Videos
|
National

Raul John Aju Putin Selfie / ପୁଟିନଙ୍କ ସହ ସେଲ୍ଫି, ବାପାଙ୍କୁ ଦେଇଛନ୍ତି ଚାକିରି...ଭାରତର AI Wonder Kid ରାଉଲ୍ ଜନ୍ ଅଜୁ କିଏ ?

Debashree Debasmita Sahoo
Browse all articles by Debashree Debasmita Sahoo
·13 mins ago·3 min read
ପୁଟିନଙ୍କ ସହ ସେଲ୍ଫି, ବାପାଙ୍କୁ ଦେଇଛନ୍ତି ଚାକିରି...ଭାରତର AI Wonder Kid ରାଉଲ୍ ଜନ୍ ଅଜୁ କିଏ ?
AI Kid Of India Raul John Aju Putin Selfie

Key Points

୯ ବର୍ଷ ବୟସରେ ବାଥରୁମ୍‌ରୁ ଭିଡିଓ ତିଆରି ଆରମ୍ଭ
୧୨ ବର୍ଷରେ ତିଆରି କଲେ ପ୍ରଥମ ରୋବୋଟ୍
ଏବେ ୧୬ ବର୍ଷରେ AI ଷ୍ଟାର୍ଟଅପ୍‌ର ମୁଖ୍ୟ
ଥିରୁଅନନ୍ତପୁରମ: ବୟସ ମାତ୍ର ୧୬ ବର୍ଷ... କିନ୍ତୁ ସଫଳତାର ତାଲିକା ଏମିତି, ଯାହା ବଡ଼ ବଡ଼ ଟେକ୍ନୋଲୋଜି ବିଶେଷଜ୍ଞଙ୍କୁ ବି ଚକିତ କରିଦେଉଛି । ଦିନେ ବାଥରୁମ୍‌ରେ ଭିଡିଓ ତିଆରି କରୁଥିବା ଛୋଟ ପିଲା, ଆଜି ରୁଷିଆର ମସ୍କୋରେ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ସହ ସେଲ୍ଫି ନେଉଛନ୍ତି । ଏହି କାହାଣୀ ହେଉଛି କେରଳର ରାଉଲ୍ ଜନ୍ ଅଜୁଙ୍କର, ଯିଏ ଆଜି ସାରା ବିଶ୍ଵରେ ‘AI Kid of India’ ଭାବେ ପରିଚିତ ।

  • ପୁଟିନଙ୍କ ସହ ସେଲ୍ଫିକୁ ନେଇ ଚର୍ଚ୍ଚା
ମସ୍କୋରେ ଆୟୋଜିତ 'AI Journey 2026' ସମ୍ମିଳନୀରେ ରାଉଲ୍ ଜନ୍ ଅଜୁଙ୍କୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ସହ ସେଲ୍ଫି ନେବାର ସୁଯୋଗ ମିଳିଛି । ଏହି ଫଟୋକୁ ସେ ନିଜ ସୋସିଆଲ୍ ମିଡିଆରେ ସେୟାର୍ କରିବା ପରେ ତାଙ୍କ ଯାତ୍ରାକୁ ନେଇ ଚର୍ଚ୍ଚା ବଢ଼ିଛି । ରାଉଲ୍ କହିଛନ୍ତି ଯେ, ୯ ବର୍ଷ ବୟସରେ ପ୍ରଥମ ଭିଡିଓ ତିଆରି କରିବା ସମୟରେ ସେ କେବେ ଭାବିନଥିଲେ ଯେ ଦିନେ ଏଭଳି ମଞ୍ଚରେ ପହଞ୍ଚିବେ । ତାଙ୍କ ପାଇଁ ଏହି ସଫଳତା କେବଳ ଉପଲବ୍ଧି ନୁହେଁ, ବରଂ ନିଜକୁ ଜଣେ ଭଲ ମଣିଷ ଭାବେ ଗଢ଼ିବାର ଯାତ୍ରା ବୋଲି ସେ କହିଛନ୍ତି ।

  • ୧୨ ବର୍ଷରେ ତିଆରି କରିଥିଲେ ପ୍ରଥମ ରୋବୋଟ୍
ରାଉଲ୍‌ଙ୍କ ଟେକ୍ନୋଲୋଜି ପ୍ରତି ଆଗ୍ରହ ବେଶ୍ ଛୋଟ ବୟସରୁ ଆରମ୍ଭ ହୋଇଥିଲା । ଭିଡିଓ ଏଡିଟିଂରୁ ଆରମ୍ଭ ହୋଇଥିବା ତାଙ୍କର ଏହି ଯାତ୍ରା, ଧୀରେ ଧୀରେ ଏଆଇ ଏବଂ ରୋବୋଟିକ୍ସ ଦୁନିଆରେ ପହଞ୍ଚିଥିଲା । ୧୨ ବର୍ଷ ବୟସରେ ସେ ନିଜର ପ୍ରଥମ ରୋବୋଟ୍ ‘MeBot’ ତିଆରି କରିଥିଲେ । ଏହା ଏକ ସ୍କୁଲ୍ ସାଇନ୍ସ ପ୍ରୋଜେକ୍ଟ ଥିଲା । ବାପାଙ୍କୁ Adobeରେ ଚାକିରି ମିଳିବା ପରେ ରାଉଲ୍‌ଙ୍କୁ ଅନେକ ଡିଜିଟାଲ୍ ଟୁଲ୍ ବ୍ୟବହାର କରିବା ଏବଂ ଟେକ୍ନୋଲୋଜିକୁ ଆହୁରି ଗଭୀର ଭାବେ ବୁଝିବାର ସୁଯୋଗ ମିଳିଥିଲା ।

  • ସରକାରଙ୍କୁ ମଧ୍ୟ ଦେଉଛନ୍ତି ପରାମର୍ଶ
ଏବେ ରାଉଲ୍ ୧୦ରୁ ଅଧିକ ଏଆଇ ଟୁଲ୍ ବିକଶିତ କରିସାରିଛନ୍ତି । RESQ AI, MeBot, ZapGap, Investo AI ଏବଂ FeedFye ଭଳି ପ୍ରଡକ୍ଟ ତିଆରି କରି ସେ ବାସ୍ତବ ଜୀବନର ସମସ୍ୟାର ସମାଧାନ ପାଇଁ AIକୁ ବ୍ୟବହାର କରୁଛନ୍ତି । AI Realm Technologies ନାମକ ଷ୍ଟାର୍ଟଅପ୍‌ର ସେ ଫାଉଣ୍ଡର୍ ଅଛନ୍ତି । ଏହି ସଂସ୍ଥା ଏଆଇ ଆଧାରିତ ଶିକ୍ଷା ଓ ଟେକ୍ନୋଲୋଜି ସମାଧାନ ଯୋଗାଇଥାଏ । କେବଳ ନିଜ କମ୍ପାନୀ ନୁହେଁ, କେରଳ ସରକାର ଓ ଦୁବାଇ ପ୍ରଶାସନକୁ ମଧ୍ୟ ସରକାରୀ ସେବାରେ AIର ବ୍ୟବହାର ନେଇ ପରାମର୍ଶ ଦେଇଥିବା କୁହାଯାଉଛି । ତାଙ୍କ ThinkCraft Academy ମାଧ୍ୟମରେ ଛାତ୍ରଛାତ୍ରୀ, ପେଶାଦାର ଓ ବିଭିନ୍ନ ସଂସ୍ଥାକୁ AI ଟ୍ରେନିଂ ମଧ୍ୟ ଦିଆଯାଉଛି।

  • ନିଜ କମ୍ପାନୀରେ କର୍ମଚାରୀ ବାପା
ରାଉଲ୍‌ଙ୍କ ସଫଳତାର କାହାଣୀରେ ଆଉ ଏକ ରୋଚକ ଦିଗ ହେଉଛି ତାଙ୍କ ବାପାଙ୍କ ଭୂମିକା । ତାଙ୍କ ବାପା ନିଜ ପୁଅର କମ୍ପାନୀରେ କର୍ମଚାରୀ ଭାବେ କାମ କରୁଛନ୍ତି । Amazon, Adobe, Wipro ଓ IBM ଭଳି କମ୍ପାନୀରେ କାମ କରିଥିବା ତାଙ୍କ ବାପାଙ୍କ ଅଭିଜ୍ଞତା ରାଉଲ୍‌ଙ୍କ ପାଇଁ ବେଶ୍ ମୂଲ୍ୟବାନ । ରାଉଲ୍ କହିଛନ୍ତି, "ଇଣ୍ଟରନେଟ୍‌ରୁ ଜ୍ଞାନ ମିଳିପାରେ, କିନ୍ତୁ ବାପାଙ୍କ ଅଭିଜ୍ଞତା ଅନେକ କିଛି ଶିଖାଇଛି ।"

ପଢନ୍ତୁ ଏହି ଖବର:  "ଭାରତର ଏଆଇ କିଡ୍" ରାଉଲ: ୧୬ ବର୍ଷ ବୟସରେ ନିଜ ବାପାଙ୍କୁ ଦେଉଛନ୍ତି ଚାକିରି ସହ ୨ ଲକ୍ଷର ଦରମା

ଯେଉଁ ବୟସରେ ଅନେକ ପିଲା ନିଜ କ୍ୟାରିୟର୍ କ'ଣ ହେବ ଭାବିବା ଆରମ୍ଭ କରନ୍ତି, ସେହି ବୟସରେ ରାଉଲ୍ ଜନ୍ ଅଜୁ ନିଜର ଟେକ୍ନୋଲୋଜି ଦୁନିଆ ଗଢ଼ିବାରେ ଲାଗିଛନ୍ତି । ତାଙ୍କ ଯାତ୍ରା ଏହା ହିଁ ପ୍ରମାଣ କରୁଛି ଯେ, ଶିଖିବାର ଇଚ୍ଛା ଥିଲେ ସ୍ୱପ୍ନକୁ ସଫଳତାରେ ପରିଣତ କରିବା ଅସମ୍ଭବ ନୁହେଁ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: