Videos
|
National

Mohan Bhagwat in USA / ଆମେରିକାରେ ବସୁଧୈବ କୁଟୁମ୍ବକମ ବାର୍ତ୍ତା ଦେଲେ RSSର ସରସଂଘଚାଳକ ମୋହନ ଭାଗବତ

Bikash Mohanty
Browse all articles by Bikash Mohanty
·44 mins ago·3 min read
ଆମେରିକାରେ ବସୁଧୈବ କୁଟୁମ୍ବକମ ବାର୍ତ୍ତା ଦେଲେ RSSର ସରସଂଘଚାଳକ ମୋହନ ଭାଗବତ
Mohan Bhagbat

Key Points

ଆମେରିକାରେ RSSର ସରସଂଘଚାଳକଙ୍କ ମୋହନ ଭାଗବତ
ନ୍ୟୁୟର୍କରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲେ 
କହିଲେ 'ଏକତା ଏବଂ ବିବିଧତା ଆମ ଡିଏନଏରେ ଅଛି'
ନ୍ୟୁୟର୍କ.୩୦/୦୮: ଆମେରିକାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକଙ୍କ ମୋହନ ଭାଗବତ । ନ୍ୟୁୟର୍କ ସହରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଏକତା ଏବଂ ବିବିଧତା ଭାରତ ଏବଂ ଆମେରିକା ଉଭୟ ଦେଶର ଡିଏନଏରେ ରହିଛି। 'ଆମେରିକନ ହିନ୍ଦୁଜ୍ ଫର ଏଙ୍ଗେଜମେଣ୍ଟ ଆଣ୍ଡ ଡାଏଲଗ୍' (AHEAD) ନାମକ ଏକ ସଂଗଠନ ଦ୍ୱାରା ମାଡିସନ୍ ସ୍କୋୟାର ଗାର୍ଡେନରେ ଆୟୋଜିତ 'ୟୁନିଭର୍ସାଲ ଓନେସ୍ ସେଲିବ୍ରେସନ୍' ଶୀର୍ଷକ କାର୍ଯ୍ୟକ୍ରମରେ ସେ ଯୋଗଦେଇ ଏହା କହିଛନ୍ତି। 

ମୁସଲମାନମାନଙ୍କ ସହ ହୋଇଥିବା ଆଲୋଚନାକୁ ମନେ ପକାଇ ଭାଗବତ କହିଛନ୍ତି ଯେ ଯଦି କୌଣସି ହିନ୍ଦୁ ଚିନ୍ତା କରେ ଯେ ଭାରତରେ କୌଣସି ମୁସଲମାନ ରହିବା ଉଚିତ୍ ନାହିଁ, ତେବେ ସେ ହିନ୍ଦୁ ହୋଇ ରହିବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆରଏସଏସ୍ କର୍ମୀମାନେ ୧୯୯୬ ମସିହାର ଚରଖୀ ଦାଦ୍ରୀ ବିମାନ ଦୁର୍ଘଟଣା ସମୟରେ ଧର୍ମ ନ ଦେଖି ସମସ୍ତ ମୃତାହତଙ୍କୁ ସହାୟତା କରିଥିଲେ। ନ୍ୟୁୟର୍କରୁ ଆରଏସ୍‌ଏସ୍‌ ସର ସଂଘଚାଳକ ମୋହନ ଭାଗବତ ବିଶ୍ବକୁ ଗୋଟିଏ ପରିବାର ବୋଲି କହିଛନ୍ତି ।

ସେ କହିଛନ୍ତି ରାଷ୍ଟ୍ରଗୁଡ଼ିକ କେବଳ ଭୌଗଳିକ କ୍ଷେତ୍ର ନୁହେଁ। ଏହି ବିଶ୍ୱର ସୃଷ୍ଟିରେ ରାଷ୍ଟ୍ରମାନଙ୍କର କିଛି କର୍ତ୍ତବ୍ୟ ରହିଛି। ବିବିଧତାକୁ ସମ୍ମାନ ଦିଆଯିବା ଉଚିତ୍, ଗ୍ରହଣ କରାଯିବା ଉଚିତ୍ ଏବଂ ଉତ୍ସବ ଭାବରେ ପାଳନ କରାଯିବା ଉଚିତ୍। ପଶୁ ଏବଂ ମନୁଷ୍ୟଙ୍କ ମଧ୍ୟରେ ପାର୍ଥକ୍ୟ ବର୍ଣ୍ଣନା କରି ସେ କହିଛନ୍ତି ଯେ କେବଳ ମନୁଷ୍ୟମାନେ ଚିନ୍ତା କରିପାରିବେ ଏବଂ ଭବିଷ୍ୟତ ପାଇଁ ଯୋଜନା କରିପାରିବେ। ଯଦି ଆମେ ସଠିକ୍ ଭାବେ ଚିନ୍ତା କରିବା, ତେବେ ଆମେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା ଏବଂ ଯଦି ଭୁଲ୍ ଭାବେ ଚିନ୍ତା କରିବା, ତେବେ ପଶୁଜଗତ ନିକଟବର୍ତ୍ତୀ ହେବା।

ପଢନ୍ତୁ ଏହି ଖବର: RSS ସରସଂଘଚାଳକଙ୍କ ବଡ଼ ବୟାନ, ପ୍ରତିବାଦ ଗଣତାନ୍ତ୍ରିକ ଉପାୟରେ ହେବା ଉଚିତ୍

ଭାଗବତ କହିଥିଲେ ଯେ ଭାରତ ପ୍ରବାସୀ ଭାରତୀୟଙ୍କ ଜନ୍ମଭୂମି ହୋଇଥିବାରୁ ଏହା ପ୍ରତି ସ୍ନେହ ଓ ସମ୍ପର୍କ ସ୍ୱାଭାବିକ। କିନ୍ତୁ ନିଜ କର୍ମଭୂମି ପ୍ରତି କର୍ତ୍ତବ୍ୟ ପାଳନ କରିବା ପରେ ଭାରତ ପାଇଁ କିଛି କରିବାର ଇଚ୍ଛା ଥିଲେ ତାହା ସ୍ୱାଗତଯୋଗ୍ୟ, ଯଦିଓ ଏହା କୌଣସି ବାଧ୍ୟତା ନୁହେଁ। ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧ ମାନବଜୀବନକୁ ସ୍ଥାୟୀ ଓ ସନ୍ତୁଳିତ କରିବାର ଏକ ମଡେଲ ବୋଲି ସେ ମତ ପ୍ରକାଶ କରିଥିଲେ।

ସେ ଆହୁରି କହିଥିଲେ ଯେ ଜଣେ ବ୍ୟକ୍ତି ଜନ୍ମଭୂମି କିମ୍ବା କର୍ମଭୂମି ତାଙ୍କ ପାଇଁ କ’ଣ କରିଛି ବୋଲି ପ୍ରଶ୍ନ କରିବା ପରିବର୍ତ୍ତେ, ସମାଜ ପ୍ରତି ନିଜର ଋଣକୁ ସ୍ମରଣ କରିବା ଉଚିତ। ଆମକୁ ଶରୀର ଓ କ୍ଷମତା ଦେଇଥିବା ପିତାମାତା, ଖାଦ୍ୟ ଯୋଗାଉଥିବା ଚାଷୀ, ବିଭିନ୍ନ ସାମଗ୍ରୀ ଉତ୍ପାଦନ କରୁଥିବା ଶ୍ରମିକ ଓ ଅନ୍ୟାନ୍ୟ ଲୋକଙ୍କ ପ୍ରତି ଆମେ ଋଣୀ ବୋଲି ସେ କହିଥିଲେ। ପରିବେଶ ଓ ଜଗତ ପ୍ରତି ମଣିଷର ଦାୟିତ୍ୱ ଉପରେ ମଧ୍ୟ ଭାଗବତ ଗୁରୁତ୍ୱାରୋପ କରିଥିଲେ। ସେ ଯୁଭାଲ ନୋଆ ହାରାରିଙ୍କ Sapiens ପୁସ୍ତକକୁ ଉଲ୍ଲେଖ କରି କହିଥିଲେ ଯେ ପ୍ରକୃତିରୁ ଆମେ ଅନେକ କିଛି ଗ୍ରହଣ କରୁଛୁ। ତେଣୁ ଜଗତ ଓ ପ୍ରକୃତି ପ୍ରତି ଆମର ଋଣ ଶୁଝିବା ମଧ୍ୟ ଆବଶ୍ୟକ।

ଜୀବନକୁ ସ୍ଥାୟୀ ଓ ଉତ୍ତମ କରିବା ପାଇଁ ସେ ‘ସଂକଳ୍ପ’ ନେବାକୁ ଆହ୍ୱାନ ଦେଇଥିଲେ। ଛୋଟ ଛୋଟ ପଦକ୍ଷେପରୁ ପରିବର୍ତ୍ତନର ଆରମ୍ଭ କରିବା ଏବଂ ପ୍ରଥମେ ନିଜ ଜୀବନରେ ତାହାକୁ ପାଳନ କରି ପରେ ସମାଜ ପର୍ଯ୍ୟନ୍ତ ପହଞ୍ଚାଇବା ଉପରେ ସେ ଜୋର ଦେଇଥିଲେ। ‘ପଞ୍ଚ ପରିବର୍ତ୍ତନ’ କାର୍ଯ୍ୟକ୍ରମକୁ ଏହି ଦିଗରେ ଆଗେଇ ନେବାକୁ ସେ ସ୍ୱୟଂସେବକମାନଙ୍କୁ ଆହ୍ୱାନ କରିଥିଲେ। ରାଷ୍ଟ୍ର ଗଠନ ସମ୍ପର୍କରେ ସେ କହିଥିଲେ ଯେ କେବଳ ଭୌଗୋଳିକ ଭୂଖଣ୍ଡ ଏକ ରାଷ୍ଟ୍ର ନୁହେଁ। ଏକ ସାମୂହିକ ଚେତନା, ସଂସ୍କୃତି, କର୍ତ୍ତବ୍ୟବୋଧ ଓ ଲୋକଙ୍କ ଏକତା ହିଁ ରାଷ୍ଟ୍ରକୁ ଗଢ଼ିଥାଏ। ଭାରତୀୟ ଭାବେ ନିଜ ଭାଗ୍ୟ ଓ ଦାୟିତ୍ୱ ପ୍ରତି ସଚେତନ ହୋଇ ଜନ୍ମଭୂମି ଏବଂ କର୍ମଭୂମି ଉଭୟ ପ୍ରତି କର୍ତ୍ତବ୍ୟ ପାଳନ କରିବାକୁ ସେ ଆହ୍ୱାନ ଦେଇଥିଲେ। ପ୍ରବାସୀ ସଦସ୍ୟମାନଙ୍କ ଦ୍ୱାରା ରକ୍ଷୀ ବାନ୍ଧିବା କାର୍ଯ୍ୟକ୍ରମ ପରେ ଭାଗବତ ‘ଏକତାରେ ଏକତା’ର ବାର୍ତ୍ତା ଦେଇ ନିଜ ସମ୍ବୋଧନ ଶେଷ କରିଥିଲେ।

ନ୍ୟୁୟର୍କର ପ୍ରସିଦ୍ଧ ମ୍ୟାଡିସନ୍ ସ୍କୋୟାର ଗାର୍ଡେନ୍‌ରେ ‘ବସୁଧୈବ କୁଟୁମ୍ବକମ୍’ ନୀତିକୁ ଆଧାର କରି ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ୩୯ଟି ଆମେରିକୀୟ ରାଜ୍ୟରୁ ପ୍ରାୟ ୫ ହଜାରରୁ ଅଧିକ ପ୍ରବାସୀ ଭାରତୀୟ ସାମିଲ ହୋଇଥିଲେ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: