ମୋଦି କହିଲେ, ନିବେଶରୁ ଚାକିରି ଆମ ଲକ୍ଷ୍ୟ, ସଂକଳ୍ପ ପତ୍ର ଯୁବ ଭାରତର ଆକାଂକ୍ଷାର ପ୍ରତିବିମ୍ବ

ଅର୍ଗସ ବ୍ୟୁରୋ : ଦେଶ ସ୍ବାଧୀନତା ପୂର୍ତ୍ତିର ୧୦୦ ବର୍ଷ, ୨୦୪୭ ସୁଦ୍ଧା ଗଠନ ହେବ ବିକଶିତ ଭାରତ । ଏହି ଲକ୍ଷ୍ୟ ପ୍ରାପ୍ତି ଉଦ୍ଦେଶ୍ୟରେ ଭାରତୀୟ ଜନତା ପାର୍ଟି ଜାରି କରିଛି ସଂକଳ୍ପ ପତ୍ର । ନୂଆଦିଲ୍ଲୀସ୍ଥିତ ବିଜେପି ଜାତୀୟ କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତୃବୃନ୍ଦ, କର୍ମୀ ଓ ସରକାରୀ ଯୋଜନାର ଲାଭାର୍ଥୀଙ୍କ ଗହଣରେ ୨୦୨୪ ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିରେ ଦେଶବାସୀଙ୍କ ଜୀବନ ଧାରଣ ମାନ ଉନ୍ନତ କରିବା ଉପରେ ଦିଆଯାଇଛି ଗୁରୁତ୍ବ । ଫୋକସରେ ରହିଛନ୍ତି ଦେଶର ଚାରି ବର୍ଗ ଗରିବ, ମହିଳା, ଯୁବକ ଓ କୃଷକ ।
ବିଜେପି ସଂକଳ୍ପ କରିଛି ଆଗାମୀ ୫ ବର୍ଷରେ ଦେଶର ସବୁ ଘରେ ପହଞ୍ଚିବ ଟ୍ୟାପ୍ ପାଣି । ପାଇପ୍ ଯୋଗେ ଯୋଗାଇ ଦିଆଯିବ ରୋଷେଇ ଗ୍ୟାସ୍ । ଦେଶରେ ଜାତୀୟ ସର୍ବନିମ୍ନ ବେତନର ସମୀକ୍ଷା କରାଯିବ । ଏମଏସପିରେ କରାଯିବ ବୃଦ୍ଧି । ଟେକ୍ନୋଲୋଜି ଶିକ୍ଷାରେ ଆଗୁଆ ହୋଇଛନ୍ତି ମହିଳା । ଦେଶରେ ବନିବେ ୩ କୋଟି ଲକ୍ଷପତି ଦିଦି । ମହିଳା କ୍ରୀଡ଼ାବିତଙ୍କ ପାଇଁ ଆସିବ ସ୍ବତନ୍ତ୍ର ଯୋଜନା । ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସଂକଳ୍ପ ପତ୍ର ଯୁବ ଆକାଂକ୍ଷାର ପ୍ରତିବିମ୍ବ ।
ଜାତୀୟ ଶିକ୍ଷା ନୀତି ଅଧୀନରେ ଏକୀକୃତ ଶିକ୍ଷା ପ୍ରଣାଳୀ ବିକଶିତ କରାଯିବ । ଷ୍ଟାର୍ଟଅପ୍ କ୍ଷେତ୍ରରେ ଭାରତକୁ ଏକ ପ୍ରମୁଖ ଓ ପସନ୍ଦଯୋଗ୍ୟ କେନ୍ଦ୍ର କରାଯିବାକୁ ବିଜେପି ନେଇଛି ସଂକଳ୍ପ । ଷ୍ଟାର୍ଟଅପ୍ ଇଣ୍ଡିଆ ସିଡ୍ ଫଣ୍ଡ ଯୋଜନା ଓ ଷ୍ଟାର୍ଟଅପ୍ କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନାର ବିସ୍ତାର କରାଯିବ, ଯାହା ଫଳରେ ଷ୍ଟାର୍ଟଅପ୍ ପାଇଁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଣ ହୋଇପାରିବ ସୁନିଶ୍ଚିତ । ମୋଦି କହିଛନ୍ତି ଆମର ଲକ୍ଷ୍ୟ-ନିବେଶରୁ ନିଯୁକ୍ତି ।
📱 Get Argus News App
✨ଅଧିକ ପଢନ୍ତୁ ଭାରତ ଖବର
ଅନ୍ୟପଟେ ବିଜେପିର ଘୋଷଣା ପତ୍ରକୁ ସମାଲୋଚନା କରିଛି କଂଗ୍ରେସ । ସୋସିଆଲ ମିଡିଆରେ ରାହୁଲ ଗାନ୍ଧି ଲେଖିଛନ୍ତି ବିଜେପି ଇସ୍ତାହାରରୁ ଦୁଇଟି ଶବ୍ଦ ଗାଏବ ଅଛି, ତାହା ହେଲା ମହଙ୍ଗାଇ ଓ ବେରୋଜଗାରୀ । ଲୋକଙ୍କ ଜୀବନ ସହ ଜଡ଼ିତ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଚାହୁଁନାହିଁ ବିଜେପି । ଏହାର କଡ଼ା ଜବାବ ରଖିଛି ବିଜେପି । ବିଜେପି ସଂକଳ୍ପ ପତ୍ରରେ କ୍ଷେତରୁ ନେଇ ରାସ୍ତା, ଅଲିମ୍ପିକ ଆୟୋଜନରୁ ନେଇ ବୁଲେଟ୍ ଟ୍ରେନ୍ ନେଟୱର୍କ ପ୍ରତିଷ୍ଠା ଉପରେ ଦିଆଯାଇଛି ଗୁରୁତ୍ବ ।