Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି NEET(UG) ପୁନଃ ପରୀକ୍ଷା,ତ୍ରିସ୍ତରୀୟ ସିକ୍ୟୁରିଟି ବ୍ୟବସ୍ଥା ସହ CCTV ନଜରରେ ସବୁ ସେଣ୍ଟର

National

NEET UG RE Exam Today / ଆଜି NEET(UG) ପୁନଃ ପରୀକ୍ଷା,ତ୍ରିସ୍ତରୀୟ ସିକ୍ୟୁରିଟି ବ୍ୟବସ୍ଥା ସହ CCTV ନଜରରେ ସବୁ ସେଣ୍ଟର

Bikash Mohanty
Browse all articles by Bikash Mohanty
·1 hour ago·3 min read
ଆଜି NEET(UG) ପୁନଃ ପରୀକ୍ଷା,ତ୍ରିସ୍ତରୀୟ ସିକ୍ୟୁରିଟି ବ୍ୟବସ୍ଥା ସହ CCTV ନଜରରେ ସବୁ ସେଣ୍ଟର
NEET UG RE Exam

Key Points

ଆଜି NEET(UG) ପୁନଃ ପରୀକ୍ଷା
୨୨ ଲକ୍ଷ ୭୯ ହଜାର ପିଲା ଦେବେ ପରୀକ୍ଷା
ପେନ୍‌ ଓ ପେପର ମୋଡ଼ରେ ହେବ ଏହି ପରୀକ୍ଷା
CCTV ନଜରରେ ସବୁ ସେଣ୍ଟର
ନୂଆଦିଲ୍ଲୀ, ୨୧।୦୬: ଆଜି ଦେଶବ୍ୟାପୀ ନିଟ୍‌-ୟୁଜି ପୁନଃପରୀକ୍ଷା । ପ୍ରାୟ ୨୨ ଲକ୍ଷ ୭୯ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ । ଦେଶର ୫୫୧ ସହର ଓ ବିଦେଶର ୧୪ଟି ସହରରେ ହୋଇଥିବା ୫,୪୪୦ କେନ୍ଦ୍ରରେ ଅପରାହ୍ନ ୨ଟାରୁ ପରୀକ୍ଷା ଆରମ୍ଭ ହୋଇ ୫ଟା ୧୫ ପର୍ଯ୍ୟନ୍ତ ଚାଲିବ । ଏହି ପରୀକ୍ଷା ପେନ୍‌ ଓ ପେପର ମୋଡ଼ରେ ହେବ । ତେବେ ଯୋଗ୍ୟ ବିବେଚିତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ୬ଟା ୨୦ ମିନିଟ୍‌ ପର୍ଯ୍ୟନ୍ତ ସମୟ ମିଳିବ । ଇଂରାଜୀ ଓ ୧୨ଟି ଭାରତୀୟ ଭାଷାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ସୁଚାରୁ, ସୁରକ୍ଷିତ ତଥା ଛାତ୍ରଛାତ୍ରୀଙ୍କ ଅନୁକୂଳ ପରୀକ୍ଷା କରାଇବା ଲାଗି ଏନ୍‌ଟିଏ (ନ୍ୟାସନାଲ ଟେଷ୍ଟି ଏଜେନ୍ସି) ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ପୁଲିସ, ଅର୍ଦ୍ଧସାମରିକ ବାହିନୀ, ବାୟୁସେନା ଓ ଡାକ ବିଭାଗକୁ ଏଥିରେ ସାମିଲ କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରକୁ ଏନ୍‌ଟିଏକୁ ହସ୍ତାନ୍ତର କରାଯାଇଛି । ପ୍ରତି ସେଣ୍ଟରରେ ସୁରକ୍ଷାକର୍ମୀ, ଅବଜରଭର, ବାୟୋମେଟ୍ରିକ ଷ୍ଟାଫ୍‌ ଓ ଫ୍ରିସ୍କିଂ ଷ୍ଟାଫ ମୁତୟନ ହେବେ । ପରୀକ୍ଷା ସମୟରେ ଏସବୁ କେନ୍ଦ୍ର ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ । ସବୁ ପରୀକ୍ଷା କେନ୍ଦ୍ରରେ ଏଆଇ ଆଧାରିତ ସିସିଟିଭି ବ୍ୟବସ୍ଥା କରାଯାଇଛି । ୯୫ ହଜାରରୁ ଅଧିକ ରୁମ୍‌ରେ ୧,୩୮,୫୬୦ ସିସିଟିଭି ଲଗାଯାଇଛି ।

ଜାତୀୟ, ରାଜ୍ୟ ତଥା ମନ୍ତ୍ରଣାଳୟ ସ୍ତରରେ ପରୀକ୍ଷା କେନ୍ଦ୍ର ଉପରେ ନଜର ରଖାଯିବ ଓ ସମସ୍ତ ଗତିବିଧିର ତଦାରଖ କରାଯିବ । ସେହିଭଳି ୫୧,୩୧୧ ଜାମର ମଧ୍ୟ ପରୀକ୍ଷା କେନ୍ଦ୍ରରେ ଲଗାଯାଇଛି । ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ଓ ସମସ୍ତ ନିର୍ଦ୍ଦେଶାବଳୀକୁ ଅନୁପାଳନ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କୁ ଆଡମିଟ୍‌ କାର୍ଡ, ବୈଧ ଫଟୋ ପରିଚୟପତ୍ର ଓ ଦୁଇଟି ପାସ୍‌ପୋର୍ଟ ସାଇଜ୍‌ର ଫଟୋ ଆଣିବାକୁ କୁହାଯାଇଛି । ସୋସିଆଲ ମିଡିଆରେ ହେଉଥିବା ଅପପ୍ରଚାର ଏବଂ ପ୍ରଶ୍ନପତ୍ର ଲିକ୍‌ ସଂକ୍ରାନ୍ତ ମିଥ୍ୟା ସୂଚନାକୁ ଏଡାଇବା ଲାଗି ଏନ୍‌ଟିଏ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଛି।

ପଢନ୍ତୁ ଏହି ଖବର: ନିଟ୍ ୟୁଜି ପୁନଃ ପରୀକ୍ଷା,ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ନଜରରେ ରହିବ ସବୁ ପରୀକ୍ଷା କେନ୍ଦ୍ର,ଆଜି ସାରା ଦେଶରେ ମକ୍ ଡ୍ରିଲ୍

ସେପଟେ ପରୀକ୍ଷାର ଅବ୍ୟବହିତ ପୂର୍ବରୁ ଶନିବାର ଦେଶବ୍ୟାପୀ ମକ୍‌ଡ୍ରିଲ୍‌ କରାଯାଇଛି । ନିର୍ବିଘ୍ନ ଓ ସୁରକ୍ଷିତ ପରୀକ୍ଷା ପ୍ରସ୍ତୁତି ସୁନିଶ୍ଚିତ କରିବା ହେଉଛି ଏହି ମକଡ୍ରିଲର ଉଦ୍ଦେଶ୍ୟ । ସକାଳ ୯ଟାରୁ ମକଡ୍ରିଲ ଆରମ୍ଭ ହୋଇ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ୨ଲକ୍ଷ ୫୦ ହଜାର ସୁରକ୍ଷା କର୍ମୀ ଅଂଶଗ୍ରହଣ କରିଥିଲେ ।

   ଓଡ଼ିଶାରେ ଚଳିତ ବର୍ଷ ନିଟ୍ ପରୀକ୍ଷା ପାଇଁ ମୋଟ ୧୩୨ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଓଡ଼ିଶା ପୋଲିସ ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ୧୩୨ଟି କେନ୍ଦ୍ରରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯାହା ଦ୍ୱାରା ପରୀକ୍ଷା ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ଶେଷ ହୋଇପାରିବ। ପ୍ରଶ୍ନପତ୍ର ଓ OMR ସିଟ୍‌ର ସୁରକ୍ଷିତ ପରିବହନ ଏବଂ ଷ୍ଟ୍ରଙ୍ଗ ରୁମ୍ ବ୍ୟବସ୍ଥା ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଡ୍ୟୁଟି ମାଜିଷ୍ଟ୍ରେଟ ମଧ୍ୟ ରହିବେ । କଡା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ଅଣାଯିବ ଓ ଉତ୍ତର ଖାତା ନିଆଯିବ । ଏନେଇ ପ୍ରଶାସନ ପକ୍ଷରୁ ମକ ଡ୍ରିଲ ମଧ୍ୟ କରାଯାଇଛି । ଟ୍ରାଫିକ ମ୍ୟାନେଜମେଣ୍ଟ, କ୍ରାଉଡ କଣ୍ଟ୍ରୋଲ ପେରିଫେରିଆଲ ସିକ୍ୟୁରିଟି, ବ୍ଲକିଂ, ଚେକିଂ ପାଇଁ ମୁତୟନ ହୋଇଛନ୍ତି ବ୍ୟାପକ ଫୋର୍ସ ।

ସେପଟେ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ନିଶୁଳ୍କ ବସ୍‌ ସେବା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ପରୀକ୍ଷାର୍ଥୀମାନେ ନିଜର ଆଡମିଟ୍ କାର୍ଡ ଦେଖାଇ ଏହି ସୁବିଧାର ଲାଭ ଉଠାଇ ପାରିବେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored