୨ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ : ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ । ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁସାରେ ଆସନ୍ତାକାଲିଠାରୁ ୨ ଦିନିଆ ଗସ୍ତରେ ରୁଷିଆ ଓ ଅଷ୍ଟ୍ରିଆ ଗସ୍ତ କରିବେ ପିଏମ ମୋଦି । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ଜୁଲାଇ ୮ ରୁ ୯ ପର୍ଯ୍ୟନ୍ତ ମସ୍କୋରେ ରହିବେ । ପ୍ରଧାନମନ୍ତ୍ରୀ ମୋଦି ଓ ପୁଟିନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବା ସମ୍ଭାବନା ରହିଛି । ରୁଷ-ୟୁକ୍ରେନ ଯୁଦ୍ଧ ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ରୁଷିଆ ଗସ୍ତ । ଆଲୋଚନାରେ ରୁଷ-ଭାରତ ସମ୍ପର୍କ ସହ ଆନ୍ତର୍ଜାତିକ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇପାରେ ତୃତୀୟ ଥର ପାଇଁ ନିର୍ବାଚିତ ହେବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ରୁଷିଆ ଗସ୍ତ ହେବ। ମୋଦି ଶେଷଥର ପାଇଁ ୨୦୧୯ରେ ରୁଷିଆ ଗସ୍ତରେ ଯାଇଥିଲେ ।
ଅଧିକ ପଢନ୍ତୁ : ବିଦେଶ ଗସ୍ତରେ ମୋଦି
ଏହାପରେ ୯ ତାରିଖରେ ଅଷ୍ଟ୍ରିଆ ଗସ୍ତ କରିବେ ପିଏମ ମୋଦି । 41 ବର୍ଷ ପରେ ଏହା ହେବ ଭାରତ ପ୍ରଧାନମନ୍ତ୍ରୀଙ୍କ ଅଷ୍ଟ୍ରିଆ ଗସ୍ତ । ଅଷ୍ଟ୍ରିଆ ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ୱାନ୍ ଡେର୍ ବେଲେନଙ୍କୁ ଭେଟିବା ସହ ଅଷ୍ଟ୍ରିଆ ଚାନସେଲର କାର୍ଲ ନେହାମର୍ଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଗସ୍ତକାଳରେ ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ଓ ଭିଏନାରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବା ସମ୍ଭାବନା ରହିଛି ।