ପୂର୍ବୋଦୟରୁ ନୂଆ ଭାରତର ଉଦୟ: ରାଜ୍ୟକୁ ରେଳ ମନ୍ତ୍ରାଳୟର ବଡ଼ ଉପହାର

ଅର୍ଗସ ବ୍ୟୁରୋ: ପୂର୍ବ ଭାରତରୁ ରାଷ୍ଟ୍ର ଉଦୟ ଦିଗରେ ମୋଦି ସରକାରଙ୍କ ବଡ଼ ପଦକ୍ଷେପ । 3ଟି ମଧ୍ୟରୁ ଓଡ଼ିଶାର 2ଟି ବୃହତ୍ତ ରେଳ ପ୍ରକଳ୍ପକୁ ମିଳିଛି କେନ୍ଦ୍ର କ୍ୟାବିନେଟ ମଞ୍ଜୁରି । 2ଟି ନୂଆ ରେଳ ଲାଇନ୍, ଗୋଟିଏ ମଲ୍ଟି ଟ୍ରାକିଂ ପ୍ରକଳ୍ପ ନିର୍ମାଣ ପାଇଁ ଖର୍ଚ୍ଚ ହେବ ମୋଟ 6 ହଜାର 456 କୋଟି ଟଙ୍କା । ନୂଆ ପ୍ରକଳ୍ପ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼କୁ ସଂଯୋଗ କରିବ । ବରଗଡ଼ରୁ ନୂଆପଡ଼ା ରୋଡ୍ 138 କିଲୋମିଟର ରେଳ ଲାଇନ୍ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ 2 ହଜାର 926 କୋଟି । ସୁନ୍ଦରଗଡ଼ ସରଗେଡ଼ା-ଭାଲୁମୁଣ୍ଡା ନୂଆ ଡବଲ୍ ଲାଇନ୍କୁ ମଧ୍ୟ ମିଳିଛି କ୍ୟାବିନେଟ ମଞ୍ଜୁରି । ସରଗେଡ଼ାରୁ ଛତିଶଗଡ଼ ରାୟଗଡ଼ 37 କିଲୋମିଟର ଲାଇନ୍ ପାଇଁ 1 ହଜାର 360 କୋଟି ଖର୍ଚ୍ଚକୁ ମଞ୍ଜୁରୀ ମିଳିଥିବା ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଏହାସହ ଖୁବଶୀଘ୍ର ନିର୍ମାଣ ହେବ 14ଟି ନୂଆ ରେଳ ଷ୍ଟେସନ।
ନୂଆ ପ୍ରକଳ୍ପ ଦ୍ବାରା ଯୋଗାଯୋଗ, ଯାତାୟାତ ସୁବିଧା ସହ ଆନୁଷଙ୍ଗିକ ଖର୍ଚ୍ଚ କମିବ । ରେଳମନ୍ତ୍ରୀଙ୍କ ଘୋଷଣାକୁ ସ୍ବାଗତ କରିବା ସହ ଏକ୍ସ ପୋଷ୍ଟରେ ନିଷ୍ପତ୍ତିକୁ ପୂର୍ବୋଦୟରୁ ଭାରତ ଉଦୟ ଦିଗରେ ବଡ଼ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରକଳ୍ପ ମଞ୍ଜୁରୀ ପାଇଁ ରାଜ୍ୟବାସୀଙ୍କ ତରଫରୁ ମୋଦି ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଷ୍ପତ୍ତିକୁ ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇ ଭେଟି ବୋଲି କହିଛନ୍ତି ସାଂସଦ ପ୍ରଦୀପ ପୁରୋହିତ । ଏହି ପ୍ରକଳ୍ପ ବିକଶିତ ଓଡ଼ିଶା ପାଇଁ କାର୍ଯ୍ୟ କରିବ ବୋଲି କହିଛନ୍ତି ମାଳବିକା ଦେବୀ ।
ନୂଆ ପ୍ରକଳ୍ପ ଦ୍ବାରା ବିଶେଷ ଉପକୃତ ହେବେ ସମ୍ବଲପୁର, ବରଗଡ଼, ନୂଆପଡ଼ା ବାସିନ୍ଦା । ରାଜ୍ୟରୁ ଖଣିଜ ପରିବହନ କ୍ଷେତ୍ରରେ ଦୁଇ ନୂଆ ପ୍ରୋଜେକ୍ଟ ମାଇଲ ଖୁଣ୍ଟ ହେବ ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । କିଛି ଦିନ ମଧ୍ୟରେ ରାଜ୍ୟକୁ ପ୍ରଥମେ 3 ଏବଂ ଏବେ ଆଉ ଦୁଇଟି ପ୍ରୋଜେକ୍ଟ ଆସିଛି । ପୂର୍ବତଟ ରେଳବାଇର 547 କିଲୋମିଟର ରେଳ ଲାଇନ ନିର୍ମାଣ ଲକ୍ଷ୍ୟ ମଧ୍ୟରୁ 161 କିଲୋମିଟର ଶେଷ ହୋଇଛି । ନୂଆ ପ୍ରୋଜେକ୍ଟ ହେବା ଫଳରେ ନୂଆପଡ଼ା ବରଗଡ଼ରେ 11 ଟି କ୍ରସିଂ, 2ଟି ଜଙ୍କସନ ସହ ମୋଟ 13 ଟି ଷ୍ଟେସନ ରହିବ । ପଶ୍ଚିମ ଓଡ଼ିଶା ପାଇଁ ରେଳ ପ୍ରକଳ୍ପ ମଞ୍ଜୁରୀକୁ ନୂଆଁଖାଇ ଭେଟି ବୋଲି କହିଛନ୍ତି ସମ୍ବଲପୁର ADRM.
ପଶ୍ଚିମ ଓଡ଼ିଶାକୁ ମିଳିଛି ନୂଆଁଖାଇ ଭେଟି । ବରଗଡ଼-ନୁଆଁପଡା ରେଳ ପ୍ରକଳ୍ପରେ 138 କିଲୋମିଟର ରେଳ ଲାଇନ ନିର୍ମାଣରେ 47 ଲକ୍ଷ ଲୋକଙ୍କୁ ମିଳିବ ନିଯୁକ୍ତି ସୁଯୋଗ । ପ୍ରକଳ୍ପ ଦ୍ୱାରା 82 କୋଟି କିଲୋଗ୍ରାମ ପ୍ରଦୂଷଣ କମିବ । ସେହିପରି ସୁନ୍ଦରଗଡ଼ ସରଡେଗାରୁ ଛତିଶଗଡ଼ ଭାଲମୁଡା 37 କିଲୋମିଟର ପ୍ରକଳ୍ପ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ବେଶ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର