Videos
|
National

PM Modi Praises Pilot / ସ୍ମିତ୍ ମଚ୍ଛାରଙ୍କୁ ‘ହିରୋ’ କହିଲେ ମୋଦି, ସାହସିକତାକୁ କଲେ ପ୍ରଶଂସା

Santosh Kumar Sahoo
Browse all articles by Santosh Kumar Sahoo
·59 mins ago·2 min read
ସ୍ମିତ୍ ମଚ୍ଛାରଙ୍କୁ ‘ହିରୋ’ କହିଲେ ମୋଦି, ସାହସିକତାକୁ କଲେ ପ୍ରଶଂସା
Captain Smit Machhar

Key Points

୧୭ ହଜାର ଫୁଟ୍ ତଳକୁ ଖସିଲା ବିମାନ
ହାର ମାନିଲେନି ଭାରତୀୟ କ୍ୟାପଟେନ୍
ଭାରତୀୟ ପାଇଲଟ୍‌ଙ୍କ ସାହସିକତାକୁ ପ୍ରଶଂସା

ପ୍ରକୃତ ନାୟକ ଭାରତୀୟ ପାଇଲଟ୍‌ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଭାରତୀୟ ପାଇଲଟ୍‌ ସ୍ମିତ ମଚ୍ଛାରଙ୍କୁ ପ୍ରକୃତ ନାୟକ କହି ପ୍ରଶଂସା କରିଛନ୍ତି । କୋ-ପାଇଲଟ୍‌ଙ୍କ ଆକ୍ରମଣ ଓ ବିମାନ କ୍ରାସ୍ କରିବା ଉଦ୍ୟମକୁ ବିଫଳ କଲେ ଭାରତୀୟ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର । ଦୁବାଇ-ତେଲ୍ ଆଭିବ ଫ୍ଲାଏ ଦୁବାଇ ବିମାନରେ ଟଳିଲା ବଡ଼ ଧରଣର ବିପର୍ଯ୍ୟୟ । କ୍ୟାପ୍ଟେନ୍ ମଚ୍ଛର୍ ୧୭୪ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି । ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଏହାକୁ ଏକ ଜିହାଦୀ ଆତଙ୍କବାଦୀ ଆକ୍ରମଣର ଉଦ୍ୟମ ବୋଲି କହିଛନ୍ତି ।



ବିମାନ ଚାଲିଥିବା ସମୟରେ କୋ-ପାଇଲଟ୍‌‌ ଜଣକ ବିମାନକୁ କ୍ରାସ୍ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଭାରତୀୟ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର ନିଜ ଜୀବନକୁ ବାଜି ଲଗାଇ ଏହି ଷଡ଼ଯନ୍ତ୍ରକୁ ପଣ୍ଡ କରିଛନ୍ତି । ଫ୍ଲାଏ ଦୁବାଇର ଫ୍ଲାଇଟ୍ FZ1073 ଦୁବାଇରୁ ୧୭୪ ଜଣ ଯାତ୍ରୀଙ୍କୁ ନେଇ ଇସ୍ରାଏଲର ତେଲ୍ ଆଭିବ୍ ଅଭିମୁଖେ ଯାଉଥିଲା । ସେହି ସମୟରେ କୋ-ପାଇଲଟ୍‌ ଜଣକ କ୍ୟାପ୍ଟେନ୍ ସମିତ୍ ମଚ୍ଛର୍‌‌ଙ୍କୁ ଛୁରିମାଡ଼ କରି ଗୁରୁତର କରିଥିଲେ ଏବଂ ବିମାନକୁ ତଳକୁ ଖସାଇ ଦେବାକୁ ଚେଷ୍ଟା କରିଥିଲେ । ଫଳରେ ବିମାନଟି ମାତ୍ର ଦୁଇ ମିନିଟ୍ ଭିତରେ ପ୍ରାୟ ୧୭ ହଜାର ଫୁଟ୍ ତଳକୁ ଖସିଯାଇଥିଲା ଏବଂ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।

କିନ୍ତୁ ଆହତ ହେବା ସତ୍ତ୍ବେ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର ଅତ୍ୟନ୍ତ ସାହସିକତା ସହ କୋ-ପାଇଲଟ୍‌ଙ୍କ ସହ ଲଢ଼େଇ କରିଥିଲେ ଏବଂ କକପିଟ୍ ଦ୍ୱାର ଖୋଲିଦେଇଥିଲେ । ପରେ ସାହସୀ ଯାତ୍ରୀ ଓ କ୍ରୁ-ମେମ୍ବରମାନେ ଭିତରକୁ ପଶି ଆକ୍ରମଣକାରୀ କୋ-ପାଇଲଟ୍‌କୁ କାବୁ କରିନେଇଥିଲେ । ପରେ ବିମାନଟି ସାଉଦି ଆରବର ତବୁକ୍ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ଆକ୍ରମଣକାରୀ କୋ-ପାଇଲଟ୍‌କୁ ସାଉଦି କର୍ତ୍ତୃପକ୍ଷ ଗିରଫ କରି ପଚରାଉଚରା ଜାରି ରଖିଛନ୍ତି ।



ସେପଟେ ଭାରତୀୟ ପାଇଲଟ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ମିତ୍‌ ମଚ୍ଛାରଙ୍କୁ ହିରୋ କହିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ମଚ୍ଛାର ଗୁରୁତର ଆହତ ସତ୍ତ୍ବେ ଅନ୍ୟମାନଙ୍କ ଜୀବନ ରକ୍ଷା କରିଥିଲେ । ଅସାଧାରଣ ସାହସ ଓ ଦୃଢ଼ ସଂକଳ୍ପ ପ୍ରଦର୍ଶନ କରିଥିଲେ । ତାଙ୍କର ବୀରତ୍ୱ ଶହ ଶହ ଜୀବନ ବଞ୍ଚାଇଥିଲା । ଏକ ବଡ଼ ଧରଣର ଦୁର୍ଘଟଣାକୁ ଏଡ଼ାଇବାରେ ସହାୟକ ହୋଇଥିଲା । କ୍ୟାପଟେନ୍ ମଚ୍ଛାରଙ୍କ ପାଇଁ ପୂରା ଭାରତ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: