Videos
|
National

Education Reforms / ଧର୍ମେନ୍ଦ୍ର ପ୍ରଧାନଙ୍କ ବଳିଷ୍ଠ ଅବଦାନ; ମୋଦି ସରକାରରେ ଶିକ୍ଷାକ୍ଷେତ୍ରରେ ଐତିହାସିକ ସଫଳତା

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·5 min read
ଧର୍ମେନ୍ଦ୍ର ପ୍ରଧାନଙ୍କ ବଳିଷ୍ଠ ଅବଦାନ; ମୋଦି ସରକାରରେ ଶିକ୍ଷାକ୍ଷେତ୍ରରେ ଐତିହାସିକ ସଫଳତା
Education Reforms

Key Points

ମୋଦି ସରକାରଙ୍କ ବିକଶିତ ଭାରତ ଗଠନରେ ପ୍ରମୁଖ ଦିଗ ରହିଆସିଛି ଶିକ୍ଷାକ୍ଷେତ୍ର, ଯାହାକି ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ଵରେ ଅନେକ ମାଇଲଖୁଣ୍ଟ ହାସଲ କରିସାରିଛି । ଆସନ୍ତୁ ଜାଣିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ କଣ କରିଛନ୍ତି ଧର୍ମେନ୍ଦ୍ର...
ଭୁବନେଶ୍ଵର: ଜାତୀୟ ଶିକ୍ଷା ନୀତି-୨୦୨୦ର ସଫଳ ରୂପାୟନଠାରୁ ପରୀକ୍ଷା ସଂସ୍କାର, ଡିଜିଟାଲ ଶିକ୍ଷା, ଭାରତୀୟ ଭାଷା ଓ ଗବେଷଣା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ବିକଶିତ ଭାରତ’ ସଂକଳ୍ପରେ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ସେହି ଦୃଷ୍ଟିକୋଣକୁ ବାସ୍ତବ ରୂପ ଦେବାରେ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଏକ ଐତିହାସିକ ମାଇଲଖୁଣ୍ଟ ପାଲଟିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳରେ ଦେଶର ଶିକ୍ଷା ବ୍ୟବସ୍ଥାରେ ସ୍ୱାଧୀନତା ପରବର୍ତ୍ତୀ ସବୁଠାରୁ ବ୍ୟାପକ ସଂସ୍କାର କରାଯାଇଛି। ଶିକ୍ଷାରେ ସୁଯୋଗ, ସମାନତା, ଗୁଣବତ୍ତା, ସର୍ବସମାବେଶୀକରଣ ଓ ଭବିଷ୍ୟତମୁଖୀ ଦକ୍ଷତାକୁ କେନ୍ଦ୍ରରେ ରଖି ନିଆଯାଇଥିବା ପଦକ୍ଷେପ ଭାରତର ଶିକ୍ଷା କ୍ଷେତ୍ରକୁ ନୂଆ ପରିଚୟ ଦେଇଛି।

୧. ପରୀକ୍ଷା ବ୍ୟବସ୍ଥାରେ ଆସିଲା ସ୍ୱଚ୍ଛତା
ଶିକ୍ଷା ସଂସ୍କାରର ସବୁଠୁ ବଡ଼ ପଦକ୍ଷେପ ଭାବେ ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ବିଶ୍ୱସନୀୟ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ମାଧ୍ୟମରେ NEET (UG) ୨୦୨୬ ପରୀକ୍ଷାକୁ ସଫଳ ଓ ସ୍ୱଚ୍ଛ ଭାବେ ସମ୍ପନ୍ନ କରାଯାଇଛି । ୨୦୨୪ରେ ଗଠିତ ରାଧାକୃଷ୍ଣନ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରାଯାଇ ନିଟ୍ ପରୀକ୍ଷାର ଅଖଣ୍ଡତା, ସ୍ୱଚ୍ଛତା ଓ କାର୍ଯ୍ୟଦକ୍ଷତାକୁ ଆହୁରି ମଜଭୁତ କରାଯାଇଛି।

ପରୀକ୍ଷାରେ ଅନିୟମିତତା ପ୍ରତି ଶୂନ୍ୟ ସହନଶୀଳତା ନୀତି ଅପଣାଇ ନିଟ୍ ପେପର ଲିକ୍ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ଏହି ମାମଲାରେ ୧୩ଜଣଙ୍କୁ ଗିରଫ କରାଯାଇଛି । ଏହାସହ ସାର୍ବଜନିକ ପରୀକ୍ଷା (ଅନୁଚିତ ଉପାୟ ନିବାରଣ) ଆଇନ, ୨୦୨୪ ପ୍ରଣୟନ କରାଯାଇ ଦେଶର ପ୍ରଥମ ସମ୍ପୂର୍ଣ୍ଣ ପ୍ରଶ୍ନପତ୍ର ଲିକ୍ ରୋକିବା ଆଇନ ଆସିଥିଲା । ପରେ କେନ୍ଦ୍ର କ୍ୟାବିନେଟ୍ ଏହି ଆଇନରେ ସଂଶୋଧନ କରି ଫାଷ୍ଟଟ୍ରାକ୍ କୋର୍ଟ ଓ ଅଧିକ କଠୋର ଦଣ୍ଡ ବ୍ୟବସ୍ଥାକୁ ଅନୁମୋଦନ କରିଛି ।

୨. ସ୍କୁଲ ଶିକ୍ଷାରେ ବଢ଼ିଲା ସୁଯୋଗ
'ସମଗ୍ର ଶିକ୍ଷା'କୁ ଜାତୀୟ ଶିକ୍ଷା ନୀତି-୨୦୨୦ ସହ ସମନ୍ୱୟ କରି ଶିଶୁବାଟିକାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏକ ସମନ୍ୱିତ ସ୍କୁଲ ଶିକ୍ଷା ବ୍ୟବସ୍ଥା ଗଢ଼ାଯାଇଛି । ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି, ଡିଜିଟାଲ୍ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା ଏବଂ ବିଦ୍ୟାଳୟ ଭିତ୍ତିଭୂମିକୁ ଏଥିରେ ପ୍ରାଥମିକତା ଦିଆଯାଇଛି । ଶିଶୁଙ୍କ ବୟସ ଅନୁକୂଳ ଶିକ୍ଷାକୁ ନିଶ୍ଚିତ କରିବା ପାଇଁ Grade-Iରେ ଭର୍ତ୍ତି ପାଇଁ ସର୍ବନିମ୍ନ ବୟସ ୬ ବର୍ଷକୁ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଲାଗୁ କରାଯାଇଛି ।

୨୦୧୩-୧୪ରୁ ୨୦୨୫–୨୬ ମଧ୍ୟରେ ମୋଟ ନାମଲେଖା ଅନୁପାତ (GER) ପ୍ରାଥମିକ ଶିକ୍ଷାରେ ୮୬.୭%ରୁ ୮୯.୬%, ସେକେଣ୍ଡାରୀରେ ୭୩.୮%ରୁ ୮୧.୫% ଏବଂ ଉଚ୍ଚ ଶିକ୍ଷାରେ ୪୪.୫%ରୁ ୬୧.୭%କୁ ବୃଦ୍ଧି ପାଇଛି । ବିଶ୍ୱର ସର୍ବବୃହତ୍ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ NISHTHA ଅଧୀନରେ ୬୪ ଲକ୍ଷରୁ ଅଧିକ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଉଚ୍ଚଶିକ୍ଷାରେ ଚାରି-ବର୍ଷୀୟ ସ୍ନାତକ କାର୍ଯ୍ୟକ୍ରମ (FYUP)କୁ ୭୧୮ଟି ବିଶ୍ୱବିଦ୍ୟାଳୟରେ ଲାଗୁ କରାଯାଇଛି ।

୩. ଭାରତୀୟ ଭାଷା ଓ ଜ୍ଞାନ ପରମ୍ପରାକୁ ପ୍ରୋତ୍ସାହନ
ଜାତୀୟ ଶିକ୍ଷାନୀତି-୨୦୨୦୨ର ଏକ ବଡ଼ କଥା ହେଉଛି ଭାରତୀୟ ଭାଷାକୁ ଶିକ୍ଷାର ମୂଳଧାରାରେ ସ୍ଥାନ ଦେବା । ବର୍ତ୍ତମାନ CUET ପରୀକ୍ଷା ୧୨ଟି ଭାରତୀୟ ଭାଷାରେ ହେଉଛି ଏବଂ ୨୪୨ଟି ବିଶ୍ୱବିଦ୍ୟାଳୟ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଭାରତୀୟ ଭାଷା ପୁସ୍ତକ ପରିଯୋଜନା ଓ ଅସ୍ମିତା ପଦକ୍ଷେପ ଅଧୀନରେ ୨୨ଟି ଭାରତୀୟ ଭାଷାରେ ୨୨,୦୦୦ରୁ ଅଧିକ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଉଛି ।

ଭାରତୀୟ ଜ୍ଞାନ ପ୍ରଣାଳୀ (IKS)କୁ ଉଚ୍ଚଶିକ୍ଷାର ମୂଳଧାରାରେ ସ୍ଥାନ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ୫,୫୦୦ରୁ ଅଧିକ ଇଣ୍ଟର୍ନସିପ୍ ପ୍ରଦାନ କରାଯାଇଥିବାବେଳେ IKS ଡିଭିଜନ ଓ ୟୁଜିସି ମିଶି ୧୨୦୦ ଅଧ୍ୟାପକଙ୍କ ଗ୍ରୁପ୍ ଓ ୩୦୦ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ୧୦,୦୦୦ ଫ୍ୟାକଲଟି ମେମ୍ବର ଓ ୧୦୦୦ ରିସର୍ଚ୍ଚ ସ୍କଲାରଙ୍କୁ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରହିଛି । ବେଦ ଓ ସଂସ୍କୃତ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ 'ମହାଋଷି ସନ୍ଦୀପନୀ ରାଷ୍ଟ୍ରୀୟ ବେଦ ସଂସ୍କୃତ ଶିକ୍ଷା ବୋର୍ଡ' ପ୍ରତିଷ୍ଠା କରାଯାଇଛି ।

୪. ସମାନ ସୁଯୋଗ ଓ ସର୍ବସମାବେଶୀ ଶିକ୍ଷା
ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଓ ପାଠପଢା ଅନୁକୂଳ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି । ୨୦୧୩-୧୪ରୁ ୨୦୨୫-୨୬ ମଧ୍ୟରେ ଡ୍ରପଆଉଟ୍ ହାରକୁ ପ୍ରାଥମିକ ଶିକ୍ଷା ସ୍ତରରେ ୪.୬୭%ରୁ ୦.୩% ଏବଂ ସେକେଣ୍ଡାରୀ ଶିକ୍ଷା ସ୍ତରରେ ୧୪.୫୪%ରୁ ୯.୫%କୁ ହ୍ରାସ ପାଇଛି । ଉଚ୍ଚ ଶିକ୍ଷାରେ ପଛୁଆବର୍ଗ (OBC) ନାମଲେଖା ୧.୧୩ କୋଟିରୁ ୧.୮୦ କୋଟି (୬୦.୨%) ଏବଂ OBC ମହିଳାଙ୍କ ନାମଲେଖା ୫୨.୩ ଲକ୍ଷରୁ ୯୦.୧ ଲକ୍ଷ, ଯାହାକି ୭୨%କୁ ବୃଦ୍ଧି ପାଇଛି । ବର୍ତ୍ତମାନ ମୋଟ ପଛୁଆବର୍ଗଙ୍କ ନାମଲେଖାର ଅଧା ମହିଳା ଅଟନ୍ତି ।

୫. ଡିଜିଟାଲ ଶିକ୍ଷାରେ ବଡ଼ ପଦକ୍ଷେପ
ଜାତୀୟ ଇ-ପୁସ୍ତକାଳୟ ସ୍ଥାପନ କରାଯାଇ ୨୨ଟି ଭାରତୀୟ ଭାଷାରେ ପୁସ୍ତକ ଉପଲବ୍ଧ କରାଯାଇଛି । ଏହାଦ୍ଵାରା ଯୁବବର୍ଗଙ୍କ ମଧ୍ୟରେ ଆଜୀବନ ପାଠପଢା ଅଭ୍ୟାସକୁ ପ୍ରୋତ୍ସାହିତ କରାଯାଇପାରିବ । CBSE ତୃତୀୟରୁ ଅଷ୍ଟମ ଶ୍ରେଣୀ ପାଇଁ କମ୍ପ୍ୟୁଟେସନାଲ୍ ଥିଙ୍କିଂ ଆଣ୍ଡ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (CT ଏବଂ AI) ପାଠ୍ୟକ୍ରମ ଆରମ୍ଭ କରି ସ୍କୁଲ ସ୍ତରରେ କୃତ୍ରିମ ବୁଦ୍ଧିମତା (AI) ଶିକ୍ଷାକୁ ସଂଗଠିତ ଭାବେ ଲାଗୁ କରିଛି ।

୬. ଦକ୍ଷତା ବିକାଶକୁ ମିଳିଲା ନୂଆ ଗତି
ଜାତୀୟ ଶିକ୍ଷାନୀତି-୨୦୨୦ରେ ଦକ୍ଷତା ବିକାଶ ଶିକ୍ଷାକୁ ବେଶ ଗୁରୁତ୍ଵ ଦିଆଯାଇ ଏହାର ଅଭୂତପୂର୍ବ ପ୍ରସାର ଘଟିଛି, ଯାହା ଭବିଷ୍ୟତର ନିଯୁକ୍ତି ଏବଂ ଉଦ୍ୟୋଗ ପାଇଁ ଛାତ୍ରଛାତ୍ରୀଙ୍କୁ ଯୋଗ୍ୟ କରିବା ପାଇଁ ସ୍କୁଲ ବେଳରୁ ପ୍ରସ୍ତୁତ କରାଯାଇପାରିବ । ସେହିପରି ନ୍ୟାସନାଲ କାଉନସିଲ୍ ଫର ଭୋକେସନାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ (NCVET) ଦ୍ୱାରା ଆରମ୍ଭ ହୋଇଥିବା ଏକ ଡିଜିଟାଲ ଏଣ୍ଟରପ୍ରାଇଜ୍ ପୋର୍ଟାଲ 'କୌଶଳବର୍ସ' (KaushalVerse)ରେ ୨୯ଟି ରାଜ୍ୟ ବୋର୍ଡ ପଞ୍ଜିକୃତ ହୋଇଥିବାବେଳେ ୯ଟି ବୋର୍ଡ ପୁରସ୍କାର ପ୍ରଦାନକାରୀ ଏବଂ ମୂଲ୍ୟାଙ୍କନ ସଂସ୍ଥା ହେବା ପ୍ରକ୍ରିୟାରେ ଅଛନ୍ତି ଏବଂ ୨ଟି ବୋର୍ଡ ସ୍ୱୀକୃତି ପାଇଛନ୍ତି।

ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର ଲକ୍ଷ୍ୟକୁ ସ୍ଥିର କରିବା ପାଇଁ ସହାୟତା କରିବା ଉଦ୍ଦେଶ୍ୟରେ ୨୯ ଜୁଲାଇ ୨୦୨୪ରେ ୫୦୦ଟି କ୍ୟାରିଅର ସମ୍ଵନ୍ଧୀୟ ଏକ ବୃତ୍ତିଗତ ମାର୍ଗଦର୍ଶନ ପୁସ୍ତକ ଉଭୟ ମୂଦ୍ରିତ ଓ ଡିଜିଟାଲ୍ ମାଧ୍ୟମରେ ପ୍ରକାଶ ପାଇଥିଲା । ଏହା ସହିତ ସେହି ଦିନ ହିଁ '୧୦ ବ୍ୟାଗ୍-ମୁକ୍ତ ଦିବସ' (Bagless Days) ପାଇଁ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଥିଲା । ଜାତୀୟ ଆପ୍ରେଣ୍ଟିସ୍‌ସିପ୍ ପ୍ରଶିକ୍ଷଣ ଯୋଜନା (NATS) ଅଧୀନରେ ଗତ ୫ ବର୍ଷରେ ୧୨.୯୪ ଲକ୍ଷ ଟ୍ରେନିଙ୍କୁ ସୁଯୋଗ ମିଳିଛି । କେବଳ ଆର୍ଥିକ ବର୍ଷ ୨୦୨୪–୨୫ରେ ୫.୨୩ ଲକ୍ଷ ଟ୍ରେନି ଯୋଗ ଦେଇଥିଲେ ।

୭. ଜାତୀୟ ସାକ୍ଷରତା ହାର ବୃଦ୍ଧି
ସରକାର ଦେଶରେ ସାକ୍ଷରତା ହାର ବୃଦ୍ଧି କରିବାକୁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ତେବେ ମୋଦି ସରକାରଙ୍କ ନିରନ୍ତର ସାକ୍ଷରତା ପ୍ରୟାସର ପ୍ରଭାବକୁ ପ୍ରତିଫଳିତ କରି'ପିରିୟଡିକ୍ ଲେବର୍ ଫୋର୍ସ ସର୍ଭେ' (PLFS) ୨୦୨୫ ରିପୋର୍ଟ ଦର୍ଶାଏ ଯେ ଭାରତର ସାମଗ୍ରିକ ସାକ୍ଷରତା ହାର (ଗ୍ରାମୀଣ ଓ ସହରାଞ୍ଚଳ ମିଳିତ ଭାବେ) ୨୦୧୧ ଜନଗଣନାର ୭୪.୦୪% ତୁଳନାରେ ବୃଦ୍ଧି ପାଇ ୮୧.୧%ରେ ପହଞ୍ଚିଛି, ଯାହା ସାରା ଦେଶରେ ଶିକ୍ଷାଗତ ଉନ୍ନତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ସୂଚିତ କରିଥାଏ ।

୮. ଗବେଷଣା ଓ ନବସୃଜନ
ଉଚ୍ଚମାନର ଗବେଷଣାକୁ ସମସ୍ତଙ୍କ ପାଇଁ ସୁଲଭ କରିବା ଲକ୍ଷ୍ୟରେ, ସରକାର 'ୱାନ୍ ନେସନ୍ ୱାନ୍ ସବସ୍କ୍ରିପସନ୍' (ONOS) କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଥିପାଇଁ ୨୦୨୫-୨୦୨୭ ପାଇଁ ୬,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଯାହା ଦେଶବ୍ୟାପୀ ଗବେଷକ, ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଅନ୍ତର୍ଜାତୀୟ ପତ୍ରିକା ଓ ଡାଟାବେସ୍‌ଗୁଡ଼ିକର ବ୍ୟବହାର ସୁବିଧା ସୁନିଶ୍ଚିତ କରିବ ।

୯. ବିଶ୍ଵସ୍ତରୀକରଣ
ଜାତୀୟ ଶିକ୍ଷା ନୀତି ୨୦୨୦ର ଦୃଷ୍ଟିକୋଣ ଭାରତ ଉଚ୍ଚଶିକ୍ଷା ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ଉଭା ହେଉଛି । ଭାରତର ବୃଦ୍ଧି ପାଉଥିବା ଶିକ୍ଷାଗତ ଉତ୍କର୍ଷତା ବିଶ୍ୱସ୍ତରୀୟ ମାନ୍ୟତାରେ କ୍ରମାଗତ ଭାବେ ପ୍ରତିଫଳିତ ହେଉଛି । 'QS ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ୍‌ସ୍ ୨୦୨୭'ରେ ୫୨ଟି ଭାରତୀୟ ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛି । ଏଠି ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ୨୦୧୫ ମସିହାରେ ଏହି ସଂଖ୍ୟା ମାତ୍ର ୧୧ ଥିଲା । ଏହି ଉଲ୍ଲେଖନୀୟ ବୃଦ୍ଧି ବିଶ୍ୱସ୍ତରରେ ଭାରତର ଉଚ୍ଚଶିକ୍ଷା ବ୍ୟବସ୍ଥାର ଦ୍ରୁତ ଅଗ୍ରଗତିକୁ ପ୍ରମାଣିତ କରେ ।

ଜାତୀୟ ଶିକ୍ଷା ନୀତି ୨୦୨୦କୁ ମୂଳସ୍ତରରେ ସଫଳ ଭାବେ କାର୍ଯ୍ୟକାରୀ କରିବା, ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା, ପ୍ରଯୁକ୍ତି, ଭାରତୀୟ ଭାଷା, ଦକ୍ଷତା ବିକାଶ, ଗବେଷଣା ଓ ବିଶ୍ୱସ୍ତରୀୟ ମାନଦଣ୍ଡକୁ ଆଗେଇ ନେବାରେ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ ଭାରତର ଶିକ୍ଷା ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ପରିଗଣିତ ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored