Videos
|
National

India Pakistan Warship Collision / ସମୁଦ୍ର ମଝିରେ ଭାରତ-ପାକିସ୍ତାନ ଯୁଦ୍ଧ ଜାହାଜ ମୁହାଁମୁହିଁ, PAK ହାଇକମିଶନରଙ୍କୁ ତଲବ କଲା ଭାରତ

Santosh Kumar Sahoo
Browse all articles by Santosh Kumar Sahoo
·58 mins ago·2 min read
ସମୁଦ୍ର ମଝିରେ ଭାରତ-ପାକିସ୍ତାନ ଯୁଦ୍ଧ ଜାହାଜ ମୁହାଁମୁହିଁ, PAK ହାଇକମିଶନରଙ୍କୁ ତଲବ କଲା ଭାରତ
India Pakistan Warship Collision

Key Points

ଆରବ ସାଗରରେ ଭାରତ-ପାକିସ୍ତାନୀ ଜାହାଜ ଧକ୍କା
PAK ହାଇକମିଶନରଙ୍କୁ ତଲବ କଲା ଭାରତ
MEAର କଡ଼ା ବିରୋଧ
ସମୁଦ୍ର ମଝିରେ ମୁହାଁମୁହିଁ ହେଲା ଭାରତ-ପାକିସ୍ତାନ ଯୁଦ୍ଧ ଜାହାଜ । ଉତ୍ତର ଆରବ ସାଗରରେ ମଙ୍ଗଳବାର ସନ୍ଧ୍ୟାରେ ଭାରତୀୟ ଓ ପାକିସ୍ତାନୀ ନୌସେନା ଜାହାଜ ମଧ୍ୟରେ ଧକ୍କା ଘଟଣାକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ସ୍ତରରେ ତତ୍ପରତା ବୃଦ୍ଧି ପାଇଛି । ଭାରତୀୟ ନୌସେନାର ଏକ ଫ୍ରଣ୍ଟଲାଇନ୍ ଯୁଦ୍ଧଜାହାଜ ନିୟମିତ ନିରୀକ୍ଷଣ ମିଶନରେ ଥିବା ସମୟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।

ସୂତ୍ର ଅନୁସାରେ, ପାକିସ୍ତାନୀ ନୌସେନାର PNS Hunain ଦ୍ରୁତ ଗତିରେ ଭାରତୀୟ ଯୁଦ୍ଧଜାହାଜ ନିକଟକୁ ଆସିଥିଲା । ଅତ୍ୟନ୍ତ ନିକଟରେ ପହଞ୍ଚିବା ପରେ ଏହା ଅସୁରକ୍ଷିତ ଭାବେ ମାନୁଭର୍ କରିଥିବା ଅଭିଯୋଗ ହୋଇଛି । ଭାରତୀୟ ନୌସେନା ପକ୍ଷରୁ ଚ୍ୟାନେଲ୍ 16 ମାଧ୍ୟମରେ ପାକିସ୍ତାନୀ ଜାହାଜକୁ ଏକାଧିକ ଥର ସତର୍କ କରାଯାଇଥିଲା ବୋଲି ସୂତ୍ର କହିଛି ।

ତେବେ ସତର୍କତା ସତ୍ତ୍ୱେ PNS Hunainର ଆଗ ଅଂଶ ବା Bow ଭାରତୀୟ ଯୁଦ୍ଧଜାହାଜ ସହ ଘଷି ଯାଇଥିଲା । ଏହି ଧକ୍କାରେ କୌଣସି ବଡ଼ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଘଟଣାଟି ଅନ୍ତର୍ଜାତୀୟ ଜଳସୀମାରେ ଘଟିଥିବା କୁହାଯାଇଛି ।

ଘଟଣାକୁ ଭାରତ ସରକାର ଗୁରୁତ୍ୱର ସହ ନେଇଛନ୍ତି । ୧୬ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ପାକିସ୍ତାନ ହାଇକମିଶନର ଚାର୍ଜ ଦ’ଆଫେୟାର୍ସଙ୍କୁ ବିଦେଶ ମନ୍ତ୍ରଣାଳୟ ଡାକି ପାକିସ୍ତାନୀ ନୌସେନା ୟୁନିଟ୍‌ର ଆଚରଣ ବିରୋଧରେ କଡ଼ା ପ୍ରତିବାଦ ଜଣାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତର ଅଭିଯୋଗ ଅନୁସାରେ, ଏହି ଆଚରଣ ଦୁଇ ଦେଶ ମଧ୍ୟରେ ଏପ୍ରିଲ ୧୯୯୧ରେ ସ୍ୱାକ୍ଷରିତ ସାମରିକ ଅଭ୍ୟାସ, ମାନୁଭର୍ ଓ ସୈନିକ ଗତିବିଧି ସମ୍ପର୍କିତ ପୂର୍ବ ସୂଚନା ଚୁକ୍ତିର ନିୟମ ଉଲ୍ଲଂଘନ କରୁଛି । ବିଶେଷକରି ଚୁକ୍ତିର ଧାରା ୧୦ରେ ସାବଧାନତା ଓ ନିର୍ଦ୍ଦିଷ୍ଟ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଭାରତ ପକ୍ଷରୁ କୁହାଯାଇଛି ।

ଭାରତ ପାକିସ୍ତାନକୁ ସ୍ପଷ୍ଟ କରିଛି ଯେ, ଉଭୟ ଦେଶର ସାମରିକ ୟୁନିଟ୍‌ଗୁଡ଼ିକ ସମୁଦ୍ରରେ ମାନୁଭର୍ କରିବା ସମୟରେ ଅତ୍ୟଧିକ ସତର୍କତା ଅବଲମ୍ବନ କରିବା ସହ ଦ୍ୱିପାକ୍ଷିକ ଚୁକ୍ତିଗୁଡ଼ିକୁ ସମ୍ମାନ କରିବା ଆବଶ୍ୟକ। ଏଭଳି ଘଟଣାର ପୁନରାବୃତ୍ତି ଯେପରି ନହୁଏ, ସେଥିପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଏହି ବାର୍ତ୍ତା ପହଞ୍ଚାଇବାକୁ ପାକିସ୍ତାନୀ ଅଧିକାରୀଙ୍କୁ କୁହାଯାଇଛି ।

ସମୁଦ୍ରରେ ଦୁଇଟି ନୌସେନା ଜାହାଜ ମଧ୍ୟରେ ଧକ୍କା ଏକ ସୀମିତ ଘଟଣା ହୋଇଥିଲେ ମଧ୍ୟ, ଏହା ସାମରିକ ଶୃଙ୍ଖଳା, ସୁରକ୍ଷିତ ମାନୁଭରିଂ ଏବଂ ଦ୍ୱିପାକ୍ଷିକ ଚୁକ୍ତି ପାଳନ ନେଇ ପ୍ରଶ୍ନ ଉଠାଇଛି । ଅନ୍ତର୍ଜାତୀୟ ଜଳସୀମାରେ ଘଟିଥିବା ଏହି ଘଟଣାକୁ ଭାରତ ଅଣଦେଖା ନକରି କୂଟନୈତିକ ସ୍ତରରେ ପ୍ରତିବାଦ ଜଣାଇଛି ।