Videos
|
National

Railway Travel Insurance / ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର ! ମାତ୍ର ୪୫ ପଇସାରେ ମିଳିବ ୧୦ ଲକ୍ଷ ଟଙ୍କାର ସୁବିଧା

Santosh Kumar Sahoo
Browse all articles by Santosh Kumar Sahoo
·1 day ago·2 min read
ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର ! ମାତ୍ର ୪୫ ପଇସାରେ ମିଳିବ ୧୦ ଲକ୍ଷ ଟଙ୍କାର ସୁବିଧା
Railway Travel Insurance

Key Points

ରେଳବାଇର ବଡ଼ ଘୋଷଣା
୪୫ ପଇସା ଦେଇ ପାଆନ୍ତୁ ୧୦ ଲକ୍ଷ ଟଙ୍କାର ସୁରକ୍ଷା
ଟ୍ରେନ୍ ଟିକେଟ୍‌ରେ ମିଳୁଛି ୧୦ ଲକ୍ଷ ଟଙ୍କାର ବୀମା
ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଉଛି । ଏଣିକି ଯାତ୍ରୀମାନେ କାଉଣ୍ଟରରେ ଟିକେଟ୍ କିଣିଲେ ମଧ୍ୟ ସେମାନଙ୍କୁ ଏବେ ବୀମା କଭରେଜ୍ ପ୍ରଦାନ କରାଯିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ନିଷ୍ପତ୍ତି ନିଆଯାଇଛି। ରେଳବାଇ ଏହାକୁ ୨୭ ଅକ୍ଟୋବର, ୨୦୨୬ ଠାରୁ କାର୍ଯ୍ୟକାରୀ କରିବ ।
ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନିଆଯାଉଛି । ଏହାଦ୍ୱାରା ଅନଲାଇନ୍‌ରେ ଟିକେଟ୍ ବୁକିଂ କରୁଥିବା ଯାତ୍ରୀଙ୍କ ଭଳି ଅଫଲାଇନ୍‌ରେ ଟିକେଟ୍ କିଣୁଥିବା ଯାତ୍ରୀମାନେ ମଧ୍ୟ ବୀମା ସୁରକ୍ଷା ପାଇବାର ସୁଯୋଗ ପାଇବେ ।

ଏବେ କାଉଣ୍ଟର ଟିକେଟ୍‌ରେ ମଧ୍ୟ ମିଳିବ ବୀମା ସୁବିଧା

ଏପର୍ଯ୍ୟନ୍ତ IRCTCର ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଟିକେଟ୍ ବୁକ୍ କରୁଥିବା ଯାତ୍ରୀମାନେ ଟିକେଟ୍ ବୁକିଂ ସମୟରେ ଇଚ୍ଛାଧୀନ ଯାତ୍ରା ବୀମା ବାଛିବାର ସୁବିଧା ପାଉଥିଲେ । କିନ୍ତୁ ରେଳ ଷ୍ଟେସନର ରିଜର୍ଭେସନ୍ କାଉଣ୍ଟରରୁ ଟିକେଟ୍ କିଣୁଥିବା ଯାତ୍ରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ନଥିଲା ।
ଏହି ଅସମାନତାକୁ ଦୂର କରିବା ପାଇଁ କାଉଣ୍ଟର ଟିକେଟ୍‌ରେ ମଧ୍ୟ ବୀମା ସୁବିଧା ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନିଆଯାଉଛି । ଏହାଦ୍ୱାରା ଡିଜିଟାଲ୍ ସେବା ବ୍ୟବହାର କରିପାରୁନଥିବା ଯାତ୍ରୀମାନେ ମଧ୍ୟ ଉପକୃତ ହେବେ ।

୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରେ ବୀମା କଭର

ବର୍ତ୍ତମାନର ଅନଲାଇନ୍ ରେଳ ଯାତ୍ରା ବୀମା ଯୋଜନା ଅନୁଯାୟୀ, ପଲିସିର ସର୍ତ୍ତାବଳୀ ଅନୁସାରେ ଯାତ୍ରୀଙ୍କ ମୃତ୍ୟୁ କିମ୍ବା ସ୍ଥାୟୀ ସମ୍ପୂର୍ଣ୍ଣ ଅକ୍ଷମତା ହେଲେ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର ମିଳିପାରେ ।

ବର୍ତ୍ତମାନ ଅନଲାଇନ୍ ଟିକେଟ୍ ବୁକିଂ ସମୟରେ ଏହି ବୀମା ପାଇଁ ଟିକସ ସହିତ ପ୍ରତି ଯାତ୍ରୀଙ୍କୁ ୪୫ ପଇସା ପ୍ରିମିୟମ୍ ଦେବାକୁ ପଡ଼ୁଛି। ତେବେ କାଉଣ୍ଟର ଟିକେଟ୍ ପାଇଁ କେତେ ପ୍ରିମିୟମ୍ ଦେବାକୁ ପଡ଼ିବ, କେଉଁ ଦସ୍ତାବିଜ ଆବଶ୍ୟକ ହେବ ଏବଂ କ୍ଷତିପୂରଣ ଦାବି କରିବାର ପ୍ରକ୍ରିୟା କ’ଣ ରହିବ, ସେନେଇ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଆଗଲା ପଦକ୍ଷେପ

୨୦୨୩ ମସିହା ଜୁନ୍ ମାସରେ ଓଡ଼ିଶାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ସମ୍ପର୍କିତ ରେଳ ସୁରକ୍ଷା ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । ଅକ୍ଟୋବର ୬ ତାରିଖରେ ବିଚାରପତି ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଆର୍. ମହାଦେବନଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଶୁଣାଣି କରିଥିଲେ । 

ପୂର୍ବରୁ ଆଶ୍ୱାସନା ଦିଆଯାଇଥିବା ସତ୍ତ୍ୱେ ଅଫଲାଇନ୍ ଟିକେଟ୍ ଯାତ୍ରୀଙ୍କୁ ବୀମା ସୁବିଧା ଦେବାରେ ବିଳମ୍ବ ହୋଇଥିବାରୁ ଖଣ୍ଡପୀଠ ଉଦ୍‌ବେଗ ପ୍ରକାଶ କରିଥିଲେ । ଦୁଇ ସପ୍ତାହ ମଧ୍ୟରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ରେଳ ବୋର୍ଡକୁ ନିର୍ଦ୍ଦେଶ ଦେବା ସହ ୨୭ ଅକ୍ଟୋବରକୁ ସମୟସୀମା ଭାବେ ଧାର୍ଯ୍ୟ କରାଯାଇଛି। ନିର୍ଦ୍ଦେଶ ପାଳନ ନହେଲେ ରେଳ ବୋର୍ଡକୁ ସିଧାସଳଖ ଦାୟୀ କରାଯିବ ବୋଲି ମଧ୍ୟ ଖଣ୍ଡପୀଠ ଚେତାବନୀ ଦେଇଛନ୍ତି।

ଯାତ୍ରୀଙ୍କ ପାଇଁ କ’ଣ ଲାଭ ହେବ ?

ଏହି ନୂଆ ବ୍ୟବସ୍ଥା ଲାଗୁ ହେଲେ କାଉଣ୍ଟରରୁ ସଂରକ୍ଷିତ ଟିକେଟ୍ କିଣୁଥିବା ଯାତ୍ରୀମାନେ ମଧ୍ୟ ଯାତ୍ରା ବୀମା ପାଇବାର ସୁଯୋଗ ପାଇବେ। ବିଶେଷକରି ଯେଉଁମାନେ ଅନଲାଇନ୍ ଟିକେଟ୍ ବୁକିଂ କରିବାରେ ଅସୁବିଧା ଅନୁଭବ କରନ୍ତି କିମ୍ବା ଡିଜିଟାଲ୍ ସେବା ବ୍ୟବହାର କରିପାରନ୍ତି ନାହିଁ, ସେମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
Railway Travel Insurance: Up to ₹10 Lakh Cover for 45 Paise | Argus News Odia