Videos
|
National

Durga Puja Pandal Stampede / କୋଲକାତା ଦୁର୍ଗା ପୂଜା ପେଣ୍ଡାଲରେ ଦଳାଚକଟା, ୧୯ ମୃ*ତ...ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·3 min read
କୋଲକାତା ଦୁର୍ଗା ପୂଜା ପେଣ୍ଡାଲରେ ଦଳାଚକଟା, ୧୯ ମୃ*ତ...ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Durga Puja Pandal Stampede

Key Points

କୋଲକାତା ଦୁର୍ଗା ପୂଜାରେ ବଡ଼ ଅଘଟଣ
ଦଳାଚକଟାରେ ୧୯ ମୃତ, ତଦନ୍ତ ଆରମ୍ଭ
ଯାଞ୍ଚ ହେବ CCTV ଫୁଟେଜ୍
କୋଲକାତାରେ ଦୁର୍ଗାପୂଜା ମହୋତ୍ସବରେ ହୃଦୟବିଦାରକ ଅଘଟଣ ଘଟିଛି । ଉତ୍ତର କୋଲକାତାର ପ୍ରସିଦ୍ଧ ଚୋରବାଗାନ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ଘଟି ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୩ ଜଣ ମହିଳା, ୫ ଜଣ ପୁରୁଷ ଓ ଜଣେ ଶିଶୁ ଥିବା ଜଣାପଡ଼ିଛି ।

ରିପୋର୍ଟ ଅନୁଯାୟୀ, ଶନିବାର ସନ୍ଧ୍ୟା ପ୍ରାୟ ୭ଟା ୪୦ ମିନିଟ୍‌ରେ ବର୍ଷା ଆରମ୍ଭ ହେବା ପରେ ପେଣ୍ଡାଲକୁ ପ୍ରବେଶ କରିବା ପାଇଁ ଲୋକଙ୍କ ଭିଡ଼ ବଢ଼ିଯାଇଥିଲା । ପ୍ରବେଶ ଓ ପ୍ରସ୍ଥାନ ପାଇଁ ଥିବା ସଂକୀର୍ଣ୍ଣ ରାସ୍ତାରେ ଭିଡ଼ ବଢ଼ିବାରୁ ଠେଲାପେଲା ସ୍ଥିତି ଉପୁଜିଥିଲା । ଏହି ସମୟରେ ଅନେକ ଲୋକ ତଳେ ପଡ଼ିଯିବା ପରେ ଦଳାଚକଟା ହୋଇଥିବା ଜଣାପଡ଼ିଛି ।

ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି । ପେଣ୍ଡାଲରେ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ଯଥେଷ୍ଟ ଥିଲା କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଉଛି ।



ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ ଜଣ ଆହତ ହୋଇଛନ୍ତି । ଘଟଣା ପରେ ପ୍ରଶାସନ ପକ୍ଷରୁ ଦୁର୍ଘଟଣାସ୍ଥଳକୁ ଲୋକଙ୍କ ଯାତାୟାତ ବନ୍ଦ କରାଯାଇଛି । ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି । ପୂଜା ଆୟୋଜକ କମିଟି, ଘରୋଇ ସୁରକ୍ଷାକର୍ମୀ ଏବଂ ଡ୍ୟୁଟିରେ ଥିବା ଅଧିକାରୀଙ୍କ ଭୂମିକା ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଛି ।

ମୃତକଙ୍କ ପରିବାର ଓ ଆହତଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ପକ୍ଷରୁ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦେବାକୁ ଘୋଷଣା କରାଯାଇଛି । ଆହତଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ଏବଂ ସେମାନଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ମଧ୍ୟ କୁହାଯାଇଛି ।
ସେହିପରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ମଧ୍ୟ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି (PMNRF)ରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରାଯାଇଥିବା ସୂଚନା ମିଳିଛି ।

ପୂଜା କମିଟିର କର୍ମକର୍ତ୍ତାଙ୍କ ଇସ୍ତଫା

ଚୋରବାଗାନ ସର୍ବଜନୀନ ଦୁର୍ଗା ପୂଜା କମିଟିର ମହାସଚିବଙ୍କ ସମେତ ଅନ୍ୟ କେତେକ ପଦାଧିକାରୀ ଏହି ଦୁର୍ଘଟଣା ପରେ ଇସ୍ତଫା ଦେଇଥିବା ଜଣାପଡ଼ିଛି । ତେବେ ଦଳାଚକଟାର ପ୍ରକୃତ କାରଣ କ’ଣ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ବର୍ଷା ପରେ ହଠାତ୍ ଭିଡ଼ ବଢ଼ିବା, ପ୍ରବେଶ ଓ ପ୍ରସ୍ଥାନ ପଥର ଅଭାବ ନା ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି—କେଉଁ କାରଣରୁ ଏଭଳି ଅଘଟଣ ଘଟିଲା, ତାହା ତଦନ୍ତ ପରେ ଜଣାପଡ଼ିବ ।

ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ

ଘଟଣାସ୍ଥଳରେ ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀମାନେ ଚୋରବାଗାନ ସର୍ବଜନୀନ ଦୁର୍ଗା ପୂଜା ପେଣ୍ଡାଲରେ ଘଟିଥିବା ଦଳାଚକଟା ସମ୍ପର୍କରେ ସୂଚନା ଦେଇଛନ୍ତି ।
ଜଣେ ମହିଳାଙ୍କ କହିବା ଅନୁଯାୟୀ, ମାଇକ୍ ଯୋଗେ ଲଗାତାର ଘୋଷଣା କରାଯାଉଥିଲା । ଲୋକମାନଙ୍କୁ ପେଣ୍ଡାଲ ଭିତରକୁ ଶୃଙ୍ଖଳିତ ଭାବରେ ପ୍ରବେଶ କରିବାକୁ ଏବଂ ଅଧିକ ନଇଁବାକୁ ବାରଣ କରାଯାଉଥିଲା । ନଚେତ୍ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସତର୍କ କରାଯାଉଥିଲା । ଏହି ଘଟଣା ପରେ ପୂଜା ପେଣ୍ଡାଲଗୁଡ଼ିକରେ ଭିଡ଼ ନିୟନ୍ତ୍ରଣ, ଜରୁରୀକାଳୀନ ପ୍ରସ୍ଥାନ ପଥ ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: