Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Solar Storm / ପୃଥିବୀ ଆଡ଼କୁ ମାଡ଼ିଆସୁଛି ଭୟଙ୍କର ସୌରଝଡ଼…ଭାରତରେ ଦେଖାଯିବ ଅଦ୍ଭୁତ ଆଲୋକମାଳା

Ritu Das
Browse all articles by Ritu Das
·1 month ago·3 min read
ପୃଥିବୀ ଆଡ଼କୁ ମାଡ଼ିଆସୁଛି ଭୟଙ୍କର ସୌରଝଡ଼…ଭାରତରେ ଦେଖାଯିବ ଅଦ୍ଭୁତ ଆଲୋକମାଳା
India

Key Points

ସୂର୍ଯ୍ୟ ବର୍ତ୍ତମାନ ଏକ ଅତ୍ୟନ୍ତ ଆକ୍ରମଣାତ୍ମକ ଏବଂ ଅଶାନ୍ତ ଅବସ୍ଥା ଅନୁଭବ କରୁଛି
ଗତ ସପ୍ତାହ ଧରି, ଏହାର ପୃଷ୍ଠରେ ବଡ଼ ବଡ଼ ବିସ୍ଫୋରଣ ଘଟୁଛି
ସୂର୍ଯ୍ୟ ବର୍ତ୍ତମାନ ଏକ ଅତ୍ୟନ୍ତ ଆକ୍ରମଣାତ୍ମକ ଏବଂ ଅଶାନ୍ତ ଅବସ୍ଥା ଅନୁଭବ କରୁଛି। ଗତ ସପ୍ତାହ ଧରି, ଏହାର ପୃଷ୍ଠରେ ବଡ଼ ବଡ଼ ବିସ୍ଫୋରଣ ଘଟୁଛି। ଯାହା ଭୟଙ୍କର ବେଗରେ ମହାକାଶକୁ ବିପୁଳ ଚୁମ୍ବକୀୟ ଗ୍ୟାସ ପଠାଉଛି। ଏହି କ୍ରମରେ ଏକ ଅତ୍ୟନ୍ତ ବଡ଼ ଓ ଭୟାନକ ବୈଜ୍ଞାନିକ ଘଟଣା ସାମ୍ନାକୁ ଆସିଛି । ସୂର୍ଯ୍ୟ ପୃଷ୍ଠରେ ସଂଘଟିତ ଏକ ଶକ୍ତିଶାଳୀ ବିସ୍ଫୋରଣ ପରେ ସେଠାରୁ ଏକ ବିଶାଳ କୋରୋନାଲ ମାସ୍ ଇଜେକ୍ସନ୍ ଓ ଅତ୍ୟଧିକ ଘନତ୍ୱବିଶିଷ୍ଟ ସୌରଝଡ଼ ରୂପେ ସିଧା ପୃଥିବୀ ଆଡ଼କୁ ମାଡ଼ିଆସୁଛି । ନାସା ଓ ସ୍ପେସ୍ ୱେଦର ପ୍ରେଡିକ୍ସନ୍ ସେଣ୍ଟର ଏହାକୁ ନେଇ ଅତ୍ୟନ୍ତ ଗମ୍ଭୀର ଚେତାବନୀ ଜାରି କରିଛି ।

ଏହି ସୌରଝଡ଼ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହ ଧକ୍କା ହେବାକୁ ଯାଉଛି, ଯାହା ଯୋଗୁ ମହାକାଶ ପାଣିପାଗ ବିଭାଗ ଜି୩ ବିଭାଗର ଭୂ-ଚୁମ୍ବକୀୟ ଝଡ଼ ଅର୍ଥାତ୍ ଜିଓମ୍ୟାଗ୍ନେଟିକ୍ ଝଡ଼ ବିଷୟରେ ଘୋଷଣା କରିଛି । ଏହି ସୌର ଝଡ଼ ପ୍ରଭାବରେ ଭାରତର ଉତ୍ତର କ୍ଷେତ୍ର, ୟୁରୋପ, ଆମେରିକା ଓ ଅଷ୍ଟ୍ରେଲିଆ ଆକାଶରେ ଏକ ସ୍ୱତନ୍ତ୍ର ଓ ଚମକଦାର ଦୃଶ୍ୟ ଦେଖିବାକୁ ମିଳିପାରେ । ବୈଜ୍ଞାନିକ ଭାଷାରେ ଏହାକୁ ଅରୋରା ବା ନର୍ଦନ ଲାଇଟ୍ କୁହାଯାଏ।

ଏହାସହ ପଢ଼ନ୍ତୁ: ବଦଳିବାକୁ ଯାଉଛି ୪୦ ବର୍ଷ ପୁରୁଣା ଟ୍ରେନ୍ ଟିକେଟ୍ ବୁକିଂ ବ୍ୟବସ୍ଥା; ଜାଣନ୍ତୁ ଆପଣଙ୍କୁ କ'ଣ ମିଳିବ ଫାଇଦା ?

ସୂର୍ଯ୍ୟ ପୃଷ୍ଠରେ ‘ଆକ୍ଟିଭ୍ ରିଜନ୍ ୪୪୬୧’ ନାମକ ଏକ ଅତ୍ୟନ୍ତ ସକ୍ରିୟ କ୍ଷେତ୍ରରେ ଗତ ୬ ତାରିଖ ସକାଳେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହାକୁ ବୈଜ୍ଞାନିକମାନେ ଏମ୍ ୧.୮ ଶ୍ରେଣୀର ସୋଲାର ଫ୍ଲେୟର୍ ନାମ ଦେଇଛନ୍ତି । ସୋଲାର ଫ୍ଲେୟର୍ ଅର୍ଥ ସୂର୍ଯ୍ୟ ପୃଷ୍ଠରୁ ହଠାତ୍ ନିର୍ଗତ ଅତ୍ୟଧିକ ତୀବ୍ର ବିକିରଣର ବିସ୍ଫୋରଣ । ଚୁମ୍ବକୀୟ ଶକ୍ତି ହଠାତ୍ ମୁକ୍ତ ହେବା ଯୋଗୁ ଏହା ଉତ୍ପନ୍ନ ହୋଇଥାଏ । ଏ ଥର ଏହି ବିସ୍ଫୋରଣ ସ୍ୱତନ୍ତ୍ର ଓ ଚିନ୍ତାଜନକ ହେବାର କାରଣ ଏହାର କେନ୍ଦ୍ରରୁ ଏକ ଅତ୍ୟନ୍ତ ଘନ, ଭାରୀ ଓ ଅତ୍ୟଧିକ ଚୁମ୍ବକୀୟ ‘ଫିଲାମେଣ୍ଟ’ ବାହାରିଛି । ଏହି ଫିଲାମେଣ୍ଟ ଏବେ ସୌରମଣ୍ଡଳକୁ ଅତିକ୍ରମ କରି ସେକେଣ୍ଡ ପିଛା ୧,୪୦୦ କିମି ଅବିଶ୍ୱସନୀୟ ଓ ଭୟଙ୍କର ବେଗରେ ସିଧା ପୃଥିବୀ ଆଡ଼କୁ ମାଡ଼ିଚାଲିଛି । ମହାକାଶ ପାଣିପାଗ ବୈଜ୍ଞାନିକ ତମିଥା ସ୍କୋଭ୍ ଉପଗ୍ରହ ଚିତ୍ରଗୁଡ଼ିକର ବିଶ୍ଳେଷଣ କରି ଏହାକୁ ଏକ ‘ଟେକ୍ସଟବୁକ୍ କୋର୍ ଫିଲାମେଣ୍ଟ ଇରପ୍ସନ’ କହିଛନ୍ତି । ଅର୍ଥାତ୍ ଏଭଳି ଏକ ବିସ୍ଫୋରଣ ଯାହା ସିଧାସଳଖ ପୃଥିବୀ ବାୟୁମଣ୍ଡଳକୁ ପ୍ରଭାବିତ କରିବାରେ ପୂର୍ଣ୍ଣ ସକ୍ଷମ ।

ସୂର୍ଯ୍ୟର ବାହ୍ୟ ବାୟୁମଣ୍ଡଳକୁ କୋରୋନା କୁହାଯାଏ । ସେଠାରେ ତାପମାତ୍ରା ହାରାହାରି ୧୦- ୨୦ ଲକ୍ଷ ଡିଗ୍ରୀ ସେଲ୍ସିୟସ୍ । କିନ୍ତୁ ଏହି ଫିଲାମେଣ୍ଟ ଭିତରେ ଫସିଥିବା ପ୍ଲାଜ୍‌ମାର ତାପମାତ୍ରା ୫,୦୦୦-୧୦,୦୦୦ ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ଥାଏ । ସୂର୍ଯ୍ୟ ତୁଳନାରେ ଏହା ଅତ୍ୟନ୍ତ ଥଣ୍ଡା ଓ ବହୁତ ଭାରୀ । ଏହି ଭାରୀ ଗ୍ୟାସ୍‌କୁ ଧରି ରଖିଥିବା ଚୁମ୍ବକୀୟ ବଳୟ ଯେତେବେଳେ ଦୁର୍ବଳ ବା ଅସ୍ଥିର ହୁଏ, ଫିଲାମେଣ୍ଟ ହଠାତ୍ ଭାଙ୍ଗିଯାଏ । ରବର ବ୍ୟାଣ୍ଡ ଭଳି ଝଟ୍‌କା ଯୋଗୁ ତାହା ମହାକାଶରେ ବ୍ୟାପିଯାଏ । ଅତ୍ୟନ୍ତ ଭାରୀ ହୋଇଥିବାରୁ ଏହା ଯେତେବେଳେ ପୃଥିବୀର ଚୁମ୍ବକୀୟ କବଚ ସହ ଧକ୍କା ହେବ, ଅତ୍ୟନ୍ତ ତୀବ୍ର ସୌରଝଡ଼ ଉତ୍ପନ୍ନ କରିବ।

ସୂର୍ଯ୍ୟର ଯେଉଁ କ୍ଷେତ୍ରରୁ ଏହି ଫିଲାମେଣ୍ଟ ବାହାରିଛି, ତା’ର ଚୁମ୍ବକୀୟ ରେଖା ଇଂରାଜୀ ଅକ୍ଷର ‘ଏସ୍’ ଆକାରରେ ଏକ ସ୍ପ୍ରିଙ୍ଗ୍ ଭଳି ପରସ୍ପର ସହ ଛନ୍ଦି ହୋଇଥିଲା । କୌଣସି ଚୁମ୍ବକୀୟ କ୍ଷେତ୍ର ଏଭଳି ମୋଡ଼ିହେଲେ, ତାହା ନିଜ ଭିତରେ ଅତ୍ୟଧିକ ମାତ୍ରାରେ ଉର୍ଜ୍ଜା ଜମା କରିଥାଏ । ଏହା ଚରମ ସୀମାରେ ପହଞ୍ଚିବା ପରେ ରେଖା ହଠାତ୍ ଭାଙ୍ଗିଗଲା ଏବଂ ପରସ୍ପର ମଧ୍ୟରେ ପୁନଃ ଯୋଡ଼ିହେଲା । ଏହି ପ୍ରକ୍ରିୟାକୁ ମ୍ୟାଗ୍ନେଟିକ୍ ରିକନେକ୍ସନ୍ କୁହାଯାଏ । ଏହି ଝଟ୍‌କାରୁ ଗୋଟିଏ ପଟେ ଭୟଙ୍କର ଏକ୍ସ-ରେ ବିକିରଣ ନିର୍ଗତ ହେଲା, ଯାହା ପୃଥିବୀର ରେଡିଓ ସଂଚାର ବ୍ୟବସ୍ଥାକୁ ପ୍ରଭାବିତ କଲା । ଅନ୍ୟପକ୍ଷେ, ୧ ଅରବ ଟନ୍ ଓଜନର ଚୁମ୍ବକୀୟ ପ୍ଲାଜ୍‌ମାର ବାଦଲ ସେକେଣ୍ଡ ପିଛା ୧,୪୦୦ କିମି ବେଗରେ ପୃଥିବୀ ଆଡ଼କୁ ମାଡ଼ି ଆସିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Massive Solar Storm Approaches Earth Stunning Aurora May Appear | Argus News