Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

PM Modi Statement / ରାଷ୍ଟ୍ରପତିଙ୍କୁ ମମତା ସରକାର ଅପମାନିତ କରିବା ନେଇ କ୍ଷୁବ୍ଧ ପ୍ରଧାନମନ୍ତ୍ରୀ; କହିଲେ, ଏହା ଲଜ୍ଜାଜନକ ଓ ଅସାମ୍ବିଧାନିକ

Santosh Kumar Sahoo
Browse all articles by Santosh Kumar Sahoo
·4 months ago·3 min read
ରାଷ୍ଟ୍ରପତିଙ୍କୁ ମମତା ସରକାର ଅପମାନିତ କରିବା ନେଇ କ୍ଷୁବ୍ଧ ପ୍ରଧାନମନ୍ତ୍ରୀ; କହିଲେ, ଏହା ଲଜ୍ଜାଜନକ ଓ ଅସାମ୍ବିଧାନିକ
Narendra Modi

Key Points

ରାଷ୍ଟ୍ରପତିଙ୍କୁ ମମତା ସରକାର ଅପମାନିତ ନେଇ କ୍ଷୁବ୍ଧ ପ୍ରଧାନମନ୍ତ୍ରୀ
ମୋଦି କହିଲେ, ଏହା ଲଜ୍ଜାଜନକ ଓ ଅସାମ୍ବିଧାନିକ
ଗଣତନ୍ତ୍ରରେ ବିଶ୍ବାସ କରୁଥିବା ବ୍ୟକ୍ତିଙ୍କ ପାଇଁ କଷ୍ଟଦାୟକ
ପଶ୍ଚିମବଙ୍ଗରେ ମହାମହିମ ରାଷ୍ଟ୍ରପତିଙ୍କୁ ତୃଣମୂଳ କଂଗ୍ରେସର ଅପମାନ ପ୍ରସଙ୍ଗରେ କ୍ଷୁବ୍ଧ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦି ସୋସିଆଲ୍ ମିଡିଆରେ ପୋଷ୍ଟ କରି TMC ଉପରେ ଜୋରଦାର ବର୍ଷିଛନ୍ତି । ସେ କହିଛନ୍ତି, ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ଏବଂ ଅସାମ୍ବିଧାନିକ । ଗଣତନ୍ତ୍ରରେ ବିଶ୍ବାସ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏହା କଷ୍ଟଦାୟକ । ଏହାଯୋଗୁଁ ଆଦିବାସୀ ସଶକ୍ତିକରଣରେ ବିଶ୍ୱାସ ରଖୁଥିବା ବ୍ୟକ୍ତି ହତାଶ ହୋଇଛନ୍ତି । ଆଦିବାସୀ ସମାଜରୁ ଆସିଥିବା ରାଷ୍ଟ୍ରପତି ନିଜେ ଦୁଃଖ ପ୍ରକାଶ କରିଛନ୍ତି । ଏପରି ଆଚରଣ ଭାରତର ଲୋକଙ୍କ ମନରେ ବହୁତ କଷ୍ଟ ଦେଇଛି । ପଶ୍ଚିମବଙ୍ଗର TMC ସରକାର ପ୍ରକୃତରେ ସବୁ ସୀମା ଅତିକ୍ରମ କରିଛନ୍ତି । ରାଷ୍ଟ୍ରପତିଙ୍କୁ ଅପମାନ ପାଇଁ ସେଠାକାର ପ୍ରଶାସନ ଦାୟୀ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ।



ସେହିପରି ରାଷ୍ଟ୍ରପତିଙ୍କୁ TMCର ଅପମାନ ନେଇ ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'X'ରେ ଅମିତ୍ ଶାହ ଲେଖିଛନ୍ତି, TMC ସରକାର ମହାମହିମ ରାଷ୍ଟ୍ରପତିଙ୍କୁ ଅପମାନିତ କରିଛି । TMC ସରକାର ରାଷ୍ଟ୍ରପତିଙ୍କ ପ୍ରୋଟୋକଲ ପ୍ରତି ସ୍ପଷ୍ଟ ଅବମାନନା କରିଛି । ଏହା ଅତି ଅଶୋଭନୀୟ ଆଚରଣ । ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପ୍ରତି ଅସମ୍ମାନ । ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ଅପମାନ । ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ପ୍ରତିଟି ନାଗରିକ ଗଭୀର ଭାବେ ମର୍ମାହତ ।



ଅନ୍ୟପଟେ ରାଷ୍ଟ୍ରପତିଙ୍କୁ ମମତା ସରକାରର ଅପମାନ ପ୍ରସଙ୍ଗରେ ସୋସିଆଲ୍ ମିଡିଆ `X'ରେ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦେଶର ସର୍ବୋଚ୍ଚ ସାମ୍ବିଧାନିକ କାର୍ଯ୍ୟାଳୟ ପ୍ରତି ଘୋର ଅପମାନ । ଏହା TMC ସରକାରର ସମ୍ବେଦନହୀନତାକୁ ପ୍ରତିଫଳିତ କରେ । ରାଷ୍ଟ୍ରପତି ପଶ୍ଚିମବଙ୍ଗର ପ୍ରଶାସନିକ ବ୍ୟବସ୍ଥା ଉପରେ ଦୁଃଖ ପ୍ରକାଶ କରିଛନ୍ତି । ଏହା କର୍ତ୍ତୃପକ୍ଷଙ୍କ ଆଚରଣ ଏବଂ ପ୍ରସ୍ତୁତି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି । ପଶ୍ଚିମବଙ୍ଗ ସରକାର ଏପରି ସ୍ଥିତି କାହିଁକି ସୃଷ୍ଟି କଲେ ଜବାବ ଦେବାକୁ ହେବ । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପ୍ରତି ଅସମ୍ମାନ ଏବଂ ରାଷ୍ଟ୍ରର ଗରିମାକୁ କ୍ଷୁଣ୍ଣ କରୁଛି । ସାମ୍ବିଧାନିକ କାର୍ଯ୍ୟାଳୟର ପବିତ୍ରତା ରାଜନୀତିର ଊର୍ଦ୍ଧ୍ୱରେ ରହିବା ଉଚିତ୍ । ଆଦିବାସୀ ସମ୍ପ୍ରଦାୟକୁ ସମ୍ମାନ ଦେବାକୁ ଉପଯୁକ୍ତ ସମନ୍ୱୟ ଆବଶ୍ୟକ । ମହାମହିମ ରାଷ୍ଟ୍ରପତିଙ୍କ ମନରେ ନିରାଶା ଭାବ ଜାଗ୍ରତ କରିବା ଅନୁଚିତ୍ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।



ସୂଚନା ଅନୁସାରେ, ଶନିବାର ପଶ୍ଚିମବଙ୍ଗର ଦାର୍ଜିଲିଂରେ ଆୟୋଜିତ ଅନ୍ତର୍ଜାତୀୟ ସାନ୍ତାଳି ସମ୍ମିଳନୀରେ ଯୋଗ ଦେବାକୁ ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ତାଙ୍କୁ ସ୍ବାଗତ କରିବାକୁ ନା ଆସିଥିଲେ ମମତା ନା ଆସିଥିଲେ ତାଙ୍କ ମନ୍ତ୍ରୀମଣ୍ଡଳର ନେତା । ଯାହାକୁ ନେଇ ଗଭୀର ଅସନ୍ତୋଷ ଝାଡ଼ିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତୀୟ ସମ୍ବିଧାନ ଆଧାରିତ ଶାସନ ଗାଦିରେ ବସି ରାଷ୍ଟ୍ରପତିଙ୍କ ଗସ୍ତର ପ୍ରୋଟୋକଲକୁ କେମିତି ଜଣେ ମୁଖ୍ୟମନ୍ତ୍ରୀ ଭଙ୍ଗ କରିପାରନ୍ତି ।

ସ୍ବାଗତ ତ କଲେ ନାହିଁ ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିବାରେ ବି ପଛଘୁଞ୍ଚା ଦେଇ ନାହାନ୍ତି ମମତା । ରାଷ୍ଟ୍ରପତିଙ୍କ ଗସ୍ତ ପରେ ହଠାତ୍ ଅନ୍ତର୍ଜାତୀୟ ସାନ୍ତାଳୀ ସମ୍ମିଳନୀର ସ୍ଥାନ ପରିବର୍ତ୍ତନ କରାଯାଇଛି । କୌଣସି ପ୍ରାକ୍ ସୂଚନା ନଥାଇ ଏଭଳି କରାଯାଇଥିବା ଅଭିଯୋଗ ହୋଇଛି । ଏମିତି କି ଏହି ପରିବର୍ତ୍ତନର ଆବଶ୍ୟକତା ନଥାଇ କାହିଁକି ଏମିତି କରାଗଲା ବୋଲି ପ୍ରଶ୍ନ କରିଛନ୍ତି ରାଷ୍ଟ୍ରପତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi Slams Mamata Government Over Alleged Insult to President Droupadi Murmu in West Bengal | Argus News