Videos
|
National

Lalit Modi British Citizenship / ପଳାତକ ଲଳିତ ମୋଦିଙ୍କୁ ମିଳିଲା ବ୍ରିଟିଶ ନାଗରିକତା, ୧୬ ବର୍ଷ ପରେ ନୂଆ ପରିଚୟ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ପଳାତକ ଲଳିତ ମୋଦିଙ୍କୁ ମିଳିଲା ବ୍ରିଟିଶ ନାଗରିକତା, ୧୬ ବର୍ଷ ପରେ ନୂଆ ପରିଚୟ
Lalit Modi British Citizenship

Key Points

IPL ପ୍ରତିଷ୍ଠାତା ଲଳିତ ମୋଦୀ ଏବେ ବ୍ରିଟିଶ ନାଗରିକ
ସୋସିଆଲ ମିଡିଆରେ କଲେ ବଡ଼ ଘୋଷଣା
କହିଲେ- ଏହା ମୋ ଜୀବନର ଗର୍ବର ମୁହୂର୍ତ୍ତ
ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (IPL)ର ପ୍ରତିଷ୍ଠାତା ତଥା ଭାରତରୁ ପଳାତକ ଘୋଷିତ ଲଳିତ ମୋଦିଙ୍କୁ ମିଳିଛି ବ୍ରିଟିଶ ନାଗରିକତା । ନଭେମ୍ବର ୧୪, ୨୦୨୬ ଶନିବାର ଦିନ ଅକ୍ସଫୋର୍ଡ ୟୁନିୟନରେ ଉଦ୍‌ବୋଧନ ଦେବା ସମୟରେ ସେ ସର୍ବସାଧାରଣରେ ଏହି ଘୋଷଣା କରିଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବର ୧୫ ତାରିଖରେ ଏକ ସ୍ୱତନ୍ତ୍ର ସମାରୋହରେ ତାଙ୍କୁ ବ୍ରିଟିଶ ନାଗରିକତା ମିଳିଥିବା ସେ କହିଛନ୍ତି । ଏହାକୁ ନିଜ ଜୀବନର ଏକ ବିଶେଷ ଓ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି ଲଳିତ ମୋଦି ।

ଅକ୍ସଫୋର୍ଡ ୟୁନିୟନରେ କଲେ ଘୋଷଣା

ଲଳିତ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଏହା ତାଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ଏବଂ ଜୀବନର ଏକ ନୂଆ ଅଧ୍ୟାୟର ଆରମ୍ଭ । ନଭେମ୍ବର ୧୪ରେ ଅକ୍ସଫୋର୍ଡ ୟୁନିୟନକୁ ସମ୍ବୋଧିତ କରିବାର ସୁଯୋଗ ମିଳିଥିବା ବେଳେ ସେ ନିଜର ବ୍ରିଟିଶ ନାଗରିକତା ସମ୍ପର୍କରେ ଘୋଷଣା କରିଥିଲେ ।
ସେପ୍ଟେମ୍ବର ୧୫ ତାରିଖରେ ପରିବାର ଓ ବନ୍ଧୁଙ୍କ ଉପସ୍ଥିତିରେ ନାଗରିକତା ପ୍ରଦାନ ସମାରୋହ ଆୟୋଜିତ ହୋଇଥିଲା । ଏହି ଦିନଟି ସବୁବେଳେ ତାଙ୍କ ହୃଦୟର ନିକଟତର ହୋଇ ରହିବ ବୋଲି ସେ କହିଛନ୍ତି ।

ବ୍ରିଟେନକୁ ନିଜ ଘର ବୋଲି କହିଲେ ଲଳିତ ମୋଦି

ଲଳିତ ମୋଦିଙ୍କ କହିବା ଅନୁଯାୟୀ, ଦୀର୍ଘ ବର୍ଷ ଧରି ବ୍ରିଟେନ ତାଙ୍କର ଘର ହୋଇ ରହିଛି । ଏଠାକାର ଲୋକ, ସଂସ୍ଥା, ପରମ୍ପରା ଓ ମୂଲ୍ୟବୋଧ ପ୍ରତି ତାଙ୍କର ଗଭୀର ସମ୍ମାନ ଓ ଭଲପାଇବା ରହିଛି। ବ୍ରିଟିଶ ନାଗରିକ ହେବା ତାଙ୍କ ପାଇଁ ଏକ ବିଶେଷ ସମ୍ମାନ ସହ ଗୁରୁଦାୟିତ୍ୱ ମଧ୍ୟ ବୋଲି ସେ କହିଛନ୍ତି ।

ବିଭିନ୍ନ ସଂସ୍କୃତି ଓ ଅନୁଭୂତି ତାଙ୍କ ଜୀବନକୁ ପ୍ରଭାବିତ କରିଛି । ଏବେ ସେ ଯେଉଁ ଦେଶକୁ ନିଜ ଘର ବୋଲି ଗର୍ବର ସହ କହୁଛନ୍ତି, ସେହି ଦେଶର ବିକାଶ ଓ ସମାଜ ପାଇଁ ସକାରାତ୍ମକ ଯୋଗଦାନ ଦେବାକୁ ଚାହୁଁଥିବା ମଧ୍ୟ ପ୍ରକାଶ କରିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପରିବାର ଓ ବନ୍ଧୁଙ୍କୁ ଜଣାଇଲେ କୃତଜ୍ଞତା

ଏହି ନୂଆ ଯାତ୍ରାରେ ସହଯୋଗ କରିଥିବା ପରିବାର, ବନ୍ଧୁ ଓ ଅନ୍ୟ ସମସ୍ତଙ୍କୁ ଲଳିତ ମୋଦି ଧନ୍ୟବାଦ ଜଣାଇଛନ୍ତି । ଏହି ବିଶେଷ ଖବରକୁ ସାର୍ବଜନୀନ କରିବାର ସୁଯୋଗ ଦେଇଥିବାରୁ ଅକ୍ସଫୋର୍ଡ ୟୁନିୟନକୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।

ବ୍ରିଟେନର ରାଜା କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ଜନ୍ମଦିନ ଅବସରରେ ଏହି ଖବର ସେୟାର କରିବା ତାଙ୍କ ପାଇଁ ଆହୁରି ସ୍ୱତନ୍ତ୍ର ବୋଲି ସେ ଉଲ୍ଲେଖ କରିଛନ୍ତି । ପୋଷ୍ଟର ଶେଷରେ 'ଗଡ୍ ସେଭ୍ ଦ କିଙ୍ଗ' ଲେଖି ବ୍ରିଟିଶ ରାଜାଙ୍କ ପ୍ରତି ସମ୍ମାନ ଜଣାଇଛନ୍ତି ।

୨୦୧୦ରେ ଭାରତ ଛାଡ଼ିଥିଲେ ଲଳିତ ମୋଦି

IPLର ପ୍ରତିଷ୍ଠାତା ଲଳିତ ମୋଦି ୨୦୧୦ ମସିହା ମେ' ମାସରେ ଭାରତ ଛାଡ଼ିଥିଲେ । IPLର ପ୍ରସାରଣ ଅଧିକାର, ବିଦେଶୀ ମୁଦ୍ରା କାରବାର ଓ ଆର୍ଥିକ ଅନିୟମିତତାକୁ ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲା ।

ଏହାପରେ BCCI ତାଙ୍କୁ ନିଲମ୍ବିତ କରିଥିଲା । ୨୦୧୩ ସେପ୍ଟେମ୍ବରରେ ଅନୁଶାସନ କମିଟିର ତଦନ୍ତ ଆଧାରରେ ତାଙ୍କ ଉପରେ ଆଜୀବନ ବାସନ୍ଦାଦେଶ ଲଗାଯାଇଥିଲା । ଏହା ସହିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ବିଦେଶୀ ମୁଦ୍ରା ପରିଚାଳନା ଆଇନ (FEMA) ଓ ଅର୍ଥ ହେରଫେର ସମ୍ପର୍କିତ ମାମଲାର ମଧ୍ୟ ତଦନ୍ତ କରାଯାଇଥିଲା ।