ମଙ୍ଗଳବାର ଓଡ଼ିଶାରେ ପ୍ରବେଶ କରିବ ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରା

ଭୁବନେଶ୍ୱର: 6 ତାରିଖ ଦିନ ଓଡ଼ିଶାରେ ପ୍ରବେଶ କରିବ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା। ଝାଡ଼ଖଣ୍ଡଦେଇ ସୁନ୍ଦରଗଡ଼ରେ ପ୍ରବେଶ କରିବ ରାହୁଲଙ୍କ ଯାତ୍ରା। ମଙ୍ଗଳବାର ସନ୍ଧ୍ୟାରେ ବୀରମିତ୍ରପୁରରେ ରାହୁଲଙ୍କୁ ସ୍ବାଗତ ପାଇଁ କଂଗ୍ରେସ ପକ୍ଷରୁ କରାଯାଇଛି ବଡ଼ ପ୍ରସ୍ତୁତି। ୩ ଟି ସାଂଗଠନିକ ଜିଲ୍ଲା ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ୭ ଓ ୮ ତାରିଖରେ ରହିଛି ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମ । ଓଡ଼ିଶାରେ ପ୍ରବେଶ କରି ସୁନ୍ଦରଗଡ଼ରେ ରୋଡ୍ ସୋ' କରିବେ। 7 ତାରିଖରେ ରାଉରକେଲା ପାନପୋଷରେ ଏକ ଜନସଭାକୁ ସମ୍ବୋଧନ କରିବେ। ରାଜ୍ୟରେ ପ୍ରାୟ ୨୦୦ କିଲୋମିଟର ପଦଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ୬ ତାରିଖ ଦିନ କୁଆଁରମୁଣ୍ଡାର ରାମ୍ପାଲ ଠାରେ ରାହୁଲ ରାତ୍ରୀ ଯାପନ କରିବେ।
ରାହୁଲ ଏପରି ସମୟରେ ଓଡ଼ିଶାରେ ସଭା ଓ ରୋଡ ଶୋ କରୁଛନ୍ତି ଯେତେବେଳେ କଂଗ୍ରେସ ଉଭୟ ରାଜ୍ୟ ଓ ଦେଶରେ ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି। 2000ରେ କ୍ଷମତାରୁ ଯିବା ପରଠୁ ଲଗାତାର ଭାବେ ରାଜ୍ୟରେ କଂଗ୍ରସର ସ୍ଥିତି ଖରାପ ହୋଇଚାଲିଛି। 2004 ମସିହାରେ କଂଗ୍ରେସର ଭୋଟ୍ ହାର ଥିଲା 34.82 ପ୍ରତିଶତ। 2009ରେ ଏହା 29.10 ପ୍ରତିଶତକୁ ଖସିଆସିଥିଲା। 2014 ବିଧାନସଭା ନିର୍ବାଚନରେ ଓଡ଼ିଶା କଂଗ୍ରସ ଭୋଟ୍ ହାର ଖସି ପହଞ୍ଚିଥିଲା 25.7 ପ୍ରତିଶତରେ। ତେବେ 2019 ବିଧାନସଭା ନିର୍ବାଚନରେ କଗ୍ରେସ ସବୁଟୁ ଖରାପ ପର୍ଦର୍ଶନ କରିବା ସହ ଦଳର ଭୋଟ୍ ହାର 16.12 ପ୍ରତିଶତରେ ପହଞ୍ଚିଥିଲା। ଏଥିସହ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ହରାଇ ରାଜ୍ୟରେ ପାଲଟିଥିଲା 3 ନମ୍ବର ଦଳ। ଓଡ଼ିଶାରେ ପାରମ୍ପରିକ ଭାବେ ଆଦିବାସୀ, ଦଳିତ ଓ ଗରିବ ଶ୍ରେଣୀର ଲୋକେ କଂଗ୍ରେସ ଭୋଟ୍ ବ୍ୟାଙ୍କ ରହିଆସିବା ବେଳେ। 2004 ପରଠୁ ସେମାନଙ୍କର ଜନାଧାର ଲଗାତାର ହରାଇ ଚାଲିଛି କଂଗ୍ରେସ। ଏହି ବର୍ଗଙ୍କର ଭୋଟ୍ ଉଭୟ ବିଜେପି ଓ ବିଜେଡିକୁ ସମୟକ୍ରମେ ଚାଲିଯାଇଛି।
ଏପରିକି 2004ରୁ 2014 ମସିହା ପର୍ଯ୍ୟନ୍ତ କେନ୍ଦ୍ରରେ କଂଗ୍ରେସ କ୍ଷମତାସୀନ ଥିଲେ ବି ଓଡ଼ିଶାରେ ଦଳର ସ୍ଥିତିରେ କୌଣସି ସୁଧାର ଆସିପାରିନଥିଲା। 2009ରେ ଯେତେବେଳେ ବିଜେପି- ବିଜେଡି ମେଣ୍ଟ ଭାଙ୍ଗିଥିଲା କଂଗ୍ରେସ ପାଖରେ ନିଜ ସ୍ଥିତି ସୁଧାରିବା ପାଇଁ ବଡ଼ ସୁଯୋଗ ଥିଲା। କିନ୍ତୁ ପରେକ୍ଷରେ ନବୀନ ସରକାରକୁ ସମର୍ଥନ କରି ରାଜ୍ୟରେ କ୍ଷମତା ବଜାୟ ରଖିବାରେ ସହାୟକ ହୋଇଥିଲା କଂଗ୍ରେସ। ସେହି ଭୁଲ ଯୋଗୁଁ କଂଗ୍ରେସର ସ୍ଥିତି ଦୁର୍ବଳ ହୋଇଚାଲିଥିବା କହିଛନ୍ତି ରାଜନୀତି ସମୀକ୍ଷକ। କଂଗ୍ରେସକୁ ଟ୍ରକ୍ କୁ ଆଣିବାରେ ନା କେନ୍ଦ୍ରୀୟ ନେତୃତ୍ବ ନା ରାଜ୍ୟ ନେତୃତ୍ବ କେହି ଆଜିଯାଏ ସଫଳ ହୋଇପାରିନାହାନ୍ତି। ବରଂ ସାମର୍ଥ ରଖୁଥିବା ନେତା ଦଳର ହାତ ଛାଡ଼ିବା ସହ କଂଗ୍ରେସ ଅଧିକରୁ ଅଧିକ ଦୁର୍ବଳ ହୋଇଛି। ଏଭଳି ସ୍ଥିତିରେ ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରା ଓଡ଼ିଶା କଂଗ୍ରେସକୁ ଉଦ୍ଧାର କରିବାର କେତେ ସହାୟକ ହୋଇପାରିବ ତାହା ବଡ଼ ପ୍ରଶ୍ନ।
ଅଧିକ ପଢନ୍ତୁ ଓଡ଼ିଶା ଖବର