Mumbai Bomb Threat / ମୁମ୍ବାଇରେ ପୁଣି ବୋମା ଧମକ ! ଅମିତାଭ ବଚ୍ଚନଙ୍କ ଘର ଓ ବିମାନବନ୍ଦରକୁ ଟାର୍ଗେଟ୍
·1 hour ago·3 min read

Key Points
ମୁମ୍ବାଇରେ ପୁଣି ବୋମା ଧମକ
ଅମିତାଭ ବଚ୍ଚନଙ୍କ ‘ଜଲସା’
ଏୟାରପୋର୍ଟ ଓ ମେୟରଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ୍
ଅମିତାଭ ବଚ୍ଚନଙ୍କ ‘ଜଲସା’
ଏୟାରପୋର୍ଟ ଓ ମେୟରଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ୍
ମୁମ୍ବାଇରେ ପୁଣିଥରେ ବୋମା ଧମକକୁ ନେଇ ହଇଚଇ ସୃଷ୍ଟି ହୋଇଛି । ସହରର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ୍ କରି ଏକ ନୂଆ ଧମକପୂର୍ଣ୍ଣ ଇ-ମେଲ୍ ଆସିବା ପରେ ମୁମ୍ବାଇ ପୋଲିସ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ ହୋଇପଡ଼ିଛନ୍ତି । ଏହି ଧମକରେ ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଜୁହୁସ୍ଥିତ ବାସଭବନ ‘ଜଲସା’, ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ମେୟରଙ୍କ କାର୍ଯ୍ୟାଳୟର ନାମ ରହିଛି ।
ଧମକରେ ରହିଛି ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ନାମ
ରିପୋର୍ଟ ଅନୁଯାୟୀ, ଧମକପୂର୍ଣ୍ଣ ଇ-ମେଲ୍ରେ ମୁମ୍ବାଇର ଅନେକ ପ୍ରମୁଖ ସ୍ଥାନର ନାମ ଉଲ୍ଲେଖ କରାଯାଇଛି। ଏଥିରେ ମେୟରଙ୍କ କାର୍ଯ୍ୟାଳୟ, ଏକ ବ୍ୟାଙ୍କ, ଏକ କୋର୍ଟ, ମହାନଗର ନିଗମ କାର୍ଯ୍ୟାଳୟ, ମହାଲକ୍ଷ୍ମୀ ରେସକୋର୍ସ, ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ଜଲସା’ ରହିଛି ।
News Alert! Email warns of bomb blasts at multiple locations in Mumbai, including Mayor office, airport and Amitabh Bachchan's home: Official. https://t.co/2OOxPnUTYz
— Press Trust of India (@PTI_News) November 12, 2026
ଧମକ ମିଳିବା ପରେ ପୋଲିସ ଟିମ୍ ଓ ବମ୍ ନିରୋଧକ ଦଳ ତୁରନ୍ତ ଉକ୍ତ ସ୍ଥାନଗୁଡ଼ିକରେ ପହଞ୍ଚି ଯାଞ୍ଚ କରିଥିଲେ । ତେବେ ତଲାସୀ ସମୟରେ କୌଣସି ସନ୍ଦେହଜନକ ବସ୍ତୁ କିମ୍ବା ବିସ୍ଫୋରକ ସାମଗ୍ରୀ ମିଳିନଥିବା ଜଣାପଡ଼ିଛି । ଏହି ଧମକ ପଛରେ କିଏ ରହିଛି ଏବଂ ଇ-ମେଲ୍ କିଏ ପଠାଇଛି, ତାହା ଜାଣିବା ପାଇଁ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି ।
ଦଲଜିତ୍ ଦୋସାଞ୍ଜଙ୍କ କନ୍ସର୍ଟକୁ ନେଇ ମଧ୍ୟ ଧମକ
ପୂର୍ବରୁ ଆସିଥିବା ଧମକପୂର୍ଣ୍ଣ ଇ-ମେଲ୍ରେ ଖାଲିସ୍ତାନର ମଧ୍ୟ ଉଲ୍ଲେଖ ରହିଥିଲା। ଏଥିରେ ନଭେମ୍ବର ୨୭ ତାରିଖରେ ମହାଲକ୍ଷ୍ମୀ ରେସକୋର୍ସରେ ହେବାକୁ ଥିବା ପଞ୍ଜାବୀ ଗାୟକ ଦଲଜିତ୍ ଦୋସାଞ୍ଜଙ୍କ କନ୍ସର୍ଟ ସମୟରେ ଆକ୍ରମଣ ହୋଇପାରେ ବୋଲି ଧମକ ଦିଆଯାଇଥିଲା ।
କ୍ରମାଗତ ଭାବେ ଏଭଳି ଧମକପୂର୍ଣ୍ଣ ଇ-ମେଲ୍ ଆସିବା ମୁମ୍ବାଇ ପୋଲିସର ଚିନ୍ତା ବଢ଼ାଇଛି। ତେବେ ସମସ୍ତ ସ୍ଥାନରେ ଯାଞ୍ଚ ପରେ ବିସ୍ଫୋରକ ନମିଳିବା ଆଶ୍ୱସ୍ତିର ବିଷୟ ହୋଇଥିବା ବେଳେ ଧମକ ପଛରେ ଥିବା ବ୍ୟକ୍ତିଙ୍କୁ ଖୋଜିବା ପାଇଁ ତଦନ୍ତ ଜାରି ରହିଛି।
ଟାଇଗର ଶ୍ରଫ୍ଙ୍କ ଉପରେ ଗୁଳିମାଡ଼
ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ବଲିଉଡ୍ କଳାକାରମାନଙ୍କୁ ଲଗାତାର ଧମକ ମିଳୁଛି । ଗତ ୧୮ ଅକ୍ଟୋବର ୨୦୨୬ରେ ଅଭିନେତା ଟାଇଗର ଶ୍ରଫ୍ଙ୍କ ଉପରେ ଆକ୍ରମଣ ହୋଇଥିଲା । ରାତି ପ୍ରାୟ ୭ଟା ସମୟରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଟାଇଗର ଫୁଟବଲ୍ ଖେଳି ଘରକୁ ଫେରୁଥିବା ବେଳେ ତିନି ଜଣ ଦୁର୍ବୃତ୍ତ ତାଙ୍କ ଗାଡ଼ି ଉପରକୁ ଗୁଳି ଚଳାଇଥିଲେ ।
ଏହି ଆକ୍ରମଣରେ ଟାଇଗର ଶ୍ରଫ୍ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ତାଙ୍କ ଡ୍ରାଇଭର ଓ ରାସ୍ତାରେ ଠିଆ ହୋଇଥିବା ଜଣେ ପ୍ରଶଂସକ ଗୁଳିରେ ଆହତ ହୋଇଥିଲେ । ତେବେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଥିବା ଜଣାପଡ଼ିଛି ।
ଏହି ଆକ୍ରମଣ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଥିବା ନେଇ ଦାବି କରାଯାଇଥିଲା । ଗ୍ୟାଙ୍ଗଷ୍ଟର ଅନିଲ ପଣ୍ଡିତ ଓ ହରମନ ସନ୍ଧୁ କହିଥିଲେ ଯେ, ଟାଇଗର ଶ୍ରଫ୍ଙ୍କୁ ପୂର୍ବରୁ ଫୋନ୍ କରି ବୁଝାଯାଇଥିଲା, କିନ୍ତୁ ସେ ଶୁଣିନଥିଲେ । ସଲମାନ ଖାନ୍ଙ୍କ ସହ ଯିଏ କାମ କରିବ, ପରବର୍ତ୍ତୀ ଟାର୍ଗେଟ୍ ସେ ହେବ ବୋଲି ଧମକ ଦିଆଯାଇଥିଲା ।
ମାମଲାରେ ୧୩ ଅଭିଯୁକ୍ତ ଗିରଫ
ଏହି ଘଟଣାର ତଦନ୍ତ ପାଇଁ ମୁମ୍ବାଇ ପୋଲିସର କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ୨୦ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏପର୍ଯ୍ୟନ୍ତ ଏହି ମାମଲାରେ ୧୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ପୋଲିସ ହେପାଜତ ଅବଧି ବୃଦ୍ଧି କରାଯାଇଥିବା ବେଳେ ୭ ଜଣଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି ।
ସଲମାନ ଖାନ୍ଙ୍କ ଘର ବାହାରେ ମଧ୍ୟ ହୋଇଥିଲା ଗୁଳିମାଡ଼
ଏହା ପୂର୍ବରୁ ୨୦୨୪ ମସିହାରେ ବଲିଉଡ୍ ଅଭିନେତା ସଲମାନ ଖାନ୍ଙ୍କ ବାନ୍ଦ୍ରାସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ମଧ୍ୟ ଗୁଳିମାଡ଼ ହୋଇଥିଲା। ତାଙ୍କ ଘର ବାହାରେ ପାଞ୍ଚଟି ଗୁଳି ଚଳାଯାଇଥିଲା ।
ସେହିପରି ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀଙ୍କ ଘର ବାହାରେ ମଧ୍ୟ ଗୁଳିମାଡ଼ ହୋଇଛି । ଏହା ବ୍ୟତୀତ କମେଡିଆନ୍ କପିଲ ଶର୍ମାଙ୍କ କାନାଡାସ୍ଥିତ ରେଷ୍ଟୁରାଣ୍ଟ ‘କ୍ୟାପ୍ସ କାଫେ’ ଉପରେ ମଧ୍ୟ ଗୁଳିମାଡ଼ ହୋଇଥିଲା । ଲଗାତାର ଏଭଳି ଧମକ ଓ ଆକ୍ରମଣ ଘଟଣା ବଲିଉଡ୍ ଜଗତର ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories