Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Samrat Choudhary / ନୀତୀଶ ଶାସନରେ ପୂର୍ଣ୍ଣଚ୍ଛେଦ, ବିହାରରେ ଆରମ୍ଭ ହେଲା 'ସମ୍ରାଟ ଯୁଗ'

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
ନୀତୀଶ ଶାସନରେ ପୂର୍ଣ୍ଣଚ୍ଛେଦ, ବିହାରରେ ଆରମ୍ଭ ହେଲା 'ସମ୍ରାଟ ଯୁଗ'
Samrat Choudhury

Key Points

ବିହାର ଇତିହାସରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ
ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ
ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ । ଶେଷ ହେଲା ନୀତୀଶ କୁମାରଙ୍କ ଦୀର୍ଘ ଦିନର ଶାସନ ଏବଂ ଆରମ୍ଭ ହେଲା ‘ସମ୍ରାଟ’ ଯୁଗ । ବିହାର ଇତିହାସରେ ପ୍ରଥମ ଥର ପାଇଁ ଜଣେ ବିଜେପି ନେତା ଭାବେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ସମ୍ରାଟ ଚୌଧୁରୀ । ଏହି ନୂତନ ସମୀକରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ବିହାର ବିକାଶର ଏକ ନୂଆ ଅଧ୍ୟାୟ ବୋଲି କହିଛନ୍ତି ।

ବିହାରରେ ଆରମ୍ଭ 'ସମ୍ରାଟ' ଯୁଗ । ବିଜେପି ନେତା ସମ୍ରାଟ ଚୌଧୁରୀ ଆଜି ବିହାରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପାଟନାର ଲୋକ ଭବନରେ ଆୟୋଜିତ ଭବ୍ୟ ସମାରୋହରେ ସମ୍ରାଟ ଚୌଧୁରୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ଏହି ଅବସରରେ ତାଙ୍କ ସହ ଜେଡିୟୁର ଦୁଇ ବରିଷ୍ଠ ନେତା ବିଜେନ୍ଦ୍ର ପ୍ରସାଦ ଯାଦବ ଏବଂ ବିଜୟ କୁମାର ଚୌଧୁରୀ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିହାର ଇତିହାସରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ସମ୍ରାଟ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସମେତ ବହୁ ବରିଷ୍ଠ ନେତା ।

ଶପଥ ଗ୍ରହଣ ପୂର୍ବରୁ ସମ୍ରାଟ ଚୌଧୁରୀ ପାଟନାର ପ୍ରସିଦ୍ଧ ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଲୋକ ଭବନ ବାହାରେ ବିଜେପି କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । "ବିହାର କା ମୁଖ୍ୟମନ୍ତ୍ରୀ କୈସା ହୋ, ସମ୍ରାଟ ଚୌଧୁରୀ ଜୈସା ହୋ" ସ୍ଲୋଗାନରେ ଫାଟି ପଡୁଥିଲା ପରିବେଶ । ଉତ୍ସବରେ ବିଜେପି ଅଧ୍ୟକ୍ଷ ନିତିନ ନବୀନ, କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ବିଏଲ ସନ୍ତୋଷ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଉପସ୍ଥିତ ଥିଲେ ।

ବିଜେପି ନେତୃତ୍ୱାଧୀନ ନୂତନ ସରକାରରେ ଆଗାମୀ ଦିନରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ । ପଶ୍ଚିମବଙ୍ଗ, ଆସାମ ଏବଂ କେରଳ ସମେତ ଚାରି ରାଜ୍ୟର ନିର୍ବାଚନ ଫଳାଫଳ ପରେ ହିଁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବ ବୋଲି ସୂଚନା ମିଳିଛି । ନୂତନ ସମୀକରଣ ବିହାରର ବିକାଶ ପାଇଁ କେତେ ଫଳପ୍ରଦ ହେଉଛି, ତାହା ଉପରେ ସାରା ଦେଶର ନଜର ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Samrat Choudhary Takes Oath as Bihar CM, Ends Nitish Era | Argus News