୨୬ ମସିହାରେ ଦାରିଦ୍ର୍ୟ ହାର ୧୪.୨ ପ୍ରତିଶତ ରହିବାକୁ ଥିବା ବେଳେ ୨୦୨୮ ସୁଦ୍ଧା ଏହା ୧୨.୧ ପ୍ରତିଶତକୁ ହ୍ରାସ ପାଇପାରେ । ରୋଜଗାରରେ ବୃଦ୍ଧି ଏବଂ ସାମାଜିକ ସୁରକ୍ଷା ଯୋଜନାର ସମ୍ପ୍ରସାରଣ ଏହି ଲକ୍ଷ୍ୟ ହାସଲରେ ସହାୟକ ହେବ ବୋଲି ରିପୋର୍ଟରେ ଆଶା ପ୍ରକାଶ କରାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ସଫଳତାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସରକାରଙ୍କ ନିରନ୍ତର ନୀତିଗତ ପ୍ରୟାସ ଏବଂ ଜନକଲ୍ୟାଣକାରୀ ଯୋଜନାର ସ୍ପଷ୍ଟ ପରିଣାମ ଏବେ ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି । ଏହା ଦେଶରେ ସମାବେଶୀ ବିକାଶ ଏବଂ ଅଧିକ ଆର୍ଥିକ ସୁଯୋଗ ସୃଷ୍ଟି କରିବାରେ ସହାୟକ ହେଉଛି ।
ତେବେ ବିଶ୍ୱ ବ୍ୟାଙ୍କର ଏହି ରିପୋର୍ଟ ଭାରତର ଆର୍ଥିକ ଏବଂ ସାମାଜିକ ବିକାଶକୁ ନେଇ ଏକ ନୂଆ ଆଶା ସୃଷ୍ଟି କରିଛି। ଆଗାମୀ ବର୍ଷଗୁଡ଼ିକରେ ଏହି ଅଗ୍ରଗତି କେତେଦୂର ଜାରି ରହୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।