Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Gold In Maoist Camp / ସ୍ଵିସ୍ ମାର୍କିଂ ଥିବା ୧୧ କୋଟି ମୂଲ୍ୟର ସୁନା ବିସ୍କୁଟ୍ ରଖିଥିଲେ ମାଓବାଦୀ

Sushanta Sahoo
Browse all articles by Sushanta Sahoo
·3 months ago·2 min read
ସ୍ଵିସ୍ ମାର୍କିଂ ଥିବା ୧୧ କୋଟି ମୂଲ୍ୟର ସୁନା ବିସ୍କୁଟ୍ ରଖିଥିଲେ ମାଓବାଦୀ
₹11 Crore Gold Seized

Key Points

ମାଓ ଗଡ଼ରୁ ଜବତ ହୋଇଥିବା ୭.୨ କେଜି ସୁନା କେଉଁଠୁ ଆସିଲା ? ସୁନାର ଶୁଦ୍ଧତା କେତେ ? ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି ।
ରାୟପୁର: ମାଓ ଶିବିରରେ ପୁଳା ପୁଳା ସୁନା । ଜଙ୍ଗଲରେ ମାଓବାଦୀ ଲୁଚାଇ ରଖିଥିଲେ ସୁନା ବିସ୍କୁଟ୍ । ମାଓ ଶିବିରରୁ ୭.୨ କେଜି ସୁନା ମିଳିଛି । ଯାହାର ବଜାର ମୂଲ୍ୟ ପାଖାପାଖି ୧୧.୧୬ କୋଟି ହେବ ବୋଲି ଜଣାପଡ଼ିଛି ।

ମାର୍ଚ୍ଚ ୩୧ ତାରିଖରେ ଛତିଶଗଡ଼ ବିଜାପୁରର ମାଓ ଶିବିର ଠାବ କରିଥିଲେ ସୁରକ୍ଷାକର୍ମୀ । ସର୍ଚ୍ଚ ଅପରେସନ୍ ବେଳେ ଜଙ୍ଗଲରେ ଥିବା ମାଓ ଶିବିରରୁ ବିପୁଳ ସୁନା ବିସ୍କୁଟ୍ ଜବତ କରାଯାଇଛି । ଜଙ୍ଗଲରେ ସୁନା ବିସ୍କୁଟ୍ ରଖା ଯାଇଥିବା ନେଇ ଆତ୍ମସମର୍ପଣ କରିଥିବା ମାଓବାଦୀ ପୋଲିସକୁ ସୂଚନା ଦେଇଥିଲେ ।

ଏଥିସହ ପଢ଼ନ୍ତୁ: ମାଓ ବିରୋଧୀ ଲଢ଼େଇରେ ମିଳିଛି ସଫଳତା,୨୭ ମାଓବାଦୀଙ୍କୁ ନିପାତ କରାଯାଇଛି

ପୋଲିସ ଅନୁସାରେ, ଆତ୍ମସମର୍ପଣ କରିଥିବା ମାଓବାଦୀ ରୂପେଶ ଏନେଇ ସୂଚନା ଦେଇଥିଲା । ଯାହାପରେ ପୋଲିସ ସର୍ଚ୍ଚ ଅପରେସନ୍ ବେଳେ ୭.୨ କେଜି ସୁନା ଠାବ କରିଛି । ସୁନା ସହ ପୋଲିସକୁ ମିଳିଛି ବିପୁଳ ଟଙ୍କା । ଏସବୁ ମାଓ କମାଣ୍ଡର ପାପାରାଓ ବୋଲି ଜଣାପଡ଼ିଛି ।

ସୁନାରେ ସ୍ଵିସ୍ ମାର୍କିଂ

ତେବେ ଜବତ ହୋଇଥିବା ୭.୨ କେଜି ସୁନା କେଉଁଠୁ ଆସିଲା ? ସୁନାର ଶୁଦ୍ଧତା କେତେ ? ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି । ପୋଲିସ ଠାବ କରିଥିବା ସୁନା ବିସ୍କୁଟ୍‌ରେ ସ୍ଵିସ୍ ମାର୍କିଂ ରହିଛି । ଏହି ମାର୍କିଂକୁ ବୈଶ୍ଵିକ ସ୍ତରରେ ସୁନା ୯୯୯.୯ ପ୍ରତିଶତ ଶୁଦ୍ଧ ବୋଲି ଦର୍ଶାଏ । ୨୪ କ୍ୟାରେଟ୍ ସୁନାରେ ଏଭଳି ମାର୍କିଂ ସହ ୟୁନିକ୍ ସିରିଏଲ୍ ନମ୍ବର ରହିଥାଏ ।

ବସ୍ତର ରେଞ୍ଜ ଆଇଜି ସୁନ୍ଦରରାଜ କହିଛନ୍ତି, "ସୁନାରେ ଥିବା ସ୍ଵିସ୍ ମାର୍କ ଜୁଏଲର୍ସ କରିଥାଇ ପାରନ୍ତି । ଏନେଇ ଆମେ ମାଓବାଦୀଙ୍କୁ ପଚରାଉଚରା କରୁଛୁ । ସୁନା କେଉଁଠୁ ଆସିଛି ସେ ନେଇ ତଦନ୍ତ ଚାଲିଛି । ପୋଲିସ ସବୁ ଦିଗରୁ ଛାନଭିନ୍ ଚଳାଇଛି ।"

ସୁନା ସହ ବିପୁଳ ଟଙ୍କା ଜବତ

ଜଙ୍ଗଲରେ ମାଓବାଦୀ ଆହୁରି ଟଙ୍କା ଓ ଅନ୍ୟ ସାମଗ୍ରୀ ରଖିଥିବା ସନ୍ଦେହକରାଯାଉଛି । ଜଣେ ଗୁଇନ୍ଦା ଅଧିକାରୀ କହିଛନ୍ତି, "ଏକାଧିକ ମାଓବାଦୀ ବିନା ଅସ୍ତ୍ରରେ ଆତ୍ମସମର୍ପଣ କରିଛନ୍ତି । ଆଶଙ୍କା କରୁଛି ଏବେ ବି ଜଙ୍ଗଲରେ ବନ୍ଧୁକ, ଗୁଳିଗୋଳା ସହ ଅନ୍ୟ ସାମଗ୍ରୀ ଲୁଚାଇ ରଖିଛନ୍ତି ।"

ଏଥିସହ ପଢ଼ନ୍ତୁ: ନକ୍ସଲମୁକ୍ତ ଓଡ଼ିଶା ପାଇଁ ନୂଆ ରୋଡମ୍ୟାପ୍, ମୁଣ୍ଡଜାମିନ ପୁରସ୍କାର ରାଶି ଅତ୍ୟଧିକ ବୃଦ୍ଧି

ଏହା ପୂର୍ବରୁ ମାର୍ଚ୍ଚ ୧୧ ତାରିଖରେ ବିଜାପୁରରେ ମାଓବାଦୀଙ୍କ ଠାରୁ ୧ କେଜି ସୁନା ଜବତ ହୋଇଥିଲା । ମାଓ ବିରୋଧୀ ଅପରେସନ୍ ବେଳେ ୧ କେଜି ସୁନା ସହ ବନ୍ଧୁକ ଓ ଅନ୍ୟ ସାମଗ୍ରୀ ମିଳିଥିଲା ।

ଭାରତ ଏବେ ମାଓ ମୁକ୍ତ

ସୋମବାର ସଂସଦରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଭାରତକୁ ମାଓ ମୁକ୍ତ ଘୋଷଣା କରିଛନ୍ତି । ମାର୍ଚ୍ଚ ୩୧ରେ ଭାରତକୁ ମାଓ ମୁକ୍ତ କରିବା ଲାଗି ସରକାର ଧାର୍ଯ୍ୟ କରିଥିବା ତାରିଖ ପୂର୍ବରୁ ସ୍ଵରାଷ୍ଟ୍ର ମନ୍ତ୍ରୀ ସଂସଦରେ ଏହି ଘୋଷଣା କରିଛନ୍ତି । ଗତ ୩ ବର୍ଷରେ ୪, ୮୩୯ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ୭୦୬ ଜଣ ନିହତ ହୋଇଛନ୍ତି । ୨୨୧୮ ଜଣଙ୍କୁ ଗିରଫ କରାଯାଇ ଜେଲ୍ ପଠା ଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
₹11 Crore Gold Seized from Maoist Camp in Chhattisgarh | Argus News | Argus News