TMC ନେତାଙ୍କ ସହ ମାଷ୍ଟରମାଇଣ୍ଡ ଲଲିତ ଝାର ଘନିଷ୍ଠ ସମ୍ପର୍କ !

ନୂଆଦିଲ୍ଲୀ: ସଂସଦ ଧୁଆଁ କାଣ୍ଡ ମାମଲା ନେଇ ଏବେ ଅଡୁଆରେ ମମତା ବାନାର୍ଜୀ ଓ ତାଙ୍କ ଦଳ ତୃଣମୂଳ କଂଗ୍ରେସ । ଟିଏମସିର ନେତାଙ୍କ ସହ ସାମ୍ନାକୁ ଆସିଛି ସଂସଦ କାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଳିତ ଝାର ଫଟୋ। ପଶ୍ଚିମବଙ୍ଗ ବିଜେପି ପ୍ରଦେଶ ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିବା ଫଟୋ ଏବେ ଭାଇରାଲ୍ ହେଉଥିବାବେଳେ, ଦିଦିଙ୍କୁ ଟାର୍ଗେଟ୍ କରିଛି ବିଜେପି। ସେପଟେ ମାମଲାର ଷଷ୍ଠ ଅଭିଯୁକ୍ତ ରାଜସ୍ଥାନର ମହେଶ କୁମାବତକୁ ଗିରଫ କରିଛି ଦିଲ୍ଲୀ ପୋଲିସ। ସଂସଦ ସୁରକ୍ଷା ଭଙ୍ଗ ମାମଲାରେ ଜାରି ରାଜନୈତିକ ହଙ୍ଗାମା ନେଇଛି ନୂଆ ମୋଡ଼। ମାମଲାରେ ମମତା ବାନାର୍ଜୀଙ୍କ ଦଳ ସମେତ କଂଗ୍ରେସ ଓ ସିପିଆଇ ଉପରେ ଘନ ଘନ ଆକ୍ରମଣ କରିଛି ବିଜେପି। ସବୁଠାରୁ ବେଶୀ ଟାର୍ଗେଟକୁ ଆସିଛି ଦିଦିଙ୍କ ଦଳ ତୃଣମୂଳ କଂଗ୍ରେସ। ପଶ୍ଚିମବଙ୍ଗର ବିଜେପି ପ୍ରଦେଶ ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ସୋସିଆଲ୍ ମିଡିଆ ଫ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି ଏହି ଫଟୋ । ଯାହା ଖୁବ୍ ଭାଇରାଲ୍ ହେଉଛି । ଏହି ଫଟୋରେ ଟିଏମସି ନେତା ତାପସ ରାୟଙ୍କ ସହ ଦେଖାଯାଉଛି ସଂସଦ ଧୁଆଁ କାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଳିତ ଝା। ଏହାକୁ ନେଇ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଘେରୁଛନ୍ତି ବିଜେପି ନେତା।
ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ପ୍ରଥମେ ଏ ନେଇ ଟିଏମସିକୁ ଆଟାକ୍ କରିଥିଲେ ପଶ୍ଚିମବଙ୍ଗରୁ ବିଜେପି ସାଂସଦ ଥିବା ଲକେଟ୍ ଚାଟାର୍ଜୀ। ଟିଏମସି ନେତା ତାପସ ରାୟଙ୍କ ସହ ଲଳିତ ଝାର ଫଟୋ ଦେଖାଇ ପ୍ରଶ୍ନ କରିବା ସହ ତଦନ୍ତ ଦାବି କରିଥିଲେ। ସେପଟେ ବିଜେପିର ଏ ସମସ୍ତ ଅଭିଯୋଗକୁ ପିଲାଳିଆମି କହିଛନ୍ତି ଅଭିଯୁକ୍ତ ଟିଏମସି ନେତା ତାପସ ରାୟ ।
ସେପଟେ ସଂସଦ ଧୁଆଁ କାଣ୍ଡ ମାମଲାର ଷଷ୍ଠ ଅଭିଯୁକ୍ତକୁ ଗିରଫ କରିଛି ଦିଲ୍ଲୀ ପୋଲିସ। ଇଏ ହେଉଛି ମହେଶ କୁମାବତ। ଦିଲ୍ଲୀ ପୋଲିସ ଅନୁସାରେ ମହେଶ ବି ପୁରା ଷଡ଼ଯନ୍ତ୍ରର ଅଂଶ ଥିଲା। ରାଜସ୍ଥାନ ନାଗୋର ଜିଲ୍ଲାର ମହେଶ ବି 13 ଡିସେମ୍ବରରେ ଦିଲ୍ଲୀ ଆସିଥିଲା। ଧୁଆଁ କାଣ୍ଡ ପରେ ସେ ମାଷ୍ଟରମାଇଣ୍ଡ ଲଳିତ ଝା ସହ ଫେରାର୍ ହୋଇଯାଇଥିଲା। ଆଉ ଏହି ମହେଶ ଘରେ ହିଁ ଲୁଚିଥିଲା ଲଳିତ ଝା । ମହେଶ ଗୁରୁବାର ଲଳିତ ଝା ସହ ଆତ୍ମସମର୍ପଣ କରିଥିବାବେଳେ ପ୍ରାୟ ଦୁଇ ଦିନ ପଚରାଉଚୁରା ପରେ ତାକୁ ଗିରଫ କରାଯାଇଛି। ସବୁ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ନଷ୍ଟ କରିବାରେ ମଧ୍ୟ ମହେଶ କୁମାବତ ଲଳିତ ଝା ସହ ସାମିଲ ଥିଲା ବୋଲି କହିଛି ଦିଲ୍ଲୀ ପୋଲିସ। ଶୁକ୍ରବାର ଲଳିତ ଝାକୁ ଗିରଫ କରାଯାଇଥିବାବେଳେ ଏଯାଏଁ ଗିରଫ ଛଅ ଜଣ ଯାକ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚୁରା କରୁଛନ୍ତି ତଦନ୍ତକାରୀ ଏଜେନ୍ସି।
ଅଧିକ ପଢନ୍ତୁ ଓଡ଼ିଶା ଖବର