Videos
|
National

Sheikh Hasina / ପାସପୋର୍ଟ ଦେବାକୁ ମନା କଲା ଢାକା, ଶେଖ୍ ହସିନାଙ୍କ କେମିତି ଫେରିବେ ବାଂଲାଦେଶ ?

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ପାସପୋର୍ଟ ଦେବାକୁ ମନା କଲା ଢାକା, ଶେଖ୍ ହସିନାଙ୍କ କେମିତି ଫେରିବେ ବାଂଲାଦେଶ ?
Sheikh Hasina Return to Bangladesh

Key Points

ନୂଆ ପାସପୋର୍ଟ ଓ ଜାତୀୟ ପରିଚୟପତ୍ର ପାଇଁ ଶେଖ ହସିନା ଆବେଦନ କରିଛନ୍ତି। କିନ୍ତୁ ତାଙ୍କୁ ଏହି ଦସ୍ତାବିଜ ଦେବାକୁ ବାଂଲାଦେଶ ସରକାର ରାଜି ନାହାନ୍ତି ।
ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପୁଣି ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ନୂଆ ପାସପୋର୍ଟ ଓ ଜାତୀୟ ପରିଚୟପତ୍ର (NID) ପାଇଁ ଆବେଦନ କରିଛନ୍ତି। କିନ୍ତୁ ତାଙ୍କୁ ଏହି ଦସ୍ତାବିଜ ଦେବାକୁ ବାଂଲାଦେଶ ସରକାର ରାଜି ନାହାନ୍ତି । ହସିନାଙ୍କୁ ପାସପୋର୍ଟ ଦେବା ବଦଳରେ ଭାରତରୁ ପ୍ରତ୍ୟର୍ପଣ ମାଧ୍ୟମରେ ଫେରାଇ ଆଣିବାକୁ ଢାକା ଜିଦ୍ ଧରିଛି ।

୨୦୨୪ ଅଗଷ୍ଟରେ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ପରେ ଶେଖ୍ ହସିନାଙ୍କ ସରକାର ଭୁଶୁଡ଼ି ଯାଇଥିଲା । ଏହାପରେ ଶେଖ ହସିନା ଭାରତ ପଳାଇ ଆସିଥିଲେ । ସେବେଠାରୁ ସେ ଭାରତରେ ରହୁଛନ୍ତି । ଏବେ ଡିସେମ୍ବରରେ ବାଂଲାଦେଶ ଫେରିବାକୁ ତାଙ୍କର ଯୋଜନା ରହିଛି ।

୯ ନଭେମ୍ବରରେ କରିଥିଲେ ଆବେଦନ

ଶେଖ୍ ହସିନାଙ୍କ ପକ୍ଷରୁ ଲଣ୍ଡନର ଆଇନଜୀବୀ ସଂସ୍ଥା 'ମ୍ୟାଟ୍ରିକ୍ସ ଚେମ୍ବର୍ସ' ନଭେମ୍ବର ୯ ତାରିଖରେ ନୂଆଦିଲ୍ଲୀସ୍ଥିତ ବାଂଲାଦେଶ ହାଇକମିଶନକୁ ଇମେଲ୍ କରିଥିଲା । ଏଥିରେ ହସିନାଙ୍କ ପାଇଁ ନୂଆ ପାସପୋର୍ଟ ଓ ଜାତୀୟ ପରିଚୟପତ୍ର ଦେବାକୁ ଅନୁରୋଧ କରାଯାଇଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିନ୍ତୁ ଏହି ଆବେଦନ ସହ ହସିନାଙ୍କ ଅନୁମତି ଥିବାର କୌଣସି ଦସ୍ତାବିଜ ଦିଆଯାଇନଥିବାରୁ ବାଂଲାଦେଶ ଅଧିକାରୀମାନେ ପ୍ରଶ୍ନ ଉଠାଇଥିଲେ । ଏହାପରେ ନଭେମ୍ବର ୧୯ ତାରିଖରେ ଆଇନଜୀବୀ ସଂସ୍ଥା ପୁଣି ଏକ ଚିଠି ପଠାଇଥିଲା । ଏଥର ହସିନାଙ୍କ ଦସ୍ତଖତ ଥିବା ଅନୁମତିପତ୍ର ମଧ୍ୟ ଦିଆଯାଇଥିଲା ।

ଏଥିସହ ପଢ଼ନ୍ତୁ: କାର୍ ଚୋରଙ୍କ ଉପରେ ଇଣ୍ଟରପୋଲର ବଡ଼ ଆକ୍ସନ୍; ୬୫ ଦେଶରୁ ୬୯୯ ଜଣ ଗିରଫ 

ପ୍ରତ୍ୟର୍ପଣ ପାଇଁ ବାଂଲାଦେଶ ଜୋର୍

ବାଂଲାଦେଶର ବିଦେଶ ରାଷ୍ଟ୍ରମନ୍ତ୍ରୀ ହୁମାୟୁନ କବୀର କହିଛନ୍ତି, "ଆମ ସରକାର ଶେଖ୍ ହସିନାଙ୍କୁ ପାସପୋର୍ଟ ଦେବା ସପକ୍ଷରେ ନାହିଁ । ଭାରତ ଓ ବାଂଲାଦେଶ ମଧ୍ୟରେ ଥିବା ପ୍ରତ୍ୟର୍ପଣ ଚୁକ୍ତି ଅନୁସାରେ ହସିନାଙ୍କୁ ଢାକା ଫେରାଇ ଆଣିବାକୁ ଚାହୁଁଛୁ । ଏଥିପାଇଁ ସାଧାରଣ ପାସପୋର୍ଟର ଆବଶ୍ୟକତା ନାହିଁ ।"

ଅନ୍ୟପଟେ, ୨୦୨୫ ନଭେମ୍ବରରେ ବାଂଲାଦେଶର ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ ଶେଖ୍ ହସିନାଙ୍କୁ ମାନବତା ବିରୋଧୀ ଅପରାଧ ମାମଲାରେ ତାଙ୍କ ଅନୁପସ୍ଥିତିରେ ମୃତ୍ୟୁଦଣ୍ଡ ଶୁଣାଇଥିଲା । ହସିନା ଏହି ଅଭିଯୋଗ ଓ ମାମଲାର ବିଚାର ପ୍ରକ୍ରିୟାକୁ ଖଣ୍ଡନ କରିଛନ୍ତି ।

ଭାରତର ଆଭିମୁଖ୍ୟ କ'ଣ ?

ଏହି ମାମଲାରେ ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି, "ଶେଖ୍ ହସିନାଙ୍କ ପ୍ରତ୍ୟର୍ପଣ ଏକ ଆଇନଗତ ପ୍ରସଙ୍ଗ । ଏହାର ସମାଧାନ ଉପଯୁକ୍ତ ଆଇନଗତ ପ୍ରକ୍ରିୟା ଅନୁସାରେ ହେବ ।" ବାଂଲାଦେଶ ସହ ସକାରାତ୍ମକ ଓ ଭଲ ସମ୍ପର୍କ ରଖିବାକୁ ଚାହୁଁଥିବା ଭାରତ କହିଛି ।

ତେବେ ଅଜ୍ଞାତ ସୂତ୍ରଙ୍କ ଦାବି ଅନୁସାରେ, ହସିନା ସ୍ୱ-ଇଚ୍ଛାରେ ବାଂଲାଦେଶ ଫେରିବା ବାଟରେ ଭାରତ ପକ୍ଷରୁ କୌଣସି ପ୍ରତିବନ୍ଧକ ନାହିଁ । ବରଂ ପ୍ରତ୍ୟର୍ପଣ ଉପରେ ବାଂଲାଦେଶର ଜିଦ୍ ତାଙ୍କ ଫେରିବା ପ୍ରକ୍ରିୟାକୁ ବିଳମ୍ବ କରୁଛି । ଏବେ ଶେଖ୍ ହସିନାଙ୍କୁ ନୂଆ ପାସପୋର୍ଟ ମିଳିବ କି ନାହିଁ ଏବଂ ସେ କେବେ ବାଂଲାଦେଶ ଫେରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।