Pak Woman Found Bihar Voter List: ବିହାର ଭୋଟର ଲିଷ୍ଟରେ ପାକିସ୍ତାନୀ ମହିଳାଙ୍କ ନାଁ, ୧୯୫୬ ମସିହାରେ ଆସିଥିଲେ ଭାରତ

Key Points
ଭୋଟର ତାଲିକା ଯାଞ୍ଚରେ ବଡ଼ ଖୁଲାସା । ବିହାର ଭୋଟର ଲିଷ୍ଟରେ ମିଳିଲା ପାକିସ୍ତାନୀ ମହିଳାଙ୍କ ନାଁ । ଗୃହ ମନ୍ତ୍ରଣାଳୟର ଚିଠି ପରେ ଆରମ୍ଭ ହେଲା ତଦନ୍ତ ।
ବିହାରର ଭାଗଲପୁରରେ ଭୋଟର ତାଲିକା ଯାଞ୍ଚ ସମୟରେ ଏକ ବଡ଼ ଖୁଲାସା ହୋଇଛି । ଏଠାରେ, ୧୯୫୬ ମସିହାରେ ପାକିସ୍ତାନରୁ ଆସିଥିବା ଜଣେ ମହିଳାଙ୍କ ନାମ ଭୋଟର ତାଲିକାରେ ମିଳିଛି । ସବୁଠୁ ବଡ଼ କଥା ହେଉଛି, ଏହାକୁ ବିହାରରେ ଚାଲଥିବା SIR ମଧ୍ୟ ଯାଞ୍ଚ କରାଯାଇଥିଲା । ତେବେ ଗୃହ ମନ୍ତ୍ରଣାଳୟର ତଦନ୍ତରେ ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଗୃହ ମନ୍ତ୍ରଣାଳୟ ସମ୍ପ୍ରତି ସେହି ବିଦେଶୀ ନାଗରିକମାନଙ୍କର ତଦନ୍ତ ଆରମ୍ଭ କରିଥିଲା ଯେଉଁମାନେ ଭାରତ ଆସି ଭିସା ଅବଧି ଶେଷ ହେବା ପରେ ମଧ୍ୟ ଏଠାରେ ରହୁଛନ୍ତି। ଏହି ତଦନ୍ତରେ ବିହାର ଭାଗଲପୁରର ଏହି ମହିଳାଙ୍କୁ ଚିହ୍ନଟ କରାଯାଇଥିଲା। ତଦନ୍ତରୁ ଜଣାପଡିଥିଲା ଯେ ତାଙ୍କ ନାମ ଭୋଟର ତାଲିକାରେ ମଧ୍ୟ ପଞ୍ଜିକୃତ ହୋଇଛି ଏବଂ ଏବେ ଏହାକୁ ହଟାଇବା ପ୍ରକ୍ରିୟା ଆରମ୍ଭ ହେଉଛି।
📱 Get Argus News App
✨ବୁଥ୍ ସ୍ତରୀୟ ଅଧିକାରୀ (BLO) ଫରଜାନା ଖାନମ କହିଛନ୍ତି ଯେ ସେ ବିଭାଗରୁ ଏକ ଚିଠି ପାଇଛନ୍ତି, ଯେଉଁଥିରେ ମହିଳାଙ୍କ ପାସପୋର୍ଟ ନମ୍ବର ମଧ୍ୟ ଅନ୍ତର୍ଭୁକ୍ତ ଥିଲା। କ୍ରସ-ଚେକିଂ ସମୟରେ ଜଣାପଡିଲା ଯେ ମହିଳାଙ୍କ ନାମ ଭୋଟର ତାଲିକାରେ ଅଛି। ଏହା ପରେ, ସେମାନେ ବିଭାଗୀୟ ନିର୍ଦ୍ଦେଶ ଅନୁଯାୟୀ ତାଙ୍କ ନାମ ହଟାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
ଫରଜାନା ଖାନମ କହିଛନ୍ତି ଯେ 'ମୁଁ ଅଗଷ୍ଟ ୧୧ ତାରିଖରେ ଗୃହ ମନ୍ତ୍ରଣାଳୟରୁ ଏକ ନୋଟିସ ପାଇଲି। ଉକ୍ତ ମହିଳାଙ୍କ ନାମ ଇମ୍ରାନା ଖାନମ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ । ତାଙ୍କ ପାଖରେ ୧୯୫୬ ମସିହାର ପାସପୋର୍ଟ ଏବଂ ୧୯୫୮ ମସିହାର ଭିସା ଅଛି। ସେ ପାକିସ୍ତାନରୁ ଆସିଥିଲେ। ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ମୁଁ ଫର୍ମ ପୂରଣ କରି ନାମ ହଟାଇବା ପ୍ରକ୍ରିୟା ଆରମ୍ଭ କରିଛି। ବିଭାଗ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ'।
ସେହିପରି ଭାଗଲପୁର ଡିଏମ ଡକ୍ଟର ନଭଲ କିଶୋର ଚୌଧୁରୀ ମଧ୍ୟ ଏହି ବିଷୟକୁ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ଜଣେ ପାକିସ୍ତାନୀ ମହିଳାଙ୍କ ନାମ ଭୋଟର ତାଲିକାରେ ଥିବା ସୂଚନା ମିଳିଛି । ଯାଞ୍ଚ ପରେ, ଫର୍ମ ୭ ପୂରଣ କରି ନାମ ହଟାଇବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ତେବେ ଏଠି ସବୁଠୁ ବଡ଼ ପ୍ରଶ୍ନ ହେଉଛି ଜଣେ ପାକିସ୍ତାନୀ ନାଗରିକଙ୍କ ନାମ ଭୋଟର ତାଲିକାରେ କିପରି ଅନ୍ତର୍ଭୁକ୍ତ ହେଲା ଏବଂ ଏତେ ବର୍ଷ ଧରି ଏହା ବିଷୟରେ କେହି କାହିଁକି ଜାଣିପାରିଲେ ନାହିଁ । ଏଥିରେ ଅବହେଳା ହୋଇଛି କି କେହି ଜାଣିଶୁଣି ଡକ୍ୟୁମେଣ୍ଟ ହେରଫେର କରିଛନ୍ତି ଗୃହ ମନ୍ତ୍ରଣାଳୟ ଏହି ଦିଗରେ ତଦନ୍ତ ଜାରି ରଖିଛି ।