Videos
|
National

Parliament Special Session / ସରକାର ଡାକିଲେ ସଂସଦର ସ୍ୱତନ୍ତ୍ର ବୈଠକ, ନଭେମ୍ବର ୩୦ରେ ଲୋକସଭା...ଡିସେମ୍ବର ୨ରେ ରାଜ୍ୟସଭା

Santosh Kumar Sahoo
Browse all articles by Santosh Kumar Sahoo
·27 mins ago·2 min read
ସରକାର ଡାକିଲେ ସଂସଦର ସ୍ୱତନ୍ତ୍ର ବୈଠକ,  ନଭେମ୍ବର ୩୦ରେ ଲୋକସଭା...ଡିସେମ୍ବର ୨ରେ ରାଜ୍ୟସଭା
Parliament Special Session

Key Points

ଘୋଷଣା ହେଲା ସଂସଦର ଦିନିକିଆ ସ୍ବତନ୍ତ୍ର ଅଧିବେଶନ
ନଭେମ୍ବର ୩୦ରେ ଲୋକସଭା ଅଧିବେଶନ ସୂଚନା
ଡିସେମ୍ବର ୨ ତାରିଖରେ ରାଜ୍ୟସଭା ଅଧିବେଶନ
ଦିଲ୍ଲୀ: କେନ୍ଦ୍ର ସରକାର ଲୋକସଭାର ବାଚସ୍ପତି ଏବଂ ରାଜ୍ୟସଭାର ଅଧ୍ୟକ୍ଷଙ୍କୁ ସଂସଦର ଉଭୟ ଗୃହ ପୁନର୍ବାର ଡକାଇବାକୁ ଅନୁରୋଧ କରିଛନ୍ତି । ପ୍ରସ୍ତାବ ଅନୁଯାୟୀ, ଲୋକସଭା ଅଧିବେଶନ ୩୦ ନଭେମ୍ବର, ୨୦୨୬ରେ ଏବଂ ରାଜ୍ୟସଭା ଅଧିବେଶନ ଡିସେମ୍ବର ୨ରେ ଆରମ୍ଭ ହେବ । ଉଭୟ ଗୃହର କାର୍ଯ୍ୟ ଡିସେମ୍ବର ୩ରେ ଶେଷ ହେବ ବୋଲି ଆଶା କରାଯାଉଛି । ଏହି ବୈଠକରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରାଯିବ। ଏହା ନୂଆ ଅଧିବେଶନ ନୁହେଁ, ବରଂ ପୂର୍ବରୁ ଚାଲିଥିବା ମୌସୁମୀ ଅଧିବେଶନର ଅବଶିଷ୍ଟ କାର୍ଯ୍ୟ ବୋଲି ସ୍ପଷ୍ଟ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ।

କେବେ ବସିବ ଲୋକସଭା ଓ ରାଜ୍ୟସଭା ?

କେନ୍ଦ୍ର ସରକାରଙ୍କ ଅନୁରୋଧ ଅନୁସାରେ, ନଭେମ୍ବର ୩୦ ତାରିଖ ସୋମବାର ଲୋକସଭାର ବୈଠକ ବସିବ। ସେହିପରି ଡିସେମ୍ବର ୨ ତାରିଖ ବୁଧବାର ରାଜ୍ୟସଭାର ବୈଠକ ଡକାଯିବ । ଉଭୟ ସଦନର କାର୍ଯ୍ୟକାଳ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିପାରେ ।
ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ କରି କିରନ ରିଜିଜୁ ଏହି ସୂଚନା ଦେଇଛନ୍ତି । ସଂସଦର ଉଭୟ ସଦନକୁ ପୁଣିଥରେ ଡାକିବା ପାଇଁ ଲୋକସଭା ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସରକାର ଅନୁରୋଧ କରିଛନ୍ତି । ତେବେ ଏହି ବୈଠକରେ କେଉଁ କେଉଁ ପ୍ରସଙ୍ଗ ଉପରେ ଆଲୋଚନା ହେବ, ସେନେଇ ବିସ୍ତୃତ ଏଜେଣ୍ଡା ଏଯାଏଁ ସାମ୍ନାକୁ ଆସିନାହିଁ ।



କାହିଁକି ଅଧାରେ ରହିଥିଲା ମୌସୁମୀ ଅଧିବେଶନ ?

୨୦୨୬ର ସଂସଦର ମୌସୁମୀ ଅଧିବେଶନରେ ବିରୋଧୀ ସାଂସଦଙ୍କ ପ୍ରବଳ ହଟ୍ଟଗୋଳ ଓ ବିରୋଧ ଯୋଗୁଁ ବାରମ୍ବାର ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଏହାପରେ ଅଗଷ୍ଟ ୧୩, ୨୦୨୬ରେ ସଂସଦର ଉଭୟ ସଦନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିଦିଆଯାଇଥିଲା । କିନ୍ତୁ ଅଧିବେଶନର ଔପଚାରିକ ସମାପ୍ତି ବା ପ୍ରୋରୋଗେସନ୍ ହୋଇନଥିବାରୁ ଏହାକୁ ନେଇ ରାଜନୈତିକ ବିବାଦ ଦେଖାଦେଇଥିଲା ।

ମହିଳା ସଂରକ୍ଷଣ ଓ ଡିଲିମିଟେସନ୍‌ ବିଲ୍ ଆସିବ କି ?

ସଂସଦର ବୈଠକ ପୁଣି ଡକାଯିବା ଖବର ପରେ ଏବେ ରାଜନୈତିକ ମହଲରେ ଡିଲିମିଟେସନ୍‌ ଏବଂ ମହିଳା ସଂରକ୍ଷଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ସରକାର ଏହି ସମୟରେ ଏକ ସାମ୍ବିଧାନିକ ସଂଶୋଧନ ବିଲ୍ ଆଣିପାରନ୍ତି ବୋଲି ଆଲୋଚନା ହେଉଛି । ଏହି ପ୍ରସ୍ତାବ ଅନୁସାରେ, ଲୋକସଭାର ବର୍ତ୍ତମାନର ୫୪୩ଟି ଆସନକୁ ବୃଦ୍ଧି କରି ସର୍ବାଧିକ ୮୫୦ଟି କରିବାର ବିକଳ୍ପ ଉପରେ ବିଚାର କରାଯାଇପାରେ । ଏଥିପାଇଁ ଦେଶରେ ନିର୍ବାଚନମଣ୍ଡଳୀର ପୁନଃନିର୍ଦ୍ଧାରଣ ଅର୍ଥାତ୍ ଡିଲିମିଟେସନ୍‌ କରାଯିବାର ଯୋଜନା ରହିଛି ।

ସରକାରଙ୍କ ଉଦ୍ଦେଶ୍ୟ ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ବୋଲି ଚର୍ଚ୍ଚା ହେଉଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: