Indore Airport / ଗରମରେ ବେହାଲ୍ ବିମାନବନ୍ଦର; ବନ୍ଦ ହୋଇଗଲା ଉଡ଼ାଣ
·4 months ago·3 min read

Key Points
ଏୟାରପୋର୍ଟ ରନୱେ ତରଳିବା ଘଟଣା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇ ଦେଇଥିଲା। ଏହା କେବଳ ଏକ ତ୍ରୁଟି ନୁହେଁ ବରଂ ବର୍ଦ୍ଧିତ ତାପମାତ୍ରା କାରଣରୁ ଆଗକୁ ମାଡ଼ି ଆସୁଥିବା ଏକ ବିପଦ।
Indore Airport Runway Meltdown: ଭୀଷଣ ଗରମ ପାଇଁ ବିମାନ ବନ୍ଦରରେ ବନ୍ଦ ହୋଇଯାଇଛି ଉଡ଼ାଣ। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେଉଥିବା। ହେଲେ ଏହା ସତ୍ୟ। ମଧ୍ୟ ପ୍ରଦେଶର ଆର୍ଥିକ ରାଜଧାନୀ ଇନ୍ଦୋର ସ୍ଥିତ ଦେବୀ ଅହିଲ୍ୟାବାଇ ହୋଲକର ବିମାନବନ୍ଦରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯେଉଁଠି ଗରମ କାରଣରୁ ଏହି ଏୟାରପୋର୍ଟ ରନୱେ ତରଳି ଯାଇଥିଲା। ଯାହା ପରେ ଏଠାରୁ ଉଡ଼ାଣ ଭରିବାକୁ ରହିଥିବା ବିମାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡି଼ଥିଲା। ଯେଉଁଥିପାଇଁ ଯାତ୍ରୀ ଘଣ୍ଟା ଘଣ୍ଟା ଧରି ଫସି ରହିଥିଲେ।
ଇନ୍ଦୋର ଏୟାରପୋର୍ଟ ରନୱେ ତରଳିବା ଘଟଣା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇ ଦେଇଥିଲା। ଏହା କେବଳ ଏକ ତ୍ରୁଟି ନୁହେଁ ବରଂ ବର୍ଦ୍ଧିତ ତାପମାତ୍ରା କାରଣରୁ ଆଗକୁ ମାଡ଼ି ଆସୁଥିବା ଏକ ବିପଦ। ଖରାଦିନେ ଗରମ ବଢିବା କାରଣରୁ ଅନେକ ସମୟରେ ପିଚୁ ରାସ୍ତା ମଧ୍ୟ ତରଳିଯାଏ। ଏବେ ତାତି ବଢିବା କାରଣରୁ ଏୟାରପୋର୍ଟ ରନୱେ ତରଳିବା ଚିନ୍ତାର କାରଣ ପାଲଟିଛି।
ଉଡ଼ାଣ ଉପରେ ଗରମର ପ୍ରଭାବ
ଅତ୍ୟଧିକ ଗରମ ଏବଂ ମୁଣ୍ଡ ଫଟା ଖରା ଯୋଗୁଁ, ଇନ୍ଦୋର ବିମାନବନ୍ଦର ରନୱେର ଏକ ଅଂଶ ନରମ ହୋଇଯାଇଥିଲା। ଯାହା ପରେ ରନୱେ ନିର୍ମାଣରେ ବ୍ୟବହୃତ ହୋଇଥିବା ବିଟୁମେନ୍ ତରଳି ଯାଇଲା। ରନୱେର ଢିଲା ପୃଷ୍ଠଭାଗ ବିମାନ ଅବତରଣ ଏବଂ ଉଡ଼ାଣ ପାଇଁ ବିପଦ ସାଜିଲା। ସୁରକ୍ଷାକୁ ପ୍ରାଥମିକତା ଦେଇ ବିମାନବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ରନୱେ ମରାମତି କାମ ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ ଦିଲ୍ଲୀ ଏବଂ ରାୟପୁର ଠାରୁ ଆସୁଥିବା ୨ ଇଣ୍ଡିଗୋ ବିମାନକୁ ଭୋପାଳ ସ୍ଥିତ ରାଜ ଭୋଜ ବିମାନ ବନ୍ଦରକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାୟ ୨୦ ମିନିଟ ମଧ୍ୟରେ ଏକ ଇଞ୍ଜିନିୟର ଟିମ୍ ରନୱେର ଆବଶ୍ୟକୀୟ ମରାମତି କରିଥିଲେ। ଯାହା ପରେ ଉଡ଼ାଣ ପ୍ରକ୍ରିୟା ସ୍ୱାଭାବିକ ହୋଇଥିଲା। ।
ଖରାଦିନେ କାହିଁକି ତରଳିଯାଏ ସଡ଼କ?
ଯେତେବେଳେ ଦିନ ସମୟରେ କୌଣସି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥାଏ ସେତେବେଳେ ସେଠାରେ ରହିଥିବା ରାସ୍ତାର ତାପମାତ୍ରା ଆହୁରି ୨୦ ଡିଗ୍ରୀ ବଢିଯାଏ। କାରଣ ପିଚୁରାସ୍ତା ଏବଂ ରନୱେ ନିର୍ମାଣ ଲାଗି କଳା ରଙ୍ଗର ଡାମର ବ୍ୟବହୃତ ହୋଇଥାଏ। କଳା ରଙ୍ଗ ସବୁଠାରୁ ଅଧିକ ସୂର୍ଯ୍ୟକିରଣ ଶୋଷଣ କରିଥାଏ। ବିଜ୍ଞାନ ଅନୁସାରେ ଯେତେବେଳେ ବାୟୁମଣ୍ଡଳର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ହୋଇଥାଏ, ସେତେବେଳେ ସେଠାକାର ରାସ୍ତାର ପୃଷ୍ଠଭାଗର ତାପମାତ୍ରା ଆହୁରି ଅଧିକ ୨୦ ଡିଗ୍ରୀ ସେଲସିୟସ୍ ବଢି ୬୦ ଡିଗ୍ରୀ ସେଲସିୟସ୍ ହୋଇଯାଏ। ଯାହା ପରେ ଡାମର ରାସ୍ତାକୁ ଜାବୁଡ଼ି ଧରିବାର ଶକ୍ତି ହରାଇବା ଆରମ୍ଭ କରିଥାଏ।
କାହିଁକି ତିଲା ହୋଇଯାଏ ରାସ୍ତାର ସ୍ତର
ବିଟୁମେନ୍ ଅର୍ଥାତ ତାରକୋଲ ରାସ୍ତା ଅଥବା ରନୱେ ନିର୍ମାଣ ପାଇଁ ବ୍ୟବହୃ ହୋଇଥାଏ। ଯାହା କଳ ରଙ୍ଗର ଏକ ଚିପ୍ ଚିପା ପଦାର୍ଥ। ଯେତେବେଳେ ରନୱେ ଅଥବା ରାସ୍ତାର ପୃଷ୍ଠଭାଗର ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଯାଏ, ସେତେବେଳେ ବିଟୁମେନ୍ ନରମ ହେବା ଆରମ୍ଭ କରିଦିଏ। ଅଧିକ ତାପମାତ୍ରା କାରଣରୁ ଏହା ଏକ ତରଳ ପଦାର୍ଥ ପରି ବ୍ୟବହାର କରିଥାଏ। ଯାହା ଫଳରେ ରାସ୍ତାର ଉପର ଭାଗ ଦୁର୍ବଳ ହୋଇଯାଏ। ଏହି ଘଟଣାକୁ ସାଧାରଣ ଭାଷାରେ ଲୋକେ ରାସ୍ତା ତରଳିଗଲା ବୋଲି କହିଥାନ୍ତି। ଇନ୍ଦୋରରେ ସମାନ ଘଟିବା କାରଣରୁ ରନୱେ ଉପର ଭାଗ ଢିଲା ହୋଇଯାଇଥିଲା। ଯାହା ଫଳରେ ବିମାନର ଟାୟାର ସେଥିରେ ଫସିଯିବାର ଆଶଙ୍କା ରହିଥିଲା।
ପୁରୁଣା ନିର୍ମାଣ ଏବଂ ଖରାପ ଗୁଣବତ୍ତା
କେବଳ ତାପମାତ୍ରା ବଢିବା କାରଣରୁ ରନୱେ କିମ୍ବା ରାସ୍ତା ତରଳି ଯାଏନାହିଁ। ବରଂ କେତେକ ସମୟରେ ପୁରୁଣା ନିର୍ମାଣ କିମ୍ବା ନିମ୍ନମାନର ଡାମର ବ୍ୟବହାର କରିବା କାରଣରୁ ରାସ୍ତାର ଉପର ଭାଗ ତରଳିଯାଏ। ସମୟ ଆଗକୁ ବଢିବା ସହିତ ପିଚୁ ଏହାର ନମନୀୟତା ହରାଇଥାଏ। ଏପରିକି ତାପମାତ୍ରା ସହ୍ୟ କରିବାର କ୍ଷମତା ମଧ୍ୟ ହରାଇଥାଏ। ଏହା ବ୍ୟତୀତ ଯଦି ରାସ୍ତା ନିର୍ମାଣରେ ବ୍ୟବହୃତ ଡାମର ମିଶ୍ରଣକୁ ସେହି ଅଞ୍ଚଳର ହାରାହାରି ସର୍ବାଧିକ ତାପମାତ୍ରା ଅନୁସାରେ ପ୍ରସ୍ତୁତ କରାଯାଏ ନାହିଁ, ତାହେଲେ ଏହା ଦ୍ରୁତ ଗତିରେ ତରଳିବା ଆରମ୍ଭ କରିଥାଏ। ଏହି କାରଣରୁ ଆଧୁନିକ ନିର୍ମାଣ କାର୍ଯ୍ୟରେ ବର୍ତ୍ତମାନ ପଲିମର ଦ୍ୱାରା ପରିବର୍ତ୍ତିତ ବିଟୁମେନ୍ ବ୍ୟବହାର କରାଯାଉଛି। ଯିଏ ଅଧିକ ତାପମାତ୍ରା ସହ୍ୟ କରିପାରିବ।
ବିମାନ ପାଇଁ କ'ଣ ରହିଛି ବିପଦ?
ଯେତେବେଳେ ଏୟାରପୋର୍ଟ ରନୱେ କିମ୍ବା ରାସ୍ତାର ପୃଷ୍ଠଭାଗ ନରମ ହୋଇଯାଏ, ସେତେବେଳେ ଏଥିରେ ଭାରୀ ଯାନ କିମ୍ବା ବିମାନର ଚକ ଚିହ୍ନ ଦେଖିବାକୁ ମିଳିଥାଏ। ଏହାକୁ ବୈଷୟିକ ଭାଷାରେ ରଟିଂ କୁହାଯାଏ। ଏହା ଦ୍ୱାରା ପୃଷ୍ଠକୁ ଅସମାନ କିମ୍ବା ଫାଟ ସୃଷ୍ଟି କରିପାରେ। ଏଭଳି ପରିସ୍ଥିତି କୌଣସି ବିମାନ ବନ୍ଦରରେ ବିାମନ ଉଡ଼ାଣ କିମ୍ବା ଅବତରଣ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ। କାରଣ ସେତେବେଳେ ଦ୍ରୁତ ଗତିରେ ଯାଉଥିବା କିମ୍ବା ଆସୁଥିବା ବିମାନ ଭାରସାମ୍ୟ ହରାଇପାରେ। ସେହିପରି ଏପରି ସମସ୍ୟା ରାସ୍ତାରେ ଗାଡ଼ି ଚାଳକଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ। ଯାହାକୁ ବକଲିଂ କୁହାଯାଏ। ଏହା ଦ୍ୱାରା ଯାନବାହନ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories