ହିନ୍ଦୁ ନବବର୍ଷର ଅନେକ ଶୁଭେଚ୍ଛା, ଜାଣନ୍ତୁ କାହିଁକି ପାଳନ ହୁଏ...

ଅର୍ଗସ ବ୍ୟୁରୋ : ପ୍ରାଚୀନ ଭାରତୀୟ ଶାସ୍ତ୍ର ଅନୁସାରେ ଭଗବାନ ବ୍ରହ୍ମା ଯେଉଁ ଦିନ ସୃଷ୍ଟିର ସର୍ଜନା କରିଥିଲେ ସେବେଠାରୁ କାଳର ଗଣନା ଆରମ୍ଭ ହୋଇଥିଲା । ଆଉ ସୃଷ୍ଟି ଆରମ୍ଭର ପ୍ରଥମ ଦିନ ଥିଲା ଚୈତ୍ର ଶୁକ୍ଳ ପ୍ରତିପଦା। ଭାରତୀୟ ପରମ୍ପରାରେ ପ୍ରତିବର୍ଷ ଏହି ତିଥୀକୁ ନୂଆ ବର୍ଷ ଭାବରେ ପାଳନ କରାଯାଇ ଆସୁଛି। ଏହି ନୂଆ ବର୍ଷ ଭାରତୀୟ ସଂସ୍କୃତି ଓ ପରମ୍ପରା ସହିତ କାହିଁ କେଉଁ ଆଦି ଆନାଦି କାଳରୁ ଯୋଡ଼ି ହୋଇ ରହିଆସିଛି । ଏହି ଦିନରୁ ଚୈତ୍ର ନବରାତ୍ରିର ଶୁଭାରମ୍ଭ ହୋଇଥାଏ। ଘରେ ଘରେ ମାତୃ ଶକ୍ତିର ଉପାସନା ଆରମ୍ଭ ହୁଏ। ଖାଲି ସେତିକି ନୁହେଁ ଏହି ଦିନ ସହିତ ଇତିହାସ ଓ ପୁରାଣର ବହୁ ଗୁରୁତ୍ବପୂର୍ଣ୍ଣ ଘଟଣା ଯୋଡ଼ି ହୋଇରହିଛି । ଏହି ଚୈତ୍ର ଶୁକ୍ଳ ପ୍ରତିପଦାରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ରାଜ୍ୟାଭିଷେକ ହୋଇଥିଲା। ଦ୍ବାପରରେ ଚକ୍ରବର୍ତ୍ତୀ ସମ୍ରାଟ ଧର୍ମରାଜ ଯୁଧିଷ୍ଟିରଙ୍କର ମଧ୍ୟ ରାଜ୍ୟାଭିଷେକ ହୋଇଥିଲା ଏହି ପବିତ୍ର ତିଥୀରେ। ସମ୍ରାଟ ବିକ୍ରମାଦିତ୍ୟ ଏଦି ଦିନ ସିଂହାସନ ଆରୋହଣ କରିବା ସହ ବିକ୍ରମ ସମ୍ବତର ପ୍ରଚଳନ ଆରମ୍ଭ କରିଥିଲେ।
ଅଧିକ ପଢନ୍ତୁ ଭାରତ ଖବର
ଇଂରାଜୀ କ୍ୟାଲେଣ୍ଡର ଆନୁଯାୟୀ ବର୍ତ୍ତମାନ 2024 ମସିହା । କିନ୍ତୁ ଭାରତୀୟ କ୍ୟାଲେଣ୍ଡର ବା ପାଞ୍ଜି ଅନୁଯାୟୀ ଆଜିଠାରୁ ଯୁଗାବ୍ଧ 5126ର ଆରମ୍ଭ ଏବଂ ବିକ୍ରମ ସମ୍ବତ 2081ର ଆରମ୍ଭ । ଭାରତୀୟଙ୍କୁ ଆସଲ ନୂଆ ବର୍ଷର ମହତ୍ବ ସ୍ମରଣ କରାଇବା ପାଇଁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଓ ଏହାର ବିଚାର ସଂଗଠନଗୁଡି଼କ ପକ୍ଷରୁ ଆଜିର ଦିନକୁ ଭବ୍ୟଢଙ୍ଗରେ ପାଳନକରାଯାଉଛି।
ମହାନ ଭାରତୀୟ ସଂସ୍କୃତିର ପରିଚୟ ବିକ୍ରମ ସମ୍ବତ୍ସର ସହ ରହିଛି, ଇଂରାଜୀ ନୂଆ ବର୍ଷ ସହିତ ନୁହେଁ । ଭାରତୀୟ ନୂଆ ବର୍ଷକୁ ପାଳନ ଦ୍ବାରା ହିଁ ଆମର ସ୍ବାଭିମାନ ଜାଗ୍ରତ ହୋଇପାରିବ ନା କି ରାତି ସାରା ମଦ ନିଶାରେ ଝୁମି ଜିରୋ ନାଇଟ୍ ସେଲିବ୍ରେସନ ପରେ 1 ଜାନୁଆରୀ ସକାଳୁ ଶୋଇ ରହିବା ଦ୍ବାରା। ଏବେ ସମୟ ଆସିଛି ଏହି ଗୋଲାମୀ ମାନସିକତାକୁ ବଦଳାଇ ଆମର ପୂର୍ବସୁରୀମାନେ ଦେଇଯାଇଥିବା ମହାନ ସଂସ୍କୃତିର ପ୍ରତୀକ ଭାରତୀୟ ନୂଆ ବର୍ଷକୁ ଚୈତ୍ର ଶୁକ୍ଳ ପ୍ରତିପଦାରେ ପାଳନ କରିବା।