Videos
|
National

Flight Hijack Threat / ସନ୍ଧ୍ୟା ୬ଟା ୩୦ରେ ବିମାନ ହାଇଜାକ୍ ଧମକ; ଆତଙ୍କିତ ହୋଇ ବେଙ୍ଗାଲୁରୁ ଫେରିଲା ଇଣ୍ଡିଗୋ ବିମାନ

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ସନ୍ଧ୍ୟା ୬ଟା ୩୦ରେ ବିମାନ ହାଇଜାକ୍ ଧମକ; ଆତଙ୍କିତ ହୋଇ ବେଙ୍ଗାଲୁରୁ ଫେରିଲା ଇଣ୍ଡିଗୋ ବିମାନ
Flight Hijack Threat

Key Points

ଇଣ୍ଡିଗୋ ବିମାନକୁ ହାଇଜାକ୍ ଧମକ
ଧମକପୂର୍ଣ୍ଣ ଚିଠି ମିଳିବା ପରେ ଆତଙ୍କ
ବେଙ୍ଗାଲୁରୁ ଫେରିଲା ଇଣ୍ଡିଗୋ ବିମାନ
ବେଙ୍ଗାଲୁରୁ: ବିମାନରେ ହାଇଜାକ୍ ଧମକକୁ ନେଇ ଆତଙ୍କ । କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରୁ ଉତ୍ତର ପ୍ରଦେଶ ଲକ୍ଷ୍ନୌ ଯାଉଥିବା ଇଣ୍ଡିଗୋ ବିମାନ ୬E ୪୫୧ ଶନିବାର ଉଡ଼ାଣ ପରେ ପୁଣି ବେଙ୍ଗାଲୁରୁକୁ ଫେରିଆସିଛି । ବିମାନର ଶୌଚାଳୟରୁ ହାଇଜାକ୍ ଧମକ ଥିବା ଏକ ହାତଲେଖା ଚିଠି ମିଳିବା ପରେ ସୁରକ୍ଷାକୁ ନେଇ ଆଲର୍ଟ ହୋଇପଡ଼ିଥିଲେ ବିମାନ କର୍ତ୍ତୃପକ୍ଷ ।

ସୂଚନା ଅନୁସାରେ, ନଭେମ୍ବର ୭ ତାରିଖ ଶନିବାର ସନ୍ଧ୍ୟା ୫ଟା ୫୦ରେ ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୭୮ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ଲକ୍ଷ୍ନୌ ଅଭିମୁଖେ ଉଡ଼ାଣ ଭରିଥିଲା । ତେବେ ବିମାନର ଶୌଚାଳୟରୁ ଏକ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଯାତ୍ରା ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା । ଚିଠିରେ ଲେଖାଥିଲା, "ଏହି ବିମାନକୁ ଠିକ୍ ସନ୍ଧ୍ୟା ୬ଟା ୩୦ରେ ହାଇଜାକ୍ କରାଯିବ।" ଏହାପରେ ବିମାନର କ୍ରୁ ସଦସ୍ୟମାନେ ତୁରନ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC)କୁ ଅବଗତ କରାଇବା ସହ ବିମାନକୁ ପୁଣି ବେଙ୍ଗାଲୁରୁ ଫେରାଇ ଆଣିଥିଲେ ।

  • ଯାତ୍ରୀଙ୍କୁ ଓହ୍ଲାଇ କରାଗଲା ସୁରକ୍ଷା ଯାଞ୍ଚ
ବିମାନଟି ବେଙ୍ଗାଲୁରୁରେ ଅବତରଣ କରିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା । ଏହା ପରେ ସୁରକ୍ଷାକର୍ମୀମାନେ ବିମାନରେ ଯାଞ୍ଚ ଆରମ୍ଭ କରିଥିଲେ । ଏୟାରପୋର୍ଟ ପୋଲିସ ମଧ୍ୟ ଧମକପୂର୍ଣ୍ଣ ଚିଠି ଲେଖିଥିବା ଓ ରଖିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଯାତ୍ରୀଙ୍କୁ ପଚରାଉଚରା କରୁଛି।

ଇଣ୍ଡିଗୋ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ବିମାନକୁ ନେଇ ଧମକ ମିଳିବା ପରେ ନିର୍ଦ୍ଧାରିତ ପ୍ରୋଟୋକଲ୍ ଅନୁସାରେ ସମ୍ପୃକ୍ତ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦିଆଯାଇଥିଲା । ସୁରକ୍ଷା ଯାଞ୍ଚ ପାଇଁ ବିମାନକୁ ମୂଳ ବିମାନବନ୍ଦରକୁ ଫେରାଇ ଅଣାଯାଇଥିଲା । ଯାତ୍ରୀଙ୍କ ଅସୁବିଧା ପାଇଁ ଏୟାରଲାଇନ୍ ପକ୍ଷରୁ ଦୁଃଖପ୍ରକାଶ କରାଯାଇଛି । ଯାତ୍ରୀଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇବା ସହ ନିୟମିତ ଭାବେ ସ୍ଥିତି ସମ୍ପର୍କରେ ଅବଗତ କରାଯାଉଛି । ସମ୍ପୃକ୍ତ ଅଧିକାରୀଙ୍କଠାରୁ ଆବଶ୍ୟକ ଅନୁମତି ମିଳିବା ପରେ ହିଁ ବିମାନଟି ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଦୁଇ ଦିନରେ ଦ୍ୱିତୀୟ ଇଣ୍ଡିଗୋ ବିମାନକୁ ସୁରକ୍ଷା ଧମକ
ଏହି ଘଟଣାର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନ ୬E ୬୦୯୧କୁ ମଧ୍ୟ ବୋମା ଧମକ ମିଳିଥିଲା । ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡ଼ାଣ ପୂର୍ବରୁ ବିମାନର ପଛପଟ ଶୌଚାଳୟରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ଏହାପରେ ବିମାନରେ ସୁରକ୍ଷା ଯାଞ୍ଚ କରାଯାଇଥିଲା । ପରେ ଧମକଟି ମିଥ୍ୟା ବୋଲି ଜଣାପଡ଼ିଥିଲା । ବିମାନଟି ସନ୍ଧ୍ୟା ପ୍ରାୟ ୫ଟାରେ ଉଡ଼ାଣ ଭରି ରାତି ୭ଟା ୪୦ରେ ଚେନ୍ନାଇରେ ସୁରକ୍ଷିତ ଭାବେ ଅବତରଣ କରିଥିଲା ।

ପଢନ୍ତୁ ଏହି ଖବର: ସାଉଦି ଆରବ ଯାତ୍ରୀଙ୍କୁ ବଡ଼ ଝଟକା, ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ଉଡ଼ାଣ ବାତିଲ୍

ଏହା ସହ ଦିଲ୍ଲୀରୁ ପୁଣେ ଯାଉଥିବା ଅନ୍ୟ ଏକ ଇଣ୍ଡିଗୋ ବିମାନରେ ଉଡ଼ାଣ ପରେ ଜଣେ ଯାତ୍ରୀ ଜରୁରୀକାଳୀନ ଦ୍ୱାରର ଯନ୍ତ୍ରାଂଶ ସହ ହସ୍ତକ୍ଷେପ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କ୍ରମାଗତ ଭାବେ ବିମାନରେ ଏଭଳି ସୁରକ୍ଷା ଧମକ ମିଳିବା ଯାତ୍ରୀଙ୍କ ସୁରକ୍ଷା ଓ ବିମାନ ଚଳାଚଳ ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ାଇଛି ।