Videos
|
National

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନକୁ କ୍ୟାବିନେଟ୍ ମଞ୍ଜୁରୀ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନକୁ କ୍ୟାବିନେଟ୍ ମଞ୍ଜୁରୀ

Key Points

  • ଆଦିବାସୀଙ୍କ କଲ୍ୟାଣ ପାଇଁ ମୋଦି ସରକାରଙ୍କ ମେଗା ପ୍ଲାନ୍
  • ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନକୁ କ୍ୟାବିନେଟ୍ ମଞ୍ଜୁରୀ
  • ପ୍ରାୟ 80,000 କୋଟି ଟଙ୍କାରେ ହେବ ବିକାଶ ମୂଳକ କାମ
  • ଉପକୃତ ହେବେ 63,000 ଜନଜାତି ବହୁଳ ଗାଁର 5 କୋଟିରୁ ଅଧିକ ଆଦିବାସୀ
  • ଭିତ୍ତିଭୂମି, ଶିକ୍ଷା, ସ୍ବାସ୍ଥ୍ୟ ଓ ଆର୍ଥିକ ବିକାଶ ଉପରେ ରହିବ ଗୁରୁତ୍ବ

ଅର୍ଗସ ବ୍ୟୁରୋ : ଆଦିବାସୀଙ୍କ ଉନ୍ନତି ଉପରେ ମୋଦି ସରକାରଙ୍କ ଫୋକସ୍ । ଆଦିବାସୀ ବହୁଳ ଅଞ୍ଚଳରେ ବିକାଶ ମୂଳକ କାମକୁ ଗତି ଦେବାକୁ ଆରମ୍ଭ ହେଉଛି ବଡ଼ ଯୋଜନା । ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନକୁ ମିଳିଛି ମୋଦି କ୍ୟାବିନେଟର ମଞ୍ଜୁରୀ। ଆଦିବାସୀଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିରେ ସୁଧାର ପାଇଁ ମୋଟ 79,156 କୋଟିର ବ୍ୟୟବରାଦ କରାଯାଇଛି। ଆଦିବାସୀ ବହୁଳ ଗାଁ ଏବଂ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଆଦିବାସୀ ସମ୍ପ୍ରଦାୟ ଓ ପରିବାରଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ପାଇଁ ବହୁ ପଦକ୍ଷେପ ନିଆଯିବ। ଗତ ବଜେଟରେ ଘୋଷଣା ଅନୁସାରେ ଦେଶର 63,000 ଗାଁର 5 କୋଟିରୁ ଅଧିକ ଆଦିବାସୀ ଏହି ଯୋଜନାରୁ ଲାଭବାନ ହେବେ। ଦେଶର ମୋଟ 549ଟି ଜିଲ୍ଲାର 2,740ଟି ବ୍ଲକରେ ଥିବା ଆଦିବାସୀ ବହୁଳ ଗାଁରେ ଯୋଜନା କାର୍ଯ୍ୟକାରୀ କରାଯିବ। 

 2011 ଜନଗଣନା ଅନୁସାରେ ଦେଶରେ ମୋଟ 705ଟି ଆଦିବାସୀ ସମ୍ପ୍ରଦାୟ ରହିଛନ୍ତି ଏବଂ ଆଦିବାସୀଙ୍କ ମୋଟ ଜନସଂଖ୍ୟା 10 କୋଟି 45 ଲକ୍ଷ, ଯେଉଁମାନେ ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ରହନ୍ତି। ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ ମାଧ୍ୟମରେ ଭାରତ ସରକାରଙ୍କ 17ଟି ମନ୍ତ୍ରାଳୟ କାମ କରିବେ। ଆଗାମୀ 5 ବର୍ଷ ପାଇଁ ମୁଖ୍ୟତଃ 4ଟି ଲକ୍ଷ୍ୟ ହାସଲ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।

ଅଧିକ ପଢନ୍ତୁ : ସାରା ଦେଶରେ ଏକାସାଙ୍ଗରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ

1 . ଭିତ୍ତିଭୂମି ନିର୍ମାଣ – ଆଦିବାସୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର, ଜଳଜୀବନ ମିଶନ ଅଧୀନରେ ଟ୍ୟାପ୍ ଯୋଗେ ପାନୀୟ ଜଳ ଯୋଗାଣ ସହ ଆୟୁଷ୍ମାନ ଭାରତ କାର୍ଡ ଯୋଗାଇ ଦିଆଯିବ। ଆଦିବାସୀ ବହୁଳ ଗାଁ ଗୁଡ଼ିକୁ ସବୁଦିନିଆ ରାସ୍ତା ସହ ମୋବାଇଲ୍ ଓ ଇଣ୍ଟରନେଟ୍ ସଂଯୋଗର ବ୍ୟବସ୍ଥା ରହିବ। ଜାତୀୟ ସ୍ବାସ୍ଥ୍ୟ ମିଶନ, ସମଗ୍ର ଶିକ୍ଷା ଓ ପୋଷଣ ଯୋଜନାରେ ସ୍ବାସ୍ଥ୍ୟ, ଶିକ୍ଷା ଭିତ୍ତିଭୂମିର ବିକାଶ କରାଯିବ। 
2. ଆର୍ଥିକ ସଶକ୍ତୀକରଣ – ଦଶମ ଓ ଦ୍ବାଦଶ ପାସ୍ କରୁଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସ୍କିଲ୍ ଇଣ୍ଡିଆ ମିଶନ ଅଧୀନରେ ଦିଆଯିବ ଦକ୍ଷତା ବିକାଶ ତାଲିମ। ବହୁମୁଖୀ ଆଦିବାସୀ ବଜାର କେନ୍ଦ୍ର ମାଧ୍ୟମରେ ଆଦିବାସୀଙ୍କ ଉତ୍ପାଦର ମାର୍କେଟିଂ ପାଇଁ ସହାୟତା, ଆଦିବାସୀ ବହୁଳ ଅଞ୍ଚଳରେ ପର୍ଯ୍ୟଟନ, କୃଷି, ପଶୁ ଓ ମତ୍ସ୍ୟପାଳନ ଦିଗରେ ସହାୟତା ଦିଆଯିବ।
3 . ଶିକ୍ଷା – ଆଦିବାସୀ ପିଲାଙ୍କୁ ସ୍କୁଲ ଓ କଲେଜ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନର ବ୍ୟବସ୍ଥା ସହ ସମଗ୍ର ଶିକ୍ଷା ଅଭିଯାନ ଅଧୀନରେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଜନଜାତି ହଷ୍ଟେଲ୍ ପ୍ରତିଷ୍ଠା କରାଯିବ।
4. ସ୍ବାସ୍ଥ୍ୟ – ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ଆଦିବାସୀ ବହୁଳ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ଅପହଞ୍ଚ ଅଞ୍ଚଳ ଗୁଡ଼ିକ ପାଇଁ ମୋବାଇଲ୍ ହେଲ୍ଥ ୟୁନିଟର ବ୍ୟବସ୍ଥା କରାଯିବ।
ନୀତି ଆୟୋଗ ଦ୍ବାରା ଚିହ୍ନଟ ତଥା କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଜିଲ୍ଲା ତାଲିକାରେ ଥିବା ରାଜ୍ୟର 10 ଜିଲ୍ଲାରେ ଏହି ଯୋଜନାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯିବ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Modi government's mega plan for tribal welfare | Argus News Odia