Videos
|
National

Ship Attack / ଓମାନ ଉପକୂଳରେ ଭାରତୀୟ ଜାହାଜ ଉପରେ ଆକ୍ରମଣ; ଜଣେ ନାବିକ ମୃତ, ୧୩ ଉଦ୍ଧାର

Sushanta Sahoo
Browse all articles by Sushanta Sahoo
·57 mins ago·3 min read
ଓମାନ ଉପକୂଳରେ ଭାରତୀୟ ଜାହାଜ ଉପରେ ଆକ୍ରମଣ; ଜଣେ ନାବିକ ମୃତ, ୧୩ ଉଦ୍ଧାର
13 Indian Sailors Rescued, One Dead

Key Points

ଭାରତୀୟ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ
ଗୁଜରାଟର ନାବିକ ଗନ୍ଧାର ନାହିମ ଅଜିଜଙ୍କ ମୃତ୍ୟୁ
ଜାହାଜରେ ଥିବା ୧୩ ଭାରତୀୟ ନାବିକ ଉଦ୍ଧାର
ନୂଆଦିଲ୍ଲୀ: ଓମାନ ଉପକୂଳ ନିକଟରେ ଭାରତୀୟ ପତାକା ଲାଗିଥିବା ଏକ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ ହୋଇଛି । ଏହି ଘଟଣାରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଥିବାବେଳେ ଜାହାଜରେ ଥିବା ଅନ୍ୟ ୧୩ ଜଣଙ୍କୁ ଓମାନର ତଟରକ୍ଷୀ ବାହିନୀ ସୁରକ୍ଷିତ ଉଦ୍ଧାର କରିଛି ।

ସୋମବାର ଏହି ଘଟଣା ଘଟିଥିବା ନେଇ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଭାରତୀୟ ଜାହାଜ MSV AL JUSUFI ଓମାନ ଉପକୂଳ ନିକଟରେ ଯାଉଥିବାବେଳେ ଏକ ଅଜଣା ବସ୍ତୁ ଆକାଶମାର୍ଗରୁ ଆକ୍ରମଣ କରିଥିଲା ।

ସେହି ସମୟରେ ଜାହାଜରେ ୧୪ ଜଣ ଭାରତୀୟ ନାବିକ ଥିଲେ । ଆକ୍ରମଣରେ ଆହତ ହୋଇଥିବା ଜଣେ ନାବିକଙ୍କ ମୃତ୍ୟୁ ହୋଇଛି । ମୃତ ନାବିକଙ୍କ ନାଁ ଗନ୍ଧାର ନାହିମ ଅଜିଜ । ସେ ଗୁଜରାଟର ବାସିନ୍ଦା ।

ଓମାନ ତଟରକ୍ଷୀ ବାହିନୀ ଉଦ୍ଧାର କଲା ୧୩ ନାବିକଙ୍କୁ

ଜାହାଜ ଉପରେ ଆକ୍ରମଣ ପରେ ୧୩ ଜଣ ନାବିକ ସୁରକ୍ଷିତ ଭାବେ ବାହାରିବାରେ ସଫଳ ହୋଇଥିଲେ । ଏହା ପରେ ଓମାନର ତଟରକ୍ଷୀ ବାହିନୀ ସେମାନଙ୍କୁ ଉଦ୍ଧାର କରିଥିଲା ।

ଏଥିସହ ପଢ଼ନ୍ତୁ: ଇରାନର କେଶ୍ମ ଦ୍ୱୀପରେ ଆମେରିକାର ଗୁପ୍ତ ଆକ୍ରମଣ 

କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏହି ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି । ଉଦ୍ଧାର ହୋଇଥିବା ୧୩ ଜଣ ନାବିକଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ଓମାନରେ ଥିବା ଭାରତୀୟ ଦୂତାବାସ ସ୍ଥାନୀୟ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଛି । ମୃତ ନାବିକଙ୍କ ମରଶରୀର ସହ ଅନ୍ୟ ନାବିକମାନଙ୍କୁ ଶୀଘ୍ର ଭାରତ ଫେରାଇ ଆଣିବାକୁ ମଧ୍ୟ ପଦକ୍ଷେପ ନିଆଯାଉଛି ।


ଆକ୍ରମଣକୁ ନିନ୍ଦା କଲା ଭାରତ

ଏହି ଘଟଣାକୁ ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA) ନିନ୍ଦା କରିଛି । ବାଣିଜ୍ୟିକ ଜାହାଜ ଉପରେ ବାରମ୍ବାର ଆକ୍ରମଣ ହେବା ଚିନ୍ତାଜନକ ବୋଲି ମନ୍ତ୍ରଣାଳୟ କହିଛି । ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମାଇବା ସହ କୂଟନୈତିକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଭାରତ ଆହ୍ଵାନ କରିଛି ।

ଏଥିସହ ବାଣିଜ୍ୟିକ ଜାହାଜ ଓ ସାଧାରଣ ନାଗରିକଙ୍କ ଭିତ୍ତିଭୂମିକୁ ଟାର୍ଗେଟ୍ ନକରିବାକୁ ଭାରତ କହିଛି । ଅନ୍ତର୍ଜାତୀୟ ସମୁଦ୍ରପଥରେ ଜାହାଜ ଚଳାଚଳ ଓ ବାଣିଜ୍ୟ କାରବାର ଯେପରି ବିନା ବାଧାରେ ହୋଇପାରିବ, ସେଥିପାଇଁ ମଧ୍ୟ ମନ୍ତ୍ରଣାଳୟ ଦାବି କରିଛି ।

ଆମେରିକା-ଇରାନ ସଂଘର୍ଷ ମଧ୍ୟରେ ଜାହାଜ ଉପରେ ଆକ୍ରମଣ

ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷ ମଧ୍ୟରେ ସମୁଦ୍ରପଥରେ ଜାହାଜ ଚଳାଚଳର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ବିଶେଷକରି ଓମାନ ଉପକୂଳ ଓ ହର୍ମୁଜ୍ ପ୍ରଣାଳୀ ନିକଟରେ ଜାହାଜ ଚଳାଚଳ ଉପରେ ନଜର ରଖାଯାଉଛି । ତେବେ MSV AL JUSUFI ଉପରେ ଆକ୍ରମଣ କିଏ କରିଛି ଏବଂ କେଉଁ ପ୍ରକାରର ବସ୍ତୁ ଜାହାଜକୁ ଆଘାତ କରିଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: