ଆସନ୍ତାକାଲି ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ

ଅର୍ଗସ ବ୍ୟୁରୋ: ଅକ୍ଟୋବରରେ ଓଡ଼ିଶାକୁ ବାତ୍ୟା ଭୟ । ଆସନ୍ତାକାଲି ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ। ଏହା ପୂର୍ବରୁ ଆଜି ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଘଡ଼ଘଡ଼ି ସହ ବର୍ଷା ନେଇ ରାଜ୍ୟର ୧୪ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ୱାର୍ଣ୍ଣିଂ ଜାରି ହୋଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ତୀବ୍ର ବା ଘନୀଭୂତ ହେବ। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେବେ ଏଯାଏଁ ବାତ୍ୟା ଉପରେ କୌଣସି ଆକଳନ କରାଯାଇନଥିବାବେଳେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ଚିତ୍ର ସ୍ପଷ୍ଟହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଓଡ଼ିଶାରେ ପୂର୍ବରୁ ଏକାଧିକ ଥର ଅକ୍ଟୋବର ମାସରେ ବଡ଼ ବାତ୍ୟା ହୋଇଛି। ଏଣୁ ଏହି ମାସ ଆସିଲେ ସ୍ବାଭାବିକ ଭାବେ ବାତ୍ୟାକୁ ନେଇ ଛନକା ପଶେ । କିଛି ବିଦେଶୀ ମଡେଲ ଚଳିତ ମାସରେ ବାତ୍ୟାକୁ ନେଇ ଆକଳନ କରିଛି । ତେବେ ବାତ୍ୟାର ତୀବ୍ରତା କେତେ ରହିବ ସେନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ ।
ୟୁରୋପିଆନ ମଡେଲ ECMWF ଅନୁଯାୟୀ, ଆସନ୍ତା ୨୦ରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ, ୨୨ ତାରିଖରେ ଲଘୁଚାପରେ ପରିଣତ ହେବ । ଯାହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୩ରେ ଅବପାତ ଓ ୨୪ରେ ବାତ୍ୟା ହୋଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ ।
GFS ଗ୍ଲୋବାଲ ଫୋରକାଷ୍ଟିଂ ସିଷ୍ଟମ ଅନୁଯାୟୀ ୨୦ରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ୨୨ରେ ଲଘୁଚାପ ରୂପ ନେଇ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୩ରେ ଅବପାତରେ ପରିଣତ ହେବ । ଆଉ ୨୪ ତାରିଖରେ ଏହା ବାତ୍ୟା ହୋଇ ଓଡ଼ିଶା ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ । ଅକ୍ଟୋବର କୁ ବାତ୍ୟା ପ୍ରବଣ ମାସ କୁହାଯାଉଥିବାବେଳେ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ଥିବା କହିଛି ଭାରତୀୟ ପାଣିପାଗ ବିଭାଗ- IMD। ହେଲେ ଲଘୁଚାପ କେତେ ଘନୀଭୂତ ହେବ ଓ ଏହାର ଗତିପଥ କେଉଁ ଆଡ଼କୁ ରହିବ ଓ ଏହାର ପ୍ରଭାବ କେଉଁ ଉପକୂଳରେ ପଡ଼ିବ, ତାହା ଏବେଠାରୁ ଆକଳନ କରିନାହିଁ ଭାରତୀୟ ପାଣିପାଗ ବିଭାଗ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: