Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଆ ଲୋକ ଭିତରେ ଥିବା ଆତ୍ମବିଶ୍ୱାସକୁ ବଢାଇ ଓଡ଼ିଶାକୁ ବଡ଼ କରିବା

National

ଓଡ଼ିଆ ଲୋକ ଭିତରେ ଥିବା ଆତ୍ମବିଶ୍ୱାସକୁ ବଢାଇ ଓଡ଼ିଶାକୁ ବଡ଼ କରିବା

Jitendra Dash
Browse all articles by Jitendra Dash
·2 years ago·3 min read
ଓଡ଼ିଆ ଲୋକ ଭିତରେ ଥିବା ଆତ୍ମବିଶ୍ୱାସକୁ ବଢାଇ ଓଡ଼ିଶାକୁ ବଡ଼ କରିବା

ଅର୍ଗସ ବ୍ୟୁରୋ : ଓଡ଼ିଆ ଲୋକ ଭିତରେ ଦୃଢ଼ ଆତ୍ମବିଶ୍ୱାସ ଅଛି ଏବଂ ଏହି ଆତ୍ମବିଶ୍ୱାସକୁ ବଢାଇ ଓଡ଼ିଶାକୁ ଆଗାମୀ ଦିନରେ ବଡ କରିବାର ଦାୟିତ୍ୱ ନେବାକୁ ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ୟୁଏଇ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆବୁଧାବୀ ଠାରେ ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଓଡ଼ିଆ ସମାଜ ଏକ ଜୀବନ୍ତ ସମାଜ । ଆମ ଓଡ଼ିଆଙ୍କ ପାଖରେ ବୈଶ୍ୱିକ ନେତୃତ୍ୱ ନେବାର ସବୁ ଗୁଣ ଅଛି । ଅତୀତରେ ଆମ ସମୃଦ୍ଧ ରାଜ୍ୟ ଓଡ଼ିଶା ନୌବାଣିଜ୍ୟ ଅର୍ଥନୀତି ରାଜ୍ୟ ଥିଲା । ଆମେ ପୂର୍ବରୁ ସମ୍ପନ୍ନ ଥିବା କାରଣରୁ ହଜାର ହଜାର ବର୍ଷ ପୂର୍ବରୁ କୋଣାର୍କ ଓ ଲିଙ୍ଗରାଜ ମନ୍ଦିର ଭଳି ବଡ ବଡ ମନ୍ଦିର ତିଆରି କରିଥିଲେ । ଆମେ କଳିଙ୍ଗ ଯୁଦ୍ଧ ମାଧ୍ୟମରେ ସମ୍ରାଟ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିବା ପାଇଁ ବାଧ୍ୟ କରିଥିଲେ । ତିର୍ତ୍ତୋଲରେ ଥିବା ଓଡଙ୍ଗଗଡ ଓଡ଼ିଶାର ପୁରାତନ ସଭ୍ୟତାର ପରିଚୟ ଦେଉଛି । ଆମର ରଘୁରାଜପୁରର ପଟ୍ଟଚିତ୍ର, ଇକତ୍ ନିଖୁଣ କାରିଗରୀରର ପରିଚୟ ଦେଉଛି । ହଜାର ହଜାର ବର୍ଷ ତଳୁ ଓଡ଼ିଆ ଲୋକଙ୍କ ଦ୍ୱାରା ତିଆରି ହୋଇଥିବା ସୃଜନଶୀଳତା ଏବେ ବି ଲୋକଙ୍କ ମଧ୍ୟରେ ଉନ୍ମାଦନା ତିଆରି କରୁଛି । ଆଜି ନୂଆ ସଂସଦ ଭବନ, ଭାରତ ମଣ୍ଡପମରେ କୋଣାର୍କ ଚକ୍ର ଅଛି । ଜି-୨୦ରେ କୋଣାର୍କ ଚକ୍ର ତଳେ ବିଶ୍ୱର ନେତା ମାନଙ୍କୁ ସ୍ୱାଗତ କରାଯାଉଛି ।  

ଅଧିକ ପଢନ୍ତୁ : ୟୁଏଇରେ ପ୍ରବାସୀ ଭାରତୀୟଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ସନ୍ଥ କବି ଭୀମ ଭୋଇ ଲେଖିଥିବା ପଂକ୍ତି “ମୋ ଜୀବନ ପଛେ ନର୍କେ ପଡଥାଉ, ଜଗତ ଉଦ୍ଧାର ହେଉ”, କ୍ରାନ୍ତିକାରୀ ଲେଖା ଜଣେ ଓଡ଼ିଆ ହିଁ ଲେଖିଥିଲା । ତିର୍ତ୍ତୋଲରେ ମାଆ ଶାରଳାଙ୍କ ଘଟନୃତ୍ୟ ହେଉ କିମ୍ବା ଡାଲଖାଇ ନୃତ୍ୟ ଓ ଓଡ଼ିଆ ବ୍ୟଞ୍ଜନ ବଡିଚୁରା ଓ ଛଇଁଭଜା ଆମ ପାଇଁ ସବୁବେଳେ ଅନନ୍ୟ । ଓଡ଼ିଶାର ଦୁଇ ଭଉଣୀ ତଥା ନେକ୍ସସ୍ ପାୱାର ଷ୍ଟାର୍ଟଅପର ସିଇଓ ଏବଂ ସହ-ପ୍ରତିଷ୍ଠାତା ନିଶିତା ଓ ନିକିତା ବଳିୟାର ସିଂ ସବୁଜ ଇନ୍ଧନ ତଥା ସ୍ୱଚ୍ଛ ଉର୍ଜା ଭଳି କ୍ଷେତ୍ରରେ ଆରମ୍ଭ କରିଥିବା ଷ୍ଟାର୍ଟଅପ୍ ଆମ ଓଡ଼ିଶାର ଉଦ୍ୟୋଗୀ ମନୋଭାବ ଓ ପ୍ରତିଭାକୁ ଦର୍ଶାଉଛି । ଆଜିର ଦିନରେ ଓଡ଼ିଆ ଲୋକଙ୍କ ଅର୍ଗାନାଇଜ ପ୍ରୋସେସିଂ କରିବା ଦରକାର । ଭାରତକୁ ବଡ କରାଇବା ପାଇଁ ହେଲେ ଓଡ଼ିଶାକୁ ବଡ କରିବା ଦରକାର । ଭୀମ ଭୋଇରୁ ଡାଲଖାଇ ଏବଂ ଧର୍ମପଦରୁ ଉଦ୍ୟୋଗୀ ଦୁଇ ଭଉଣୀଙ୍କ ପର୍ଯ୍ୟନ୍ତ ଓଡ଼ିଶାକୁ ବଡ କରିବା ।   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶ୍ରୀ ପ୍ରଧାନ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ କାର୍ଯ୍ୟ ଦିବସରେ ବହୁସଂଖ୍ୟାରେ ଓଡ଼ିଆ ଲୋକମାନେ ଏଠାରେ ଉପସ୍ଥିତ ହେବା ଓଡ଼ିଶା ପ୍ରତି ପ୍ରତିବଦ୍ଧତା ଓ ଭଲପାଇବାର ପ୍ରତିଫଳନ । ଏହା ମୋ ପାଇଁ ବଡ ସମ୍ମାନ । ବିଦେଶରେ ଓଡ଼ିଆ ଲୋକଙ୍କୁ ଦେଖିଲେ ମୋର ଆତ୍ମବିଶ୍ୱାସ ଦୁଇ ଗୁଣା ହୁଏ । ପ୍ରବାସୀ ଓଡ଼ିଆ ଲୋକମାନେ ୟୁଏଇରେ ରହି ଭାରତ ମଧ୍ୟରେ ସମ୍ପର୍କକୁ ବଢାଇବାର ଦାୟିତ୍ୱ ନେଇଛନ୍ତି । ୟୁଏଇର ରାଷ୍ଟ୍ରପତି ଏବଂ ବୈଦେଶିକ ମନ୍ତ୍ରୀଙ୍କର ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଘନିଷ୍ଠତା କାରଣରୁ ୟୁଏଇରେ ମନ୍ଦିର ନିର୍ମାଣ ପାଇଁ ଜାଗା ମିଳୁଛି । ଏଠାରେ ଆଇଆଇଟି ଦିଲ୍ଲୀ ପରି ଅନୁଷ୍ଠାନ ଖୋଲିବା ସହ ସିବିଏସଇ କାର୍ଯ୍ୟାଳୟ ମଧ୍ୟ ଖୋଲାଯାଉଛି । ନିଟ୍ ଏବଂ ଜେଇଇ ପ୍ରବେଶିକା ପରୀକ୍ଷା ପାଇଁ ଏଠାରେ ସେଣ୍ଟର ଖୋଲାଯାଉଛି ।     

ୟୁଏଇରେ ରହୁଥିବା ଓଡ଼ିଆ ଲୋକମାନଙ୍କୁ ଅଭିଭାବକ ଭାବରେ ସେମାନଙ୍କ ପିଲାଙ୍କୁ ଓଡ଼ିଆରେ କଥାବାର୍ତ୍ତା କରିବା ପାଇଁ ସବୁବେଳେ ଶିକ୍ଷା ଦେବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଆମ ଓଡ଼ିଆ ଭାଷାର ସ୍ୱତନ୍ତ୍ର ପରିଚୟ ଅଛି । ସ୍ୱାଧୀନ ଭାରତ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଛି । ତେଣୁ ଆମେମାନେ ଓଡ଼ିଆତ୍ୱ ବଜାୟ ରଖିବା । ୨୦୩୬ରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେଉଥିବା ବେଳେ ଓଡ଼ିଶାକୁ ଏକ ନମ୍ବର କରିବା ବୋଲି ସେ କହିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ଭାରତର ବଢୁଥିବା ଅର୍ଥନୀତି, ସ୍ୱଦେଶୀ ଭ୍ୟାକସିନ ପ୍ରସ୍ତୁତି, ଉର୍ଜା ବ୍ୟବହାର, ବଦଳୁଥିବା ଟେକ୍ନୋଲୋଜି, ୟୁପିଆଇ ପେମେଣ୍ଟ, ଦେଶବାସୀଙ୍କର ବଢୁଥିବା ଆକାଂକ୍ଷା ଉପରେ ମଧ୍ୟ ବର୍ଣ୍ଣନା କରିଥିଲେ ।  

ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ୟୁଏଇର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ଜାୟେଦ ଓ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ତଥା ଆବୁଧାବୀ ଶିକ୍ଷା ଓ ଜ୍ଞାନ ବିଭାଗ (ଏଡିଇକେ)ର ଅଧ୍ୟକ୍ଷା ସାରା ମୁସଲ୍ଲମଙ୍କୁ ଭେଟିଥିଲେ । ବୈଠକରେ ଦୁଇ ଦେଶର ବହୁମୁଖୀ ସହଭାଗୀତାକୁ ଅଧିକ ଶକ୍ତିଶାଳୀ କରିବା ଉପରେ ଆଲୋଚନା ହୋଇଥିଲା । ଆବୁଧାବୀରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ପାଇଁ ସହଯୋଗ ପ୍ରଦାନ କରିଥିବାରୁ ଶ୍ରୀ ପ୍ରଧାନ ଉଭୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଆବୁଧାବୀର ଗ୍ଲୋବାଲ ଟେକ୍ ଇକୋସିଷ୍ଟମ୍ ହବ୍ ୭୧ ମଧ୍ୟ ପରିଦର୍ଶନ କରିଥିଲେ । ପୂର୍ବରୁ ଶ୍ରୀ ପ୍ରଧାନ ଜାଏଡ୍ ବିଶ୍ୱବିଦ୍ୟାଳୟ ପରିସରରେ ନିର୍ମାଣାଧୀନ ଆଇଆଇଟି ଦିଲ୍ଲୀ –ଆବୁଧାବୀ କ୍ୟାମ୍ପସକୁ ଯାଇଥିଲେ ।  ଭାରତର ଶିକ୍ଷାକୁ ଆନ୍ତର୍ଜାତୀୟକରଣ କରିବା ପାଇଁ ଆଇଆଇଟି ଦିଲ୍ଲୀ-ଆବୁଧାବୀ କ୍ୟାମ୍ପସ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ।

Sponsored
Our diaspora in the UAE are admired for their diligence, honesty and hard working nature. | Argus News