Videos
|
National

ଦିଲ୍ଲୀରେ ମମତାଙ୍କୁ ଭେଟି ସମାଧାନ ପାଇଁ ଆଲୋଚନା କଲେ ମୋହନ ମାଝୀ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଦିଲ୍ଲୀରେ ମମତାଙ୍କୁ ଭେଟି ସମାଧାନ ପାଇଁ  ଆଲୋଚନା କଲେ ମୋହନ ମାଝୀ

ଅର୍ଗସ ବ୍ୟୁରୋ:  ଓଡ଼ିଶା ବଜାରରେ ଆଳୁ ସଙ୍କଟ । ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ଉପରେ ହିଁ ନିର୍ଭରଶୀଳ ଓଡ଼ିଶା। କିନ୍ତୁ ଓଡ଼ିଶାକୁ ଆଳୁ ଆସିବା ବାଟରେ ପ୍ରତିବନ୍ଧକ ସାଜିଛନ୍ତି ପଶ୍ଚିମବଙ୍ଗର ମମତା ସରକାର। ଇଏ ହେଉଛି ତାର ପ୍ରମାଣ। ଓଡ଼ିଶା-ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଜଳେଶ୍ବର ଲକ୍ଷ୍ମଣନାଥ ନିକଟ ଜାତୀୟ ରାଜପଥରେ ଓଡ଼ିଶା ମୁହାଁ ଟ୍ରକ୍ ସବୁ ଚେକିଂ କରୁଛି ପଶ୍ଚିମବଙ୍ଗ ପୋଲିସ। ଆଳୁ ଟ୍ରକ୍ ସବୁକୁ ଫେରାଇ ଦିଆଯାଉଛି । ପୋଲିସ କହୁଛି ଆଳୁ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ, ଓଡ଼ିଶା ଯିବନି ଆଳୁ। ଗତକାଲି ଯେଉଁ ସ୍ଥାନରେ ଧାଡ଼ି ଧାଡ଼ି କରି ଛିଡ଼ା ହୋଇଥିଲେ ଆଳୁ ଟ୍ରକ୍ ଆଜି ସେହି ସ୍ଥାନ ଖାଲି।

ପଶ୍ଚିମବଙ୍ଗ ବଜାରରେ ବି ଆଳୁ ଦର ଆକାଶ ଛୁଆଁ । ଦାମ୍ 50 ଟଙ୍କା ପାର୍। ଏପଟେ ନିଜସ୍ବ ଉଦ୍ୟମରେ ଲୁଚା ଛପାରେ ବ୍ୟବସାୟୀମାନେ ଓଡ଼ିଶାକୁ କିଛି କିଛି ଆଳୁ ଆଣୁଛନ୍ତି ।  କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ। ସେପଟେ ଆଳୁଦର ନିୟନ୍ତ୍ରଣ ପାଇଁ ଆକ୍ସନ ମୁଡରେ ମୋହନ ସରକାର। ନୀତି ଆୟୋଗ ବୈଠକ ପାଇଁ ଦିଲ୍ଲୀରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଳୁ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି । ରାଜ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗ ସରକାରଙ୍କ ଆଲୋଚନା ପରେ ଆଳୁ ଟ୍ରକ ଆସୁଛି । ପୁଣି ଉତ୍ତର ପ୍ରଦେଶରୁ ବି ଆଳୁ ମଗାଯାଇଛି । ଏଣୁ ରାଜ୍ୟରେ ଦିନେ ଦୁଇ ଦିନ ଖସିଯିବ ଆଳୁ ଦର । ଅସାଧୁ ବ୍ୟବସାୟୀ, ମହଜୁଦକାରୀ ଓ କଳାବଜାରୀଙ୍କୁ ସାବାଡ଼ କରିବାକୁ ଖୋଦ ଯୋଗାଣ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି।

 ଆଳୁ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଜୋରଦାର ଉଦ୍ୟମ। କିନ୍ତୁ ପ୍ରଶ୍ନ ହେଲା ଓଡ଼ିଶାରେ କାହିଁକି ଏ ସମସ୍ୟା ? କାହିଁକି ପ୍ରତିବର୍ଷ ଆଳୁଦର ଯୋଗୁଁ ହନ୍ତସନ୍ତ ଖାଉଟି ? ଆଳୁ ମାମଲାରେ କାହିଁ ଓଡ଼ିଶାକୁ ନାଲି ଆଖି ଦେଖାଉଛି ପଶ୍ଚିମବଙ୍ଗ ? କାହିଁକି ଆଳୁ ଉତ୍ପାଦନରେ ଏଯାଏଁ ଆତ୍ମନିର୍ଭରଶୀଳ ହୋଇନାହିଁ ଆତ୍ମନିର୍ଭରଶୀଳ ? ପ୍ରକୃତରେ ଗତ ବିଜେଡି ସରକାରର ଅପାରଗତା ଓ ବିଫଳତାର ପରିଣାମ ଭୋଗୁଛନ୍ତି ରାଜ୍ୟବାସୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସିଏଜି ରିପୋର୍ଟ ବି ବିଫଳ ଆଳୁ ମିଶନ ନେଇ ନବୀନ ସରକାରର ଅସଲ ମୁଖା ଖୋଲିଛି । ୨୦୧୫-୧୬ରେ ଆଳୁ ମିଶନ ପାଇଁ ୫୦ କୋଟି ମଞ୍ଜୁର ହୋଇଥିବା ବେଳେ ଖର୍ଚ୍ଚ ହୋଇଥିଲା ମାତ୍ର ୨୪.୦୫ କୋଟି ଟଙ୍କା ଅର୍ଥାତ୍ ୫୦ ପ୍ରତିଶତ ଅର୍ଥ ବି ଖର୍ଚ୍ଚ କରି ନ ଥିଲେ ସରକାର । ସେହିପରି ୨୦୧୬-୧୭ରେ ୬୦ କୋଟି ଟଙ୍କା ବଜେଟରେ ଦିଆଯାଇଥିଲେ ବି ମାତ୍ର ୧୫ କୋଟି ଟଙ୍କା କୃଷି ନିର୍ଦ୍ଦେଶାଳୟକୁ ଦିଆଯାଇଥିଲା । ଯେଉଁଥିରୁ ମାତ୍ର୨ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ୨୦୧୭-୧୮ରେ ୨୦ କୋଟି ଟଙ୍କା ବଜେଟରେ ପ୍ରାବଧାନ କରାଯାଇଥିବା ବେଳେ ଟଙ୍କାଟିଏ ବି ଖର୍ଚ୍ଚ ହୋଇପାରି ନ ଥିଲା । ସେହିପରି ଅମଳ ବେଳେ ଶୀତଳ ଭଣ୍ଡାର ଅଭାବ ଯୋଗୁଁ ଓଡ଼ିଆ ଚାଷୀ କମ ଟଙ୍କାରେ ଆଳୁ ବିକି ଅଧିକ ଟଙ୍କାରେ କିଣୁଛନ୍ତି। ୨୪ ବର୍ଷ ବିଜେଡି ସରକାର ସମୟରେ ୧୦୦ ରୁ ଅଧିକ ଶୀତଳ ଭଣ୍ଡାର ଅଚଳ ହୋଇଛି । କିନ୍ତୁ ନୂଆ ଶୀତଳ ଭଣ୍ଡାର ଖୋଲିବା କିମ୍ବା ଅଚଳକୁ ସଚଳ କରିବା ଲାଗି କୌଣସି ପଦକ୍ଷେପ ନେଇନଥିଲେ ପୂର୍ବର ବିଜେଡି ସରକାର। ଯାହାର ଫଳ ଆଜି ଲୋକେ ଭୋଗୁଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Mohan Majhi meets Mamata in Delhi and discussed the solution | Argus News