TikTok ଉପରୁ ହଟିବ କି ବ୍ୟାନ୍ ? ମୁହଁ ଖୋଲିଲେ କେନ୍ଦ୍ର IT ମନ୍ତ୍ରୀ, କହିଲେ...

Key Points
ଭାରତରେ ଟିକଟକ୍ ଉପରୁ ହଟିବ କି ବ୍ୟାନ୍ ? ମୁହଁ ଖୋଲିଲେ କେନ୍ଦ୍ର IT ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଜୁନ୍ ୨୦୨୦ରେ କେନ୍ଦ୍ର ସରକାର ୫୯ଟି ଚୀନ୍ ଆପ୍ ସହ ଟିକଟକ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲା ।
କିଛି ଦିନ ପୂର୍ବରୁ ହଠାତ୍ ଭାରତରେ କାମ କରିବା ଆରମ୍ଭ କରିଥିଲା TikTokର ଓ୍ବେବସାଇଟ୍ । ଯଦିଓ ଏହା ସମସ୍ତ ଉପଭୋକ୍ତା ଏହାକୁ ଆକ୍ସେସ୍ କରିପାରି ନଥିଲେ । କିନ୍ତୁ ଏହା କିଛି ଉପଭୋକ୍ତାଙ୍କ ପାଇଁ ଖୋଲିଥିଲା । ତଥାପି ଏହି ଆପ୍ ପ୍ଲେ ଷ୍ଟୋରରେ ଆସିନଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚୀନ୍ ଗସ୍ତ ପୂର୍ବରୁ TikTokର ୱେବସାଇଟ୍ କାମ କରିବା ଆରମ୍ଭ କରିଥିଲା । ତେଣୁ ଅନୁମାନ କରାଯାଉଥିଲା ଯେ, ଟିକଟକ୍ ଭାରତକୁ ପୁଣି ଥରେ ଫେରିଥିଲା । କିନ୍ତୁ ଏବେ କେନ୍ଦ୍ର IT ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସମ୍ପର୍କରେ ସ୍ପଷ୍ଟ ଉତ୍ତର ଦେଇଛନ୍ତି।
କେନ୍ଦ୍ର IT ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ କହିଛନ୍ତି ଯେ TikTok ଉପରୁ ପ୍ରତିବନ୍ଧକ ଉଠାଇବା ବିଷୟରେ କୌଣସି ପ୍ରସ୍ତାବ ଆସିନାହିଁ। କେନ୍ଦ୍ର ମନ୍ତ୍ରୀଙ୍କ ଏହି ବୟାନ ପରେ, ଏହା ସ୍ପଷ୍ଟ ହୋଇଯାଇଛି ଯେ ନିକଟ ଭବିଷ୍ୟତରେ TikTok ଉପରୁ ପ୍ରତିବନ୍ଧକ ଉଠାଇବା ବିଷୟରେ ଭାରତ ସରକାରଙ୍କର କୌଣସି ଯୋଜନା ନାହିଁ ।
ଜୁନ୍ ୨୦୨୦ରେ କେନ୍ଦ୍ର ସରକାର ୫୯ଟି ଚୀନ୍ ଆପ୍ ସହ ଟିକଟକ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲା । ଜାତୀୟ ସୁରକ୍ଷା ଏବଂ ଡାଟା ଗୋପନୀୟତାକୁ ଉଦ୍ଧୃତି ଦେଇ ସରକାର ସେଗୁଡ଼ିକୁ ପ୍ରତିବନ୍ଧକ ଲଗାଇଥିଲେ। ଏହି ପ୍ରତିବନ୍ଧକ ପରେ, Apple ଏବଂ Google ଭାରତୀୟ ସର୍ଭରରୁ ଏହି ଆପ୍ସଗୁଡ଼ିକୁ ହଟାଇ ଦେଇଥିଲେ ।
ଭାରତ ସରକାର ୨୦୨୦ ମସିହାରେ କହିଥିଲେ ଯେ TikTok ସମେତ ୫୯ଟି ଚୀନ୍ ଆପ୍ ଚୀନ୍ର ସର୍ଭରକୁ ଉପଭୋକ୍ତାଙ୍କ ତଥ୍ୟ ପଠାଉଥିଲେ। ଏପରି ପରିସ୍ଥିତିରେ, ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ଗୋପନୀୟତା ଏବଂ ତଥ୍ୟ ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିଲା। ଭାରତ ସରକାର ଚାହୁଁଥିଲେ ଯେ ଭାରତରେ କାମ କରୁଥିବା ସମସ୍ତ କମ୍ପାନୀ ଭାରତୀୟ ଉପଭୋକ୍ତାଙ୍କ ତଥ୍ୟ ଭାରତରେ ହିଁ ସଂରକ୍ଷଣ କରନ୍ତୁ । TikTok ଏହି ସର୍ତ୍ତ ପୂରଣ କରିନଥିଲା ଏବଂ ତା’ପରେ ସରକାର ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।