Videos
|
National

SEMICON India 2026 / ଭାରତ ପାଲଟିବ ସେମିକଣ୍ଡକ୍ଟରର ବୈଶ୍ବିକ କେନ୍ଦ୍ର, ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କଲେ ମୋଦି

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଭାରତ ପାଲଟିବ ସେମିକଣ୍ଡକ୍ଟରର ବୈଶ୍ବିକ କେନ୍ଦ୍ର, ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କଲେ ମୋଦି
SEMICON India 2026

Key Points

ଭାରତ ପାଲଟିବ ସେମିକଣ୍ଡକ୍ଟରର ବୈଶ୍ବିକ କେନ୍ଦ୍ର
ନୂଆଦିଲ୍ଲୀଠାରେ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କଲେ ମୋଦି
ସମ୍ମିଳନୀରେ ଯୋଗ ଦେଇଛନ୍ତି ବିଶ୍ୱର ୫୨ଟି ଦେଶର ପ୍ରତିନିଧି
ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ମହାଶକ୍ତି ସାଜିବ ଭାରତ । ଆଜି ନୂଆଦିଲ୍ଲୀର ଦ୍ବାରକାସ୍ଥିତ ‘ଯଶୋଭୂମି’ଠାରେ ଦେଶର ସର୍ବବୃହତ ସେମିକଣ୍ଡକ୍ଟର ପ୍ରଦର୍ଶନୀ ‘ସେମିକନ୍ ଇଣ୍ଡିଆ ୨୦୨୬’ର ପଞ୍ଚମ ସଂସ୍କରଣକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ୱର ୫୨ରୁ ଅଧିକ ଦେଶର ଶିଳ୍ପପତି ଓ ବୈଜ୍ଞାନିକମାନଙ୍କ ଉପସ୍ଥିତିରେ ଏହି ମେଗା ଇଭେଣ୍ଟର ଶୁଭାରମ୍ଭ ହୋଇଛି ।

'ସିଲିକନ୍ ଟୁ ସିଷ୍ଟମ୍ସ: ବିଲ୍ଡିଂ ଦି ଇକୋସିଷ୍ଟମ୍' ଥିମ୍‌କୁ ନେଇ ଆରମ୍ଭ ହୋଇଛି ଏହି ୩ ଦିନିଆ ମେଗା ପ୍ରଦର୍ଶନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦ୍‌ଘାଟନ କରିବା ସହ ଭାରତରେ ତିଆରି ହେଉଥିବା ଆଧୁନିକ ଚିପ୍ ଏବଂ ସେମିକଣ୍ଡକ୍ଟର ଟେକ୍ନୋଲୋଜିର ଷ୍ଟଲ୍‌ଗୁଡ଼ିକୁ ବୁଲି ଦେଖିଛନ୍ତି । ଚଳିତ ବର୍ଷ ଏହି ସମ୍ମିଳନୀରେ ବିଶ୍ୱର ୬୦୦ରୁ ଅଧିକ ପ୍ରମୁଖ କମ୍ପାନୀ ଭାଗ ନେଇଛନ୍ତି । ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଭଳି ୬ଟି ଦେଶ ନିଜର ସ୍ବତନ୍ତ୍ର ପାଭିଲିୟନ ପ୍ରସ୍ତୁତ କରିଥିବା ବେଳେ ଓଡ଼ିଶା ସମେତ ଦେଶର ୧୨ଟି ରାଜ୍ୟ ନିଜର ଶିଳ୍ପ ନୀତିକୁ ନେଇ ଏଠାରେ ପ୍ରଦର୍ଶନୀ କରିଛନ୍ତି । ଏ ଅବସରରେ ପିଏମ୍ ମୋଦି କହିଛନ୍ତି, ଭାରତର ସେମିକଣ୍ଡକ୍ଟର ମିଶନ କେବଳ ଦେଶ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱର ସପ୍ଲାଇ ଚେନ୍‌କୁ ସୁଦୃଢ଼ କରିବ । ଆମର ପ୍ରତିଭାବାନ ଯୁବପିଢ଼ି ଏବଂ ସରକାରଙ୍କ ପ୍ରୋତ୍ସାହନ ନୀତି ଯୋଗୁଁ ଆଜି ବିଶ୍ୱର ବଡ଼ ବଡ଼ ନିବେଶକମାନେ ଭାରତ ମୁହାଁ ହେଉଛନ୍ତି ।

ସେମିକନ୍ ଇଣ୍ଡିଆରେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଭାରତ ଏହାର ସେମିକଣ୍ଡକ୍ଟର ମିଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟର ମୂଲ୍ୟ ପ୍ରାୟ ୮ ବିଲିୟନ ଡଲାର ଥିବାବେଳେ, ଦ୍ଵିତୀୟ ପର୍ଯ୍ୟାୟ ପାଇଁ ୧୩.୫ ବିଲିୟନ ଡଲାରର ବ୍ୟୟବରାଦ ଲକ୍ଷ୍ୟ ରଖାଯାଇଛି । ‘ରିଫର୍ମ ଏକ୍ସପ୍ରେସ୍’ ମାଧ୍ୟମରେ ଆନ୍ତର୍ଜାତୀୟ କମ୍ପାନୀଗୁଡ଼ିକ ଏବେ ସେମିକଣ୍ଡକ୍ଟର ଡିଜାଇନିଂ କ୍ଷେତ୍ରରେ ଭାରତୀୟ ଷ୍ଟାର୍ଟଅପ୍ ଏବଂ OCI ସଂସ୍ଥା ସହ ସିଧାସଳଖ ମିଳିତ ଭାବେ କାମ କରିପାରିବେ । ଏହି ଅବସରରେ କେନ୍ଦ୍ର ସରକାର ସେମିକନ୍ ୨.O ଅଧୀନରେ ଦେଶର ପ୍ରାୟ ୨୦୦ଟି ନୂଆ ଷ୍ଟାର୍ଟଅପ୍‌କୁ ଚିପ୍ ଡିଜାଇନିଂ କ୍ଷେତ୍ରରେ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇଦେବାକୁ ଘୋଷଣା କରିଛନ୍ତି । ଆଗାମୀ ଦିନରେ ମୋବାଇଲ୍, ଗାଡ଼ିଠାରୁ ଆରମ୍ଭ କରି ପ୍ରତିରକ୍ଷା ସାମଗ୍ରୀ ପର୍ଯ୍ୟନ୍ତ ସବୁଥିରେ ଭାରତୀୟ ଚିପ୍ ବ୍ୟବହାର କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ।

ଏହି ପ୍ରଦର୍ଶନୀ ଆଗାମୀ ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ, ଯାହା ଭାରତୀୟ ଟେକ୍ନୋଲୋଜି କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆଣିବ ବୋଲି ଆଶା କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: