Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମୁମ୍ବାଇରେ ବର୍ଷାର ତାଣ୍ଡବ, ରାସ୍ତାରେ ବୁଡ଼ିଲା ଗାଡ଼ି, ୧୩ ମୃତ

National

13 Dead in Heavy Rain / ମୁମ୍ବାଇରେ ବର୍ଷାର ତାଣ୍ଡବ, ରାସ୍ତାରେ ବୁଡ଼ିଲା ଗାଡ଼ି, ୧୩ ମୃତ

Bikash Mohanty
Browse all articles by Bikash Mohanty
·1 hour ago·3 min read
ମୁମ୍ବାଇରେ ବର୍ଷାର ତାଣ୍ଡବ, ରାସ୍ତାରେ ବୁଡ଼ିଲା ଗାଡ଼ି, ୧୩ ମୃତ
Heavy Rain

Key Points

ମୁମ୍ବାଇରେ ବର୍ଷାର ତାଣ୍ଡବ
ସହରର ଅନେକ ସ୍ଥାନ ଜଳମଗ୍ନ 
‘ରେଡ୍ ଆଲର୍ଟ’ ଜାରି କଲା  ପାଣିପାଗ ବିଭାଗ
ରାସ୍ତାରେ ବୁଡ଼ିଲା ଗାଡ଼ି, ୧୩ ମୃତ ସୁଚନା


ମୁମ୍ବାଇ,୦୬/୦୭:ଲଗାଣ ବର୍ଷା ଯୋଗୁଁ ମାୟାନଗରୀ ମୁମ୍ବାଇ ଓ ଏହାର ଉପକଣ୍ଠରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାଣ ବର୍ଷା ପ୍ରଭାବରେ ସହରର ଅନେକ ସ୍ଥାନ ଜଳମଗ୍ନ ହୋଇଯାଇଛି । କିଛି କିଛି ସ୍ଥାନରେ ରାସ୍ତା ଉପରେ ୩,୪ ଫୁଟ ଉଚ୍ଚ ପାଣି ଜମି ରହିଛି।। ଫଳରେ ଯାନବାହାନ ଚଳାଚଳ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି । ଲଗାଣବର୍ଷା ଯୋଗୁଁ ମହରାଷ୍ଟ୍ରରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। 

ସେପଟେ ପାଣିପାଗ ବିଭାଗ ପକ୍ଷରୁ ଅନେକ ଜିଲ୍ଲା ପାଇଁ ‘ରେଡ୍ ଆଲର୍ଟ’ ଜାରି କରାଯାଇଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ ଏବଂ ବିନା କାରଣରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ଅଞ୍ଚଳରେ ରେସକ୍ୟୁ ଟିମକୁ ପ୍ରସ୍ତୁତ ରଖାଯାଇଛି ଯାହା ଦ୍ବାରା ଜରୁରୀକାଳୀନ ସ୍ଥିତିରେ ଲୋକଙ୍କୁ ସାହାଯ୍ୟ କରାଯାଇପାରିବ। 

ଭାରତୀୟ ପାଣିପାଗ ବିଭାଗ (IMD) ସମଗ୍ର ମୁମ୍ବାଇ ମହାନଗର ଅଞ୍ଚଳ ପାଇଁ 'ରେଡ୍ ଆଲର୍ଟ' ଜାରି କରିଥିବା ବେଳେ ଆଗାମୀ କିଛି ଘଣ୍ଟାରେ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।

ଟ୍ରେନ ସେବା ପ୍ରଭାବିତ

ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇର ତିନୋଟି ଉପନଗରୀୟ ରେଳ ଲାଇନରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଅନେକ ଟ୍ରେନ ବିଳମ୍ବରେ ଚାଲୁଥିବା ବେଳେ, କାଞ୍ଜୁରମାର୍ଗ ଓ ଭାଣ୍ଡୁପ୍ ଷ୍ଟେସନ ମଧ୍ୟରେ ଓଭରହେଡ୍ ବିଦ୍ୟୁତ ତାରରେ ପ୍ଲାଷ୍ଟିକ୍ ଫସିଯିବାରୁ କିଛି ସମୟ ପାଇଁ ଧୀର ଲାଇନରେ ଟ୍ରେନ ଚଳାଚଳ ବନ୍ଦ ହୋଇଥିଲା। ପରେ କେନ୍ଦ୍ରୀୟ ରେଳବାଇ ପକ୍ଷରୁ ପ୍ଲାଷ୍ଟିକ୍ ହଟାଇବା କାମ ଆରମ୍ଭ କରାଯାଇ ସେବା ସ୍ୱାଭାବିକ କରିବା ପାଇଁ ପଦକ୍ଷେପ ନିଆଯାଇଛି।

ୱାର୍କ ଫ୍ରମ୍ ହୋମ୍ ପରାମର୍ଶ

ପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମସ୍ତ ଘରୋଇ କାର୍ଯ୍ୟାଳୟକୁ କର୍ମଚାରୀଙ୍କୁ ଘରୁ କାମ (Work From Home) କରିବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ ଅତ୍ୟାବଶ୍ୟକ ସେବା ବ୍ୟତୀତ ସରକାରୀ ଓ ଅର୍ଦ୍ଧ-ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟାହ୍ନରୁ ଅଧାଦିନ ଛୁଟି ଘୋଷଣା କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ନାଗରିକଙ୍କୁ ଅତ୍ୟାବଶ୍ୟକ ନହେଲେ ଘରୁ ବାହାରକୁ ନଆସିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ସରକାରୀ ସଂସ୍ଥା ପ୍ରସ୍ତୁତ ରହିଛି। ତେବେ ଅପରାହ୍ନରେ ପାଗ ଆହୁରି ଖରାପ ହୋଇପାରୁଥିବାରୁ ଲୋକମାନେ ଅନାବଶ୍ୟକ ଯାତ୍ରାରୁ ବିରତ ରହିବା ସହ ପ୍ରଶାସନର ସମସ୍ତ ସୁରକ୍ଷା ନିର୍ଦ୍ଦେଶ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି।

BMCର ସତର୍କ ସୂଚନା

ବୃହନ୍ମୁମ୍ବାଇ ମହାନଗର ନିଗମ (BMC) ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ପୋଷ୍ଟ କରି ନାଗରିକଙ୍କୁ ସତର୍କ କରିଛି। ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଅତ୍ୟାବଶ୍ୟକ ନହେଲେ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

BMC ଲୋକମାନଙ୍କୁ ଗଛ, ପୁରୁଣା କୋଠା, ବଡ଼ ହୋର୍ଡିଂ, ବିଦ୍ୟୁତ୍ ଖୁଣ୍ଟ ଓ ଅନ୍ୟାନ୍ୟ ବିପଦପୂର୍ଣ୍ଣ ସ୍ଥାନଠାରୁ ଦୂରରେ ରହିବାକୁ କହିଛି। ସେହିପରି ଗଛ ତଳେ ଗାଡ଼ି ନ ରଖିବା, ବେଳାଭୂମି ଓ ଜଳବନ୍ଦୀ ଅଞ୍ଚଳକୁ ନଯିବା ଏବଂ କେବଳ ସରକାରୀ ସୂଚନା ଉପରେ ବିଶ୍ୱାସ କରିବାକୁ ପରାମର୍ଶ ଦିଆଯାଇଛି।

ସହାୟତା ପାଇଁ ହେଲପଲାଇନ୍

ବିପର୍ଯ୍ୟୟ ସମୟରେ ସହାୟତା ପାଇଁ ନାଗରିକଙ୍କୁ BMC ହେଲପଲାଇନ୍ ୧୯୧୬ରେ ଯୋଗାଯୋଗ କରିବାକୁ କୁହାଯାଇଛି। ପ୍ରାୟ ୧୫ ହଜାର BMC କର୍ମଚାରୀ ଓ ଅଧିକାରୀ ବିଭିନ୍ନ ସଂସ୍ଥା ସହ ସମନ୍ୱୟ ରଖି ୨୪ ଘଣ୍ଟା ଧରି ପରିସ୍ଥିତିର ମୁକାବିଲାରେ ନିୟୋଜିତ ଅଛନ୍ତି।

ପଢନ୍ତୁ ଏହି ଖବର: ପ୍ରବଳ ବର୍ଷାରେ ବେହାଲ ମୁମ୍ବାଇ... ଆଜି ମୁମ୍ବାଇରେ ପ୍ରବଳ ବର୍ଷା ନେଇ IMDର ରେଡ୍ ଆଲର୍ଟ

ବର୍ଷାଜନିତ ଘଟଣାରେ ୧୩ ମୃତ

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଗିରିଶ ମହାଜନଙ୍କ ସୂଚନା ଅନୁଯାୟୀ, ଗତ ତିନିରୁ ଚାରି ଦିନ ମଧ୍ୟରେ ମୁମ୍ବାଇ, ପାଲଘର ଓ ରାୟଗଡ଼ ଜିଲ୍ଲାରେ ବର୍ଷାଜନିତ ବିଭିନ୍ନ ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି  ମାନଖୁର୍ଦ ଅଞ୍ଚଳରେ ପ୍ରବଳ ବର୍ଷା ପରେ ଏକ ଚାଲ ଘର ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କ ପ୍ରାଣହାନି ଘଟିଥିଲା। ସେହିପରି ଗତ ଦୁଇ ଦିନରେ ଗଛ ପଡ଼ିବା ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଜୁନ୍ ୩୦ରେ ଏକ ସ୍କୁଲ ବସ୍ ଉପରେ ଗଛ ଭାଙ୍ଗି ପଡ଼ିବାରୁ ୧୧ ବର୍ଷର ଜଣେ ଶିଶୁର ମୃତ୍ୟୁ ଘଟିଥିଲା।

ପାଣିପାଗ ବିଭାଗ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଥିବାରୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବା ସହ ଅନାବଶ୍ୟକ ଯାତ୍ରା ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Painting
Sponsored
Mumbai Rain Havoc: 13 Dead, Roads Flooded and Vehicles Submerged | Argus News