Bihar Election / ଧର୍ମେନ୍ଦ୍ରଙ୍କ ଗୋଟିଚାଳନାରେ ବିଜେପିକୁ ମିଳିଲା ବିହାରରେ ବିରାଟ ବିଜୟ

Key Points
ବିହାର ବିଧାନସଭା ନିର୍ବାଚନରେ ଇତିହାସ ରଚିଛି ବିଜେପି। ବିହାର ଇତିହାସରେ ସର୍ବାକାଳୀନ ରେକର୍ଡ ପ୍ରଦର୍ଶନ କରିଛି ବିଜେପି । ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ସତ୍ତ୍ବେ ବିଜେପି ବନିଛି ବିହାରର ବାଜିଗର। ଆଉ ଏହି ବିଜୟ ପଛରେ ରହିଛି ମୋଦିଙ୍କ ବିଶ୍ୱସ୍ତ ସିପାହୀ ତଥା ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟ ଭୂମିକା।
ଦେଖିବାକୁ ଗଲେ ଦେଶର ରାଜନୈତିକ ଦୃଷ୍ଟିକୋଣରୁ ବିହାରର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଜର ସବୁଠୁ ବିଶ୍ବସ୍ତ, ଦକ୍ଷ, ରାଜନୈତିକ ଅନୁଭବୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଆସ୍ଥା ପ୍ରକଟ କରି ସେପ୍ଟେମ୍ବର ମାସରେ ବିହାର ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ବ ଦେଇଥିଲେ, ଯାହା ଏନଡିଏର ବିଜୟ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ରଣନୀତି ଥିଲା ।
ପ୍ରକୃତରେ ବିହାର ସହ ଧର୍ମେନ୍ଦ୍ରଙ୍କ ସମ୍ପର୍କ ନୂଆ ନୁହେଁ । ୨୦୧୦ରେ ପ୍ରଥମ ଥର ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାରର ପ୍ରଭାରୀ ଭାବରେ ଦାୟିତ୍ବ ମିଳିଥିଲା, ଯେଉଁ କାର୍ଯ୍ୟକୁ ସେ ସଫଳ ରୂପେ ସମ୍ପାଦନ କରିଥିଲେ । ୨୦୧୪ରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ବିହାରର ରାଜନୈତିକ ଦୃଶ୍ୟପଟ୍ଟ ପରିବର୍ତ୍ତନ ହୋଇଥିଲା । ତାଙ୍କର ସଫଳ ନେତୃତ୍ବ ପାଇଁ ଲୋକସଭା ନିର୍ବାଚନରେ ଏନଡିଏର ୩୧ ଜଣ ପ୍ରାର୍ଥୀ ବିହାରରୁ ନିର୍ବାଚିତ ହୋଇପାରିଥିଲେ । ୨୦୧୫ ରେ ମଧ୍ୟ ତାଙ୍କୁ ନିର୍ବାଚନ ପ୍ରଭାରୀ ଭାବରେ ଦାୟିତ୍ବ ଦେଇଥିଲେ ତତ୍କାଳୀନ ରାଷ୍ଟ୍ରୀୟ ସଭାପତି ଅମିତ ଶାହ ।
ଦେଖନ୍ତୁ ଏହି ଖବର: ଏବେ BJP ଟାର୍ଗେଟ୍ରେ ପଶ୍ଚିମବଙ୍ଗ, ଖୁବ୍ଶୀଘ୍ର ହଟିବ ଜଙ୍ଗଲରାଜ
ବିହାରରୁ ୬ ବର୍ଷ ଧରି ରାଜ୍ୟସଭା ସଦସ୍ୟ ଥିବାରୁ ଧର୍ମେନ୍ଦ୍ର ବି ବିହାରର ଭୋଟ୍ ରାଜନୀତିକୁ ଭଲ ଭାବରେ ବୁଝିପାରିଥିଲେ । ତାଙ୍କର କ୍ଷେତ୍ରୀୟ ଅନୁଭବ, ଅଭିଜ୍ଞତା, ସହଯୋଗୀ ଦଳଗୁଡ଼ିକୁ ଏକାଠି ରଖିବାର ଦକ୍ଷତା ଏବଂ ମୋଦି ସରକାରଙ୍କ ଯୋଜନାଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରଭାବଶାଳୀ ରଣନୀତି ଏନଡିଏର ବିଜୟରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା । ଏହି ରଣନୀତି ତାଙ୍କୁ ଜଣେ Troubleshooter ଏବଂ ଦକ୍ଷ ନିର୍ବାଚନ ରଣନୀତିଜ୍ଞ ଭାବରେ ପ୍ରତିଷ୍ଠିତ କରିଛି ।
ମୁଖ୍ୟତଃ ଏନଡିଏ ମେଣ୍ଟରେ ବିଭିନ୍ନ ଦଳକୁ ଏକାଠି ରଖିବା ଏବଂ ସନ୍ତୁଳିତ ଆସନ ବୁଝାମଣା କରିବା ଏକ ବଡ଼ ଆହ୍ବାନ ଥିଲା, ଯାହାକୁ ଆତ୍ମବିଶ୍ବାସର ସହ ସଠିକ୍ ପରିଚାଳନା କରିଥିଲେ କେନ୍ଦ୍ରମନ୍ତ୍ରୀ । ତାଙ୍କର ତତ୍ତ୍ବାବଧାନରେ ସିଟ୍ ବଣ୍ଟନ ସମୟରେ BJPକୁ 101, JDUକୁ 101, LJP (R)କୁ 29, RLM କୁ 6 ଏବଂ HAMକୁ ୬ଟି ଆସନରେ ଲଢିବା ପାଇଁ ସଂକେତ ମିଳିଥିଲା। ଯାହା ଧର୍ମେନ୍ଦ୍ରଙ୍କ ଏକ୍ସ ଆଇଡିରୁ ମଧ୍ୟ ପ୍ରଥମେ ସୂଚନା ଦିଆଯାଇଥିଲା । ଯେଉଁ ସମୟରେ କଂଗ୍ରେସ-ଆରଜେଡି ମେଣ୍ଟ ଟିକେଟ୍ ଫାଇନାଲ କରିପାରୁ ନଥିଲେ ଏବଂ ସିଟ୍ ବଣ୍ଟନକୁ ନେଇ ସେମାନଙ୍କ ମଧ୍ୟରେ ବିରୋଧ ଦେଖାଦେଉଥିଲା, ସେହି ସମୟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ରଣନୀତିକୁ ରାଜନୈତିକ ବିଶେଷଜ୍ଞମାନେ ବିଜୟର ଏକ ପ୍ରଥମ ସୋପାନ ଭାବେ ଗ୍ରହଣ କରିଥିଲେ ।
ପ୍ରତ୍ୟେକ ବୁଥ୍ ଉପରେ ଧ୍ୟାନ ଦେବା ଏବଂ କର୍ମୀମାନଙ୍କୁ ସକ୍ରିୟ କରିବା ପାଇଁ Micro-management ଉପରେ ଫୋକସ କରିଥିଲେ ଧର୍ମେନ୍ଦ୍ର। ପ୍ରଭାରୀ ଦାୟିତ୍ବ ନେବା ଦିନଠାରୁ ବିହାର ରହି ପୃଷ୍ଠଭୂମିରେ ରହି ସେ କର୍ମୀ ଏବଂ ନେତାମାନଙ୍କ ସହିତ ନିରନ୍ତର ସମ୍ପର୍କରେ ରହି ନିର୍ବାଚନ ପରିଚାଳନା କରୁଥିଲେ । ଯୁବ, ମହିଳା, କୃଷକ, ଦଳିତ, ଓବିସି ସହିତ ଅନ୍ୟାନ୍ୟ ମୋର୍ଚ୍ଚା ସହ କ୍ରମାଗତ ଭାବରେ ଆଲୋଚନା କରିବା ସହ ସେମାନଙ୍କ ମତକୁ ଗୁରୁତ୍ବ ଦେଇ ସେ ଦିଗରେ କାର୍ଯ୍ୟ କରିବା ପାଇଁ ଚର୍ଚ୍ଚା କରୁଥିଲେ । ବିହାରର ଜାତିଭିତ୍ତିକ ରାଜନୀତିକୁ ସଠିକ୍ ଭାବରେ ପରିଚାଳନା କରିବା ଦିଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ରଣନୀତି ବିଶେଷ ଭାବରେ ସହାୟକ ହୋଇଥିଲା ।
ଏହା ପ୍ରଥମ ନିର୍ବାଚନ ନୁହେଁ ଯେଉଁଥିରେ ନିର୍ବାଚନ ରଣନୀତିକାର ଭାବେ ବିଜେପିକୁ ବିଜୟ ଭେଟି ଦେଇଛନ୍ତି ଧର୍ମେନ୍ଦ୍ର। ପୂର୍ବରୁ ବହୁ ରାଜ୍ୟ ବିଧାନସଭାର ନିର୍ବାଚନର ପ୍ରଭାରୀ ଭାବେ ଦାୟିତ୍ବ ନେଇ ସେଠାରେ ପଦ୍ମ ଫୁଟାଇବାରେ ପ୍ରମୁଖ ଭୂମିକା ନିଭାଇ ସାରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଉତ୍ତରପ୍ରଦେଶ, ହରିୟାଣା, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ଛତିଶଗଡ଼ ପରି ବହୁ ରାଜ୍ୟରେ ବିଜେପିକୁ କ୍ଷମତାସୀନ କରିବାରେ ଧର୍ମେନ୍ଦ୍ରଙ୍କ ସଫଳ ଗୋଟିଚାଳନା କାମ ଦେଇଛି। ଯେଉଁଥିପାଇଁ ଧର୍ମେନ୍ଦ୍ର ବନିପାରିଛନ୍ତି ମୋଦିଙ୍କର ଅନ୍ୟତମ ବିଶ୍ବସ୍ତ ସିପାହୀ। ଆଉ ବିହାର ବିଜୟ ସହ ସାରା ଦେଶର ଗଣମାଧ୍ୟମ ପୁଣିଥରେ ଏହି ପୋଲମାଷ୍ଟରଙ୍କର କରୁଛି ତାରିଫ୍।
📱 Get Argus News App
✨Related Topics
Explore more stories