Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପାଇପ୍ ଯୋଗେ ଗ୍ୟାସ୍ ସଂଯୋଗ ଥିଲେ ମିଳିବନି LPG,କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟର କଟକଣା

National

PNG user not get LPG / ପାଇପ୍ ଯୋଗେ ଗ୍ୟାସ୍ ସଂଯୋଗ ଥିଲେ ମିଳିବନି LPG,କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟର କଟକଣା

Bikash Mohanty
Browse all articles by Bikash Mohanty
·1 month ago·2 min read
ପାଇପ୍ ଯୋଗେ ଗ୍ୟାସ୍ ସଂଯୋଗ ଥିଲେ ମିଳିବନି LPG,କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟର କଟକଣା
Png

Key Points

ପିଏନ୍‌ଜି ଥିଲେ ମିଳିବନି ଏଲ୍‌ପିଜି
କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ କଟକଣା
ପର୍ଯ୍ୟାପ୍ତ ମାତ୍ରାରେ ଅଛି  ପେଟ୍ରୋଲ୍, ଡିଜେଲ୍
ପାଇପ୍ ଯୋଗେ ଗ୍ୟାସ୍ ସଂଯୋଗ ( ପିଏନ୍‌ଜି) ଥିଲେ ଲୋକମାନେ ଏଲ୍‌ପିଜି ରଖିପାରିବେ ନାହିଁ । କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଏଲ୍‌ପିଜି ଯୋଗାଣ ସମେତ ପେଟ୍ରୋଲ୍, ଡିଜେଲ୍ ବିକ୍ରି ଉପରେ କେତେକ କଟକଣା ଲଗାଇଛି। ଘରେ ପାଇପ୍ ଯୋଗେ ଗ୍ୟାସ୍ ସଂଯୋଗ ( ପିଏନ୍‌ଜି) ଥିଲେ ଲୋକମାନେ ଏଲ୍‌ପିଜି ରଖିପାରିବେ ନାହିଁ। ପିଏନ୍‌ଜି ସଂଯୋଗ ଥିବା ବ୍ୟକ୍ତିମାନେ ସରକାରୀ କମ୍ପାନି ବିତରକଙ୍କ ଜରିଆରେ କୌଣସି ଘରୋଇ ଏଲ୍‌ପିଜି ସଂଯୋଗ ପାଇପାରିବେ ନାହିଁ। ପିଏନ୍‌ଜି ଥିଲେ ଘରୋଇ ଏଲ୍‌ପିଜି ସଂଯୋଗକୁ ସରେଣ୍ଡର୍ କରିବା ପାଇଁ କୁହାଯାଇଛି।

ଏଥିସ‌ହିତ ଦେଶବ୍ୟାପୀ ପେଟ୍ରୋଲ୍ ପମ୍ପଗୁଡ଼ିକରେ ପର୍ଯ୍ୟାପ୍ତ ମାତ୍ରାରେ ପେଟ୍ରୋଲ୍, ଡିଜେଲ୍ ଉପଲବ୍ଧ ଥିବା କୁହାଯାଇଛି। ପେଟ୍ରୋଲ୍, ଡିଜେଲ୍ ବିକ୍ରି ନେଇ ନାଗରିକମାନଙ୍କ ପାଇଁ ଏକ ପରାମର୍ଶ ଜାରି କରାଯାଇଛି। ସେଥିରେ ପେଟ୍ରୋଲ୍‌ ଓ ଡିଜେଲ୍‌କୁ ଅନୁପଯୁକ୍ତ ପାତ୍ରରେ ନେଇ ଘରେ ମହଜୁଦ ନ ରଖିବାକୁ ମନ୍ତ୍ରାଳୟ ପରାମର୍ଶ ଦେଇଛି। ଲୋକଙ୍କ ଏଭଳି ଅଭ୍ୟାସ ଗୁରୁତର ବିପଦ ସୃଷ୍ଟି କରିବ। ପେଟ୍ରୋଲ୍‌, ଡିଜେଲ୍‌ ବିକ୍ରି ସମୟରେ ପେଟ୍ରୋଲ୍‌ ପମ୍ପଗୁଡ଼ିକ ସୁରକ୍ଷା ମାର୍ଗଦର୍ଶିକାକୁ ମଧ୍ୟ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଧାର୍ଯ୍ୟ ସୁରକ୍ଷା ନିୟମକୁ ଉଲ୍ଲଂଘନ କଲେ ପେଟ୍ରୋଲ୍‌ ପମ୍ପଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଦେଶର ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ ଆରମ୍ଭ ହୋଇଛି। କଳାବଜାରୀ ଓ ମହଜୁଦକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦେଶବ୍ୟାପୀ ଚଢ଼ଉ, ଯାଞ୍ଚ ଜାରି ରହିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଫଳରେ ଦେଶରେ ଲୋକମାନେ ଅଧିକ ସଂଖ୍ୟାରେ ଘରୋଇ ଏଲ୍‌ପିଜି ବୁକିଂ କରୁଛନ୍ତି। ଦୈନିକ ଏଲ୍‌ପିଜି ବୁକିଂ ୭୫ ଲକ୍ଷରୁ ପ୍ରାୟ ୮୮ ଲକ୍ଷକୁ ବୃଦ୍ଧି ପାଇଛି। ଏଲ୍‌ପିଜି ଯୋଗାଣ ସ୍ଥିତି ଚିନ୍ତାଜନକ ଥିଲେ ମଧ୍ୟ ପ୍ରତ୍ୟେକ ପରିବାର ଯେଭଳି ଏଲ୍‌ପିଜି ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ତାହା ଉପରେ ଧ୍ୟାନ ଦିଆଯାଉଛି। ଘରୋଇ ଏଲ୍‌ପିଜି ଗ୍ରାହକଙ୍କୁ ଅଗ୍ରାଧିକାର ଦିଆଯାଉଛି ବୋଲି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି। 

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ହୋର୍ମୁଜ ଜଳମାର୍ଗରେ ନୌପରିବହନ ବାଧା ପାଇଛି। ଏଭଳି ସ୍ଥିତିରେ ହୋର୍ମୁଜ୍‌ରେ ଦୁଇ ଭାରତୀୟ ଏଲ୍‌ପିଜି ଟ୍ୟାଙ୍କରଙ୍କୁ ଅନୁମତି ମିଳିଛି। ବର୍ତ୍ତମାନ ଭାରତମୁହାଁ ଏହି ଏଲ୍‌ପିଜି ଟ୍ୟାଙ୍କରଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଭାରତୀୟ ନୌସେନାର ଯୁଦ୍ଧଜାହାଜ ଗୁଡ଼ିକ ଓମାନ ଉପସାଗରରେ ପହଞ୍ଚିଛନ୍ତି ଏବଂ ବାଣିଜ୍ୟ ପରିବହନ ଉପରେ ନଜର ରଖିଛନ୍ତି। ନୌସେନାର ସୁରକ୍ଷା ସହ ଭାରତ ଆସୁଛି ଏହି ଭାରତ ପତାକାଯୁକ୍ତ ଏଲ୍‌ପିଜି ଟ୍ୟାଙ୍କର।
ଏଥିସହ ପଢ଼ନ୍ତୁ: ଗ୍ୟାସ୍ ସଂକଟ ବେଳେ ଆଇଆରସିଟିସି ନେଲା ବଡ଼ ନିଷ୍ପତ୍ତି
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PNG user not get LPG | PNG Connection Users Cannot Keep LPG Cylinders – New Rule by Petroleum Ministry | Argus News