Videos
|
National

Khushbu Controversy / ମହିଳାଙ୍କୁ ବନ୍ଧୁକ ରଖିବାକୁ ପରାମର୍ଶ, ଖୁସବୁଙ୍କ ଭିଡ଼ିଓକୁ ନେଇ ବଡ଼ ବିବାଦ

Bikash Mohanty
Browse all articles by Bikash Mohanty
·1 hour ago·3 min read
ମହିଳାଙ୍କୁ ବନ୍ଧୁକ ରଖିବାକୁ ପରାମର୍ଶ, ଖୁସବୁଙ୍କ ଭିଡ଼ିଓକୁ ନେଇ ବଡ଼ ବିବାଦ
KHUSBOO

Key Points

ମହିଳାଙ୍କୁ ବନ୍ଧୁକ ରଖିବାକୁ ଖୁସବୁଙ୍କ ପରାମର୍ଶ
ଖୁସବୁଙ୍କ ଭିଡ଼ିଓକୁ ନେଇ ଉଠିଲା  ବଡ଼ ବିବାଦ
ପୂର୍ବତନ ସେନା ଅଧିକାରୀ ମାନେ କଲେ ସମାଲୋଚନା

ନୁଆଦିଲ୍ଲୀ,୩୦/୦୯: ମହିଳାଙ୍କ ଆତ୍ମରକ୍ଷାକୁ ନେଇ ଅଭିନେତ୍ରୀ ଦିଶା ପଟାନୀଙ୍କ ବଡ଼ ଭଉଣୀ ତଥା ଅବସରପ୍ରାପ୍ତ ଆର୍ମି ମେଜର ଖୁସବୁ ପଟାନୀଙ୍କ ଏକ ପରାମର୍ଶକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ମହିଳାମାନେ ନିଜ ସୁରକ୍ଷା ପାଇଁ CO2 ଚାଳିତ ଏୟାର ପିସ୍ତଲ ବ୍ୟବହାର କରିବା ଶିଖିବା ଉଚିତ ବୋଲି ସେ ଏକ ସୋସିଆଲ ମିଡିଆ ଭିଡିଓରେ ପରାମର୍ଶ ଦେଇଥିଲେ। ତେବେ ତାଙ୍କର ଏହି ପରାମର୍ଶକୁ ନେଇ କିଛି ପୂର୍ବତନ ସେନା ଅଧିକାରୀ ଓ ଡିଫେନ୍ସ ବିଶେଷଜ୍ଞ ଆପତ୍ତି ଉଠାଇଛନ୍ତି।

ଖୁସବୁ ପଟାନୀ ତାଙ୍କ ଭିଡିଓରେ .177 କ୍ୟାଲିବର CO2 ଏୟାର ପିସ୍ତଲର ଏକ ରେପ୍ଲିକା ଦେଖାଇଥିଲେ। ମହିଳାମାନେ ଏଭଳି ଅସ୍ତ୍ର ବ୍ୟବହାର କରିବା ପୂର୍ବରୁ ଶୁଟିଂ ରେଞ୍ଜରେ ଆବଶ୍ୟକ ପ୍ରଶିକ୍ଷଣ ନେବା ଉଚିତ ବୋଲି ସେ କହିଥିଲେ। ତାଙ୍କର ମୁଖ୍ୟ ବାର୍ତ୍ତା ଥିଲା, ମହିଳାମାନେ ନିଜ ସୁରକ୍ଷା ପାଇଁ ସବୁବେଳେ ଅନ୍ୟ କାହା ଉପରେ ନିର୍ଭରଶୀଳ ନହୋଇ ନିଜକୁ ପ୍ରସ୍ତୁତ ରଖିବା ଦରକାର।

ତେବେ ଭିଡିଓଟି ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିଶେଷଜ୍ଞଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି। ବିଶେଷକରି ଏୟାର ପିସ୍ତଲ ଧରିବା ଶୈଳୀ ଓ ଟ୍ରିଗର ଡିସିପ୍ଲିନ୍‌କୁ ନେଇ ପ୍ରଶ୍ନ ଉଠିଛି। ଅବସରପ୍ରାପ୍ତ ୱିଙ୍ଗ କମାଣ୍ଡର ପୁଷ୍କଳ ବିଜୟ ଦ୍ୱିବେଦୀଙ୍କ ମତରେ, ଏଭଳି ଏୟାର ପିସ୍ତଲକୁ ମହିଳାଙ୍କ ଆତ୍ମରକ୍ଷା ଅସ୍ତ୍ର ଭାବେ ପରାମର୍ଶ ଦେବା ଅପ୍ରତ୍ୟାଶିତ ପରିସ୍ଥିତିରେ ବିପଦ ବଢ଼ାଇପାରେ। ବିଶେଷକରି ଅପ୍ରଶିକ୍ଷିତ ବ୍ୟକ୍ତି ଭୟ କିମ୍ବା ଆତଙ୍କିତ ଅବସ୍ଥାରେ ଅସ୍ତ୍ର ବ୍ୟବହାର କଲେ ପରିସ୍ଥିତି ଆହୁରି ଜଟିଳ ହୋଇପାରେ ବୋଲି ସେ ମତ ଦେଇଛନ୍ତି।

ପଢନ୍ତୁ ଏହି ଖବର: ନଭେମ୍ବର ପହିଲାରୁ ପୁଣି ଆରମ୍ଭ ହେବ ଓ୍ବାର୍କ ଫ୍ରମ ହୋମ, ଦୁଇଗୁଣା ହେବ ପାର୍କିଂ ଫି

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ମେଜର ମାଣିକ ଏମ୍. ଜଲି ମଧ୍ୟ ମହିଳାଙ୍କ ଆତ୍ମରକ୍ଷା ପାଇଁ ଏୟାର ପିସ୍ତଲ ବଦଳରେ ପେପର ସ୍ପ୍ରେ ଭଳି ବିକଳ୍ପ ଉପରେ ବିଚାର କରିବାକୁ କହିଛନ୍ତି। ଡିଫେନ୍ସ ଏକ୍ସପର୍ଟ ସନ୍ଦୀପ ଉନ୍ନିଥାନ ମଧ୍ୟ ଭିଡିଓରେ ଥିବା ଅସ୍ତ୍ର ବ୍ୟବହାର ଶୈଳୀକୁ ନେଇ “Poor trigger discipline” ବୋଲି ମନ୍ତବ୍ୟ କରିଥିବା ଜଣାପଡ଼ିଛି।

ଏହି ବିବାଦ ମଧ୍ୟରେ ଏବେ ଆଉ ଏକ ପ୍ରଶ୍ନ ଉଠିଛି ଏୟାର ପିସ୍ତଲ କିଣିବା ଏବଂ ରଖିବା କ’ଣ ଭାରତରେ ଆଇନସମ୍ମତ? ଭାରତର Arms Rules, 2016 ଅନୁସାରେ ଏୟାର ଅସ୍ତ୍ରର କ୍ଷମତା ଓ ବୋର୍‌କୁ ଆଧାର କରି ନିୟମ ଲାଗୁ ହୁଏ। ୨୦ ଜୁଲ୍‌ରୁ ଅଧିକ ମଜଲ୍ ଏନର୍ଜି କିମ୍ବା ୦.୧୭୭ ଇଞ୍ଚରୁ ଅଧିକ ବୋର୍‌ ଥିବା ଏୟାର ଅସ୍ତ୍ର ପାଇଁ ଲାଇସେନ୍ସ ଆବଶ୍ୟକ ହୋଇପାରେ। ତେଣୁ ଏୟାର ପିସ୍ତଲକୁ ସାଧାରଣ ଖେଳନା ଭାବେ ଦେଖିବା ଠିକ୍ ନୁହେଁ। ଏହାର ପ୍ରକାର, କ୍ଷମତା ଓ ବ୍ୟବହାର ଅନୁସାରେ ଆଇନଗତ ନିୟମ ପ୍ରଯୋଜ୍ୟ ହୋଇପାରେ।

ମହିଳା ସୁରକ୍ଷାକୁ ନେଇ ଦେଶରେ ଚର୍ଚ୍ଚା ବଢ଼ୁଥିବା ସମୟରେ ଏହି ବିବାଦ ସାମ୍ନାକୁ ଆସିଛି। ବିହାରର ଜମୁଇରେ ଦୁଇ ନାବାଳକଙ୍କୁ ହଇରାଣ କରାଯିବା ଏବଂ ଦିଲ୍ଲୀର ଆସ୍ଥା କୁଞ୍ଜ ପାର୍କରେ ଜଣେ ୧୭ ବର୍ଷୀୟାଙ୍କ ସହ ଗଣଦୁଷ୍କର୍ମ ଘଟଣା ପରେ ସାର୍ବଜନୀନ ସ୍ଥାନରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠିଛି।

ଦିଲ୍ଲୀ ଘଟଣାକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ସାର୍ବଜନୀନ ସ୍ଥାନର ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି। ଦିଲ୍ଲୀର ପାର୍କ, ରାସ୍ତା ଓ ଅନ୍ୟ ସାର୍ବଜନୀନ ସ୍ଥାନର ସୁରକ୍ଷା ଅଡିଟ୍ କରିବା ନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଫଳରେ ଖୁସବୁ ପଟାନୀଙ୍କ ଏୟାର ପିସ୍ତଲ ପରାମର୍ଶକୁ ନେଇ ଚର୍ଚ୍ଚା କେବଳ ଏକ ଅସ୍ତ୍ର ବ୍ୟବହାରକୁ ନେଇ ସୀମିତ ରହିନାହିଁ। ମହିଳାଙ୍କ ସୁରକ୍ଷା ପାଇଁ ବ୍ୟକ୍ତିଗତ ଆତ୍ମରକ୍ଷା ପ୍ରଶିକ୍ଷଣ, ଆଇନସମ୍ମତ ସୁରକ୍ଷା ଉପକରଣ, ସଚେତନତା ଏବଂ ସାର୍ବଜନୀନ ସ୍ଥାନର ସୁରକ୍ଷା ବ୍ୟବସ୍ଥା ଏସବୁ ଦିଗକୁ ନେଇ ଆଲୋଚନା ଜୋର ଧରିଛି। ଏୟାର ପିସ୍ତଲକୁ ଆତ୍ମରକ୍ଷାର ମାଧ୍ୟମ ଭାବେ ଦେଖିବା ନା ଅନ୍ୟ ବିକଳ୍ପ ଉପରେ ନିର୍ଭର କରିବା ଏହି ପ୍ରସଙ୍ଗରେ ବିଶେଷଜ୍ଞଙ୍କ ମତ ମଧ୍ୟ ଭିନ୍ନ ରହିଛି।