Videos
|
National

Nepal Floods / ନେପାଳରେ ପ୍ରଳୟଙ୍କରୀ ବନ୍ୟା, ୨୮୮ ଭାରତୀୟ ନିଖୋଜ...୨୧ ଉଦ୍ଧାର

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ନେପାଳରେ ପ୍ରଳୟଙ୍କରୀ ବନ୍ୟା, ୨୮୮ ଭାରତୀୟ ନିଖୋଜ...୨୧ ଉଦ୍ଧାର
Nepal Flood

Key Points

ନେପାଳରେ ଭୟାବହ ବିପର୍ଯ୍ୟୟ
୨୮୮ ଭାରତୀୟ ନିଖୋଜ
ଚାଲିଛି ଜୋରଦାର ରେସ୍କ୍ୟୁ
ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ସ୍ଥିତି ଭୟାବହ ହୋଇପଡ଼ିଛି । ଆଉ ଏହାରି ମଧ୍ୟରେ ଚିନ୍ତା ବଢ଼ାଇଛି ଭାରତୀୟଙ୍କ ନିଖୋଜ ଖବର । ବର୍ତ୍ତମାନ ସୁଦ୍ଧା ୨୮୮ ଜଣ ଭାରତୀୟ ନିଖୋଜ ଥିବା ସୂଚନା ମିଳିଛି । ନିଖୋଜ ଭାରତୀୟମାନଙ୍କୁ ଖୋଜିବା ପାଇଁ ଜୋରଦାର ରେସ୍କ୍ୟୁ ଅପରେସନ୍ ଚାଲିଛି । ଏପର୍ଯ୍ୟନ୍ତ ୨୧ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି ।

ଗୁରୁବାର, ଅଗଷ୍ଟ ୨୭ ତାରିଖରେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ରଣଧୀର ଜୟସ୍ବାଲ୍ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କୈଳାସ ମାନସରୋବର ଯାତ୍ରାରେ ଯାଇଥିବା ଅନେକ ଭାରତୀୟ ଏବେ ଚୀନ ପଟେ ଫସି ରହିଛନ୍ତି । ପ୍ରାୟ ୨୦୦ ଭାରତୀୟ ନାଗରିକ ସହାୟତା ପାଇଁ ଅନୁରୋଧ କରିଛନ୍ତି । ଚୀନରେ ଥିବା ଭାରତୀୟ ମିଶନ୍ ସ୍ଥାନୀୟ ପ୍ରଶାସନ ସହ ମିଶି ସେମାନଙ୍କୁ ଉଦ୍ଧାର କରିବା ଦିଗରେ କାମ କରୁଛି । ଈଶା ଫାଉଣ୍ଡେସନର କିଛି ସଦସ୍ୟ ମଧ୍ୟ ସେଠାରେ ଫସିଥିବା ଜଣାପଡ଼ିଛି ।

କେଉଁଠି ଫସିଛନ୍ତି ୨୮୮ ଭାରତୀୟ ?

ବିଦେଶ ମନ୍ତ୍ରଣାଳୟ ଅନୁସାରେ, ନିଖୋଜ ଭାରତୀୟଙ୍କ ମଧ୍ୟରେ ୭୩ ଜଣ ତ୍ରିଶୁଳୀ-୧ ପାୱାର ପ୍ରୋଜେକ୍ଟରେ କାମ କରୁଥିଲେ। ଏହାଛଡ଼ା ତାମିଲନାଡୁର ୩୭ ଓ ୪୯ ଜଣଙ୍କର ଦୁଇଟି ଅଲଗା ଗ୍ରୁପ୍ କୈଳାସ ମାନସରୋବର ଯାତ୍ରାରେ ଯାଇଥିଲେ ।

ପଶ୍ଚିମବଙ୍ଗର ୩୨ ଜଣ ଭାରତୀୟ ରସୁୱା ଜିଲ୍ଲାର ତିମୁରେ ଅଞ୍ଚଳରେ ଫସିଥିବା ସୂଚନା ମିଳିଛି । ଏହା ସହିତ ବିଭିନ୍ନ ରାଜ୍ୟର ୬୧ ଜଣ ଏବଂ କେରଳର ୩୩ ଜଣଙ୍କୁ ନେଇ ଆଉ ଦୁଇଟି ବଡ଼ ଗ୍ରୁପ୍ ରହିଛି । ଏହି ପାଞ୍ଚଟି ବଡ଼ ଗ୍ରୁପ୍‌ରେ ମୋଟ ୨୮୮ ଜଣ ଭାରତୀୟ ରହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନେପାଳକୁ ଭାରତର ବଡ଼ ସହାୟତା

ସଙ୍କଟ ସମୟରେ ନେପାଳକୁ ସହାୟତା ପାଇଁ ଭାରତ ପକ୍ଷରୁ ରିଲିଫ୍ ଓ ରେସ୍କ୍ୟୁ ସାମଗ୍ରୀ ପଠାଯାଉଛି। ଦୁଇଟି ବିମାନରେ ଟନ୍ ଟନ୍ ରିଲିଫ୍ ସାମଗ୍ରୀ ପଠାଯାଇଛି। ଏଥିରେ ଔଷଧ ମଧ୍ୟ ରହିଛି। ନେପାଳ ସରକାରଙ୍କ ଅନୁରୋଧ ପରେ ଭାରତ ଏହି ସହାୟତା ପଠାଇଛି ।

ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ସୁଗମ କରିବା ପାଇଁ ଭାରତ ବେଲି ବ୍ରିଜ୍ ପ୍ରସ୍ତୁତ କରୁଛି। ଏହା ସହିତ ବିଦେଶ ମନ୍ତ୍ରଣାଳୟରେ ୨୪ ଘଣ୍ଟା କାର୍ଯ୍ୟ କରିବା ପାଇଁ ଏକ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। କାଠମାଣ୍ଡୁ ଓ ବେଜିଂରେ ଥିବା ଭାରତୀୟ ଦୂତାବାସ ମଧ୍ୟ ୨୪/୭ ହେଲ୍ପଲାଇନ୍ ଆରମ୍ଭ କରିଛି ।

ପ୍ରଧାନମନ୍ତ୍ରୀ ମଧ୍ୟ ନେପାଳର ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ଆବଶ୍ୟକ ସମସ୍ତ ସହାୟତା ଯୋଗାଇବାକୁ ଭାରତ ପ୍ରସ୍ତୁତ ଥିବା ଜଣାଇଛନ୍ତି। ଏହି କଠିନ ସମୟରେ ଭାରତ ନେପାଳ ସହ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହୋଇଛି ।

ନେପାଳରେ ବଢ଼ୁଛି ମୃତ୍ୟୁସଂଖ୍ୟା

ନେପାଳରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୨୭୦ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଏକ ହଜାରରୁ ଅଧିକ ଲୋକ ଏବେବି ନିଖୋଜ ଅଛନ୍ତି। ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ନିଖୋଜ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଏବେ ଭାରତ ସରକାରଙ୍କ ପାଇଁ ପ୍ରମୁଖ ପ୍ରାଥମିକତା ପାଲଟିଛି ।
Nepal Flood: 288 Indians Missing, 21 Rescued | Argus News