ମମତାଙ୍କ ସହ ସନ୍ଦୀପଙ୍କ ସମ୍ପର୍କ କ'ଣ ?

Key Points
- ମମତାଙ୍କ ସହ ସନ୍ଦୀପଙ୍କ ସମ୍ପର୍କ କ'ଣ ?
- ପ୍ରିନ୍ସପାଲଙ୍କୁ କାହିଁକି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଦିଦି ?
- ଅର୍ଗସ ହାତରେ ଲାଗିଲା Exclusive ଭିଡିଓ
ଅର୍ଗସ ବ୍ୟୁରୋ: ଆର ଜି କର ମେଡ଼ିକାଲ କଲେଜ ଓ ହସ୍ପିଟାଲର ପ୍ରିନ୍ସପାଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି ଦିଦି । ଜନ୍ମଦିନର ଶୁଭେଚ୍ଛା ଜଣାଇବା ଅପରାଧ ବୋଲି ଆମେ ଆଦୌ କହୁନାହୁଁ । ହେଲେ କୋଲକତା ଦୁଷ୍କର୍ମ ମାମଲାରେ କଲେଜ ପ୍ରିନ୍ସପାଲଙ୍କ ଯେଉଁପରି ଭାବରେ ସଂପୃକ୍ତି ଥିବା ଅଭିଯୋଗ ଆସୁଛି, ତେଣୁ ଦିଦିଙ୍କ ଜନ୍ମଦିନର ଶୁଭେଚ୍ଛା ଏବେ ବିବାଦରେ ରହିଛି । ଖାଲି ଏତିକି ନୁହେଁ ବରଂ ଜଣେ ମୁଖ୍ୟମନ୍ତ୍ରୀ କାହିଁକି ଅପରାଧୀଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ମୁଖ୍ୟମନ୍ତ୍ରୀଙ୍କ ବିଶେଷ ଅନୁକମ୍ପା ଥିଲା କି ସନ୍ଦୀପଙ୍କ ଉପରେ ? ଦିଦିଙ୍କ ଛତ୍ରଛାୟା ତଳେ ଥିବାରୁ ସନ୍ଦୀପଙ୍କ ଉପରେ ଆକ୍ସନ ନେବାକୁ କେହି ସାହସ ବି କରିପାରୁନଥିଲେ । କିଛି ଏମିତି ଅଭିଯୋଗ ଏବେ ସାମ୍ନାକୁ ଆସିଛି । ପ୍ରଶ୍ନ, ମମତା ଦିଦିଙ୍କ ସହ ସନ୍ଦୀପଙ୍କ କେମିତି ଥିଲା ସମ୍ପର୍କ ? ଜଣେ ହସ୍ପିଟାଲର ପ୍ରିନ୍ସିପାଲଙ୍କୁ ବାର୍ଥ ଡେ ୱିସ୍ କରିଛନ୍ତି ଜଣେ ମୁଖ୍ୟମନ୍ତ୍ରୀ । ଦିଦିଙ୍କ ତାଙ୍କର ବହୁ ପୁରାତନ ବନ୍ଧୁ ଭଳି କଳେଙ୍କାରୀ ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଦେଉଛନ୍ତି ଜନ୍ମଦିନର ଅଭିନନ୍ଦନ । ଯାହାର ଏକ୍ସକ୍ଲ୍ୟୁସିଭ୍ ଲେଟର୍ ଲାଗିଛି ଅର୍ଗସ ନ୍ୟୁଜ୍ ହାତରେ । କାହିଁକି ସନ୍ଦୀପ ଘୋଷ ବିରୋଧରେ ହେଉନି କୌଣସି କାର୍ଯ୍ୟାନୁଷ୍ଠାନ ? ରହୁଛି କି କୌଣସି ଚାପ ?
କାହିଁକି ବିବାଦରେ ସନ୍ଦୀପ ?
ଆର ଜି କର ମେଡ଼ିକାଲ ଓ କଲେଜର ଅଧ୍ୟକ୍ଷ ସନ୍ଦୀପଙ୍କୁ ନେଇ ଥମୁନି ବିବାଦ । କାରଣ କଲେଜରେ ଶବ ତସ୍କରୀଠୁ ଆରମ୍ଭ କରି ସରକାରୀ ମେଡ଼ିସିନ ଚୋରା ଚାଲାଣ ଏବଂ ବିଭିନ୍ନ ସେକ୍ସ ରାକେଟ ଚଲାଉଥିବା ନେଇ ବଡ଼ ଅଭିଯୋଗ ରହିଛି । ଅଭିଯୋଗ ଏତିକିରେ ସରିନି ବରଂ ବିଭିନ୍ନ ଅନୈତିକ କାମର ହବରେ ମେଡିକାଲକୁ ପରିଣତ କରିଥିଲେ ସନ୍ଦୀପ । ଆପଣାଉଥିଲେ ହିଂସା ଆଚରଣ,ଛାତ୍ରଛାତ୍ରୀଙ୍କୁ ଦେଉଥିଲେ ମାନସିକ ନିର୍ଯାତନା । ସନ୍ଦୀପଙ୍କ ଏପରି କିଛି କାମ ପାଇଁ ଛାତ୍ରଛାତ୍ରୀମାନେ ଅନେକ ବାର ତାଙ୍କୁ ରାସ୍ତାରେ ବି ଦଉଡ଼ାଇଥିଲେ । ଅନେକବାର ଛାତ୍ରଛାତ୍ରୀଙ୍କ ଆକ୍ରୋଶର ଶୀକାର ହୋଇଥିଲେ ସନ୍ଦୀପ । ହେଲେ କୋଲକାତା ପୋଲିସ ସନ୍ଦୀପକୁ ବଞ୍ଚାଇବା ସହ ସୁରକ୍ଷା ଦେଇଥିଲେ । ଦୁଷ୍କର୍ମ ଘଟଣା ପରେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିବା ଏବଂ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରାଯାଇଥିବା ପରେ ମଧ୍ୟ ସନ୍ଦୀପ ଘୋଷଙ୍କ ଉପରେ ଆକ୍ସନ ନାଁରେ କେବଳ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ତେବେ ଏଠି ବଡ଼ ପ୍ରଶ୍ନ, କାହିଁକି କଲେଜର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ବିରୋଧରେ ନିଆଯାଉନି କିଛି କାର୍ଯ୍ୟାନୁଷ୍ଠାନ ? କାହା ବଳରେ ବଳୀୟାନ ସନ୍ଦୀପ ଘୋଷ ? ଦିଦିଙ୍କ ଜାଣତରେ ମେଡିକାଲରେ ହେଉଥିଲା କି ବେଆଇନ କାମ ? ପିସି କାରବାର ପାଇଁ ସରକାର ଓ ପୋଲିସ ସାଜିଥିଲା କି ନିରବଦ୍ରଷ୍ଟା ? ଏମିତି ଗୁଡ଼ାଏ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।
📱 Get Argus News App
✨ମୋଟ୍ ଉପରେ, କୋଲକତା ଦୁଷ୍କର୍ମକୁ ନେଇ ପୁରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି । କେମିତି ମୁଖ୍ୟ ଅଭିଯୁକ୍ତ ଶାସ୍ତି ପାଇବ ସେନେଇ ବି ଦାବି ଜୋର ହେଉଛି । ହେଲେ ସନ୍ଦୀପ ଯେଉଁପରି ଭାବରେ ବେଆଇନ କାମ କରିଛନ୍ତି ତାଙ୍କ ବିରୋଧରେ ବି ଆକ୍ସନ ପାଇଁ ତେଜିଲାଣି ଦାବି ।