Nobel Prize / କେତେ ଜଣ ଭାରତୀୟ ପାଇଛନ୍ତି ନୋବେଲ ପୁରସ୍କାର ? ଜାଣନ୍ତୁ ପୂରା ତାଲିକା…

Key Points
୨୦୨୫ ପାଇଁ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା ଆରମ୍ଭ ହୋଇସାରିଛି । ତେବେ ଆପଣ ଜାଣନ୍ତି କି କେତେ ଜଣ ଭାରତୀୟ ଏପର୍ଯ୍ୟନ୍ତ ଜିତିଛନ୍ତି ନୋବେଲ ପୁରସ୍କାର ।
୨୦୨୫ ପାଇଁ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା ଆରମ୍ଭ ହୋଇସାରିଛି । ଏବେ ସୁଦ୍ଧା ମେଡିସିନ, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନରେ ନୋବେଲ ବିଜେତାଙ୍କ ନାମ ଘୋଷଣା ହୋଇସାରିଛି । ମେଡିସନ୍ କ୍ଷେତ୍ରରେ ପେରିଫେରାଲ ଇମ୍ମ୍ୟୁନ ସହନଶୀଳତା ସମ୍ବନ୍ଧୀୟ ଆବିଷ୍କାର ପାଇଁ ମେରି ଇ. ବ୍ରୁଙ୍କୋ, ଫ୍ରେଡ୍ ରାମସଡେଲ୍ ଏବଂ ଡକ୍ଟର ଶିମୋନ୍ ସାକାଗୁଚିଙ୍କୁ ଚିକିତ୍ସାରେ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଆମେରିକାର ଜନ୍ କ୍ଲାର୍କ, ମାଇକେଲ୍ ଡେଭୋରେଟ୍ ଏବଂ ଜନ୍ ମାର୍ଟିନିସ୍ଙ୍କୁ ପ୍ରଦାନ କରାଯାଇଛି ।
ଅଧିକ ପଢ଼ନ୍ତୁ: ରସାୟନ ବିଜ୍ଞାନରେ ମିଳିଲା ନୋବେଲ, ୩ ଜଣ ବୈଜ୍ଞାନିକଙ୍କୁ ମିଳିବ ଏହି ସମ୍ମାନଜନକ ପୁରସ୍କାର
ସେହିପରି ରସାୟନ ବିଜ୍ଞାନରେ ମେଟାଲ ଅର୍ଗାନିକ ଫ୍ରେମଓ୍ବାର୍କ ପାଇଁ ସୁସୁମୁ କିଟାଗାଓ୍ବା, ରିଚାର୍ଡ ରବସନ, ଓମାର ଏମ୍.ୟାଘିଙ୍କୁ ନୋବେଲ ପୁରସ୍କାର ମିଳିବ । ଶୁକ୍ରବାର ଦିନ ନୋବେଲ ଶାନ୍ତି ପୁରସ୍କାର ଏବଂ ଅକ୍ଟୋବର ୧୩ ରେ ଅର୍ଥନୀତିରେ ନୋବେଲ ସ୍ମାରକୀ ପୁରସ୍କାର ଘୋଷଣା କରାଯିବ । ପୁରସ୍କାର ସମାରୋହ ଡିସେମ୍ବର ୧୦ ତାରିଖରେ ଅନୁଷ୍ଠିତ ହେବ। ତେବେ ଆପଣ ଜାଣନ୍ତି କି କେତେ ଜଣ ଭାରତୀୟ ବିଶ୍ବର ଏହି ସମ୍ମାନଜନକ ପୁରସ୍କାର ଜିତିଛନ୍ତି….
ରବୀନ୍ଦ୍ରନାଥ ଟାଗୋର (ସାହିତ୍ୟ, ୧୯୧୩) – ପ୍ରଥମ ଏସୀୟ ଭାବେ ରବୀନ୍ଦ୍ରନାଥ ଟାଗୋର ନୋବେଲ ପୁରସ୍କାର ବିଜେତା ହୋଇଥିଲେ । ଗୀତାଞ୍ଜଳି ପାଇଁ ସେ ଏହି ସମ୍ମାନଜନକ ପୁରସ୍କାର ପାଇଥିଲେ । ଗୀତାଞ୍ଜଳି ପୁସ୍ତକ ଭାରତୀୟ ଆଧ୍ୟତ୍ମିକତା ଏବଂ କବିତାକୁ ବିଶ୍ବ ସାହିତ୍ୟରେ ପହଞ୍ଚାଇଥିଲା ।
ସି.ଭି. ରମଣ (ପଦାର୍ଥ ବିଜ୍ଞାନ, ୧୯୩୦) – ‘ରମଣ ଇଫେକ୍ଟ’ ଆବିଷ୍କାର କରିବା ପାଇଁ ସିଭି ରମଣଙ୍କୁ ୧୯୩୦ ମସିହାରେ ନୋବେଲ ପୁରସ୍କାର ମିଳିଥିଲା । ‘ରମଣ ଇଫେକ୍ଟ’ ମାଧ୍ୟମରେ ସେ ବାଖ୍ୟା କରିଥିଲେ ଯେ, କିପରି ଆଲୋକ ଏକ ସ୍ୱଚ୍ଛ ସାମଗ୍ରୀ ମଧ୍ୟ ଦେଇ ତରଙ୍ଗ ଦୈର୍ଘ୍ୟ ପରିବର୍ତ୍ତନ କରେ । ଏହି ପ୍ରଭାବ ଆଧାରରେ ପଦାର୍ଥର ଗଠନ ଓ ଗୁଣ ବିଷୟରେ ତଥ୍ୟ ମିଳିଥାଏ ।
ହର ଗୋବିନ୍ଦ ଖୋରାନା (ଫିଜିଓଲୋଜି କିମ୍ବା ଚିକିତ୍ସା ବିଜ୍ଞାନ, ୧୯୬୮) – ହର ଗୋବିନ୍ଦ ଖୋରାନାଙ୍କୁ ୧୯୬୮ ମସିହାରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ମିଳିଥିଲା । ସେ DNA ଓ RNAର କୋଡିଂରେ ବ୍ୟବହୃତ ତିନିଟି ଆଧାର ବିଷୟରେ ଗବେଷଣା କରି ଜିନେଟିକ୍ କୋଡ୍ କିପରି କାମ କରେ ତାହା ଆବିଷ୍କାର କରିଥିଲେ । ଏହି ଆବିଷ୍କାର ଜିନ୍ ବିଜ୍ଞାନରେ ବିପ୍ଳବ ଆଣିଥିଲା। ସେ ବିଶ୍ୱର ପ୍ରଥମ କୃତ୍ରିମ ଜିନ୍ ମଧ୍ୟ ନିର୍ମାଣ କରିଥିଲେ।
ମଦର ଟେରେସା (ଶାନ୍ତି, ୧୯୭୯) – ମଦର ଟେରସାଙ୍କୁ ୧୯୭୯ ମସିହାରେ ଶାନ୍ତି ପାଇଁ ନୋବେଲ ପୁରସ୍କାର ମିଳିଥିଲା । ସେ ଗରିବ, ରୋଗୀ, ଅସହାୟ ଓ ଅନାଥମାନଙ୍କ ପାଇଁ ତାଙ୍କ ସମସ୍ତ ଜୀବନ ଉତ୍ସର୍ଗ କରିଥିଲେ । ତାଙ୍କର ଏହି କାର୍ଯ୍ୟ ସାରା ବିଶ୍ୱରେ ପ୍ରେରଣା ସୃଷ୍ଟି କରିଥିଲା ।
📱 Get Argus News App
✨ସୁବ୍ରହ୍ମଣ୍ୟନ୍ ଚନ୍ଦ୍ରଶେଖର (ପଦାର୍ଥ ବିଜ୍ଞାନ, ୧୯୮୩) – ୧୯୮୩ ମସିହାରେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଅନୁଳନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ଦିଆଯାଇଥିଲା । ସେ ତାଙ୍କର "ଚନ୍ଦ୍ରଶେଖର ସୀମା" ଦ୍ବାରା ସମେତ ତାରାମାନଙ୍କର ଗଠନ ଏବଂ ବିବର୍ତ୍ତନ ଉପରେ ତାଙ୍କର ତତ୍ତ୍ୱ ପାଇଁ ପୁରସ୍କୃତ ହୋଇଥିଲେ ।
ଅମର୍ତ୍ତ୍ୟ ସେନ୍ (ଅର୍ଥନୈତିକ ବିଜ୍ଞାନ, ୧୯୯୮) – ଅମର୍ତ୍ତ୍ୟ ସେନଙ୍କୁ ୧୯୯୮ ମସିହାରେ ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଦିଆଯାଇଥିଲା । ଗରୀବି ଓ ଦାରିଦ୍ର୍ୟ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ଏହି ପୁରସ୍କାରରେ ସମ୍ମାନିତ ହୋଇଥିଲେ ।
ଭେଙ୍କଟରାମନ୍ ରାମକୃଷ୍ଣନ୍ (ରସାୟନ ବିଜ୍ଞାନ, ୨୦୦୯) – ଭେଙ୍କଟରାମନ୍ ରାମକୃଷ୍ଣନ୍ଙ୍କୁ ୨୦୦୯ ମସିହାରେ ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଦିଆଯାଇଥିଲା । ସେ ରାଇବୋସୋମ୍ର ଗଠନ ଓ କାର୍ଯ୍ୟ ଉପରେ ଗଭୀର ଗବେଷଣା କରିଥିଲେ। ରାଇବୋସୋମ୍ ହେଉଛି କୋଷ ଭିତରେ ପ୍ରୋଟିନ୍ ତିଆରି କରୁଥିବା ଅତ୍ୟନ୍ତ ଜରୁରୀ ଅଂଶ। ତାଙ୍କ ଆବିଷ୍କାର ଔଷଧ ଏବଂ ଜୀବ ବିଜ୍ଞାନ ଶାସ୍ତ୍ରରେ ବିପ୍ଳବ ଆଣିଥିଲା ।
କୈଳାସ ସତ୍ୟାର୍ଥୀ (ଶାନ୍ତି, ୨୦୧୪) – କୈଳାସ ସତ୍ୟାର୍ଥୀଙ୍କୁ ୨୦୧୪ ମସିହାରେ ଶାନ୍ତି ପାଇଁ ନୋବେଲ ପୁରସ୍କାର ମିଳିଥିଲା । ସେ ଶିଶୁ ଶ୍ରମିକ ବିରୋଧରେ ଦଶନ୍ଧି ଧରି ଲଢ଼େଇ କରିଥିଲେ ।
ଅଭିଜିତ ବାନାର୍ଜୀ (ଅର୍ଥନୈତିକ ବିଜ୍ଞାନ, ୨୦୧୯) – ଅଭିଜିତ୍ ବାନାର୍ଜୀଙ୍କୁ ୨୦୧୯ ମସିହାରେ ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ମିଳିଥିଲା । ସେ ତାଙ୍କ ସହଯୋଗୀଙ୍କ ସହ ମିଶି ଗରିବି ହ୍ରାସ ପାଇଁ ନୀତି ଓ ପ୍ରୟୋଗାତ୍ମକ ଗବେଷଣା କରିଥିଲେ। ତାଙ୍କର କାମ ଦୁନିଆର ଗରିବ ଓ ଅସମାନତା ହ୍ରାସରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଛି ।
Related Topics
Explore more stories