କାଶ୍ମୀରରେ ଅସ୍ତ ଆତଙ୍କର ସୂର୍ଯ୍ୟ, ବିକାଶ ଓ ବିକାଶର ଶ୍ବେତ ରଙ୍ଗରେ ହସୁଛି ଭାରତର ଭୂସ୍ବର୍ଗ

ଅର୍ଗସ ବ୍ୟୁରୋ : ଜମ୍ମୁ ଆଇଆଇଏମରେ ଆୟୋଜିତ ବିକଶିତ ଭାରତ ବିଜୟ ସଙ୍କଳ୍ପ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଜମ୍ମୁ-କାଶ୍ମୀର ବର୍ତ୍ତମାନ ସ୍ଥିତିକୁ ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସମାଜ ସଚେତନ ହେବା ସହ ସଶକ୍ତ ହେଉଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଜାମ୍ମୁ କାଶ୍ମୀରରେ ବହୁମୁଖୀ ବିକାଶ ଚାଲିଛି । ଆଗରୁ ବୁନିଆଦୀ ଶାସନ ବ୍ୟବସ୍ଥା ଓ ୩୭୦ ଧାରା ପ୍ରତିବନ୍ଧକ ସାଜିଥିଲା, ଏବେ ଲୋକଙ୍କ ପାଖକୁ ସିଧାସଳଖ ସରକାରୀ ସହାୟତା ପହଞ୍ଚୁଛି । ବିନା ମଧ୍ୟସ୍ଥତାରେ ଟେକ୍ନୋଲୋଜି ମାଧ୍ୟମରେ ଲୋକେ ଲାଭାନ୍ବିତ ହେବା ସହ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ଲାଭ ପାଉଛନ୍ତି ।
ଧାରା ୩୭୦ ଉଠିବା ପରଠୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିଛି କାଶ୍ମୀର । ଆତଙ୍କବାଦ ହାରିଛି, ଶାନ୍ତି ଜିତିଛି । ପ୍ରତିଷ୍ଠା ହୋଇଛି ଗଣତନ୍ତ୍ର । ପର୍ଯ୍ୟଟନର ବିକାଶ ହୋଇଛି, ସମୃଦ୍ଧ ହୋଇଛି କଶ୍ମୀରର ଅର୍ଥନୀତି । ପୁଞ୍ଜିନିବେଶ ବଢିଛି, ତୃଣମୂଳ ସ୍ତରରେ ସୁଦୃଢ ହୋଇଛି ପଞ୍ଚାୟତିରାଜ ବ୍ୟବସ୍ଥା । ପୂର୍ବାପେକ୍ଷା କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି । ପୂର୍ବରୁ କାଶ୍ମୀର ଯୁବପିଢି ହାତରେ ପଥର ଧରି ରାସ୍ତାକୁ ଓହ୍ଲାଉଥିବା ବେଳେ ଏବେ ସେମାନଙ୍କ ହାତରେ ପୁସ୍ତକ ଓ ଲାପଟପ୍ ଧରାଇଛନ୍ତି ସରକାର । ଏଥିଯୋଗୁ କାଶ୍ମୀରର ଯୁବପିଢି ଅଞ୍ଚଳର ବିକାଶରେ ସିଧାସଳଖ ସାମିଲ ହେଉଥିବା ବେଳେ ପଥରମରା ଘଟଣା ସଂପୂର୍ଣ୍ଣ ମୂଳପୋଛ ହୋଇଛି ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨ଏହା ବ୍ୟତୀତ ଧାରା ୩୭୦ ଯୋଗୁ ଅନେକ ସାମ୍ବିଧାନିକ ବ୍ୟବସ୍ଥାର ଫାଇଦା ନେଇପାରୁନଥିଲେ କାଶ୍ମୀର ବାସୀ । ହେଲେ ଏବେ ତାହା ସମ୍ଭବ ହୋଇପାରୁଛି । ଯାହାର ଉଦାହରଣ ୨୦୨୦ରେ ହୋଇଥିବା ଡିଷ୍ଟ୍ରିକ୍ଟ ଡେଭଲପମେଣ୍ଟ କାଉନିସଲ୍ ନିର୍ବାଚନ । ଅନେକ ବର୍ଷରୁ ଏହା ବନ୍ଦ ରହିଥିବା ବେଳେ ୨୦୨୦ ପରଠୁ ନିର୍ବାଚନ ହେବା ଦ୍ୱାରା ତୃଣମୂଳ ସ୍ତରରେ ସୁଦୃଢ ହୋଇଛି ପଞ୍ଚାୟତିରାଜ ବ୍ୟବସ୍ଥା । ଏତିକି ନୁହେଁ କଶ୍ମୀରରେ ଜି-୨୦ ଶିଖର ସମ୍ମଳନୀ ଭଳି ବିଶ୍ବସ୍ତରୀୟ ବୈଠକ ଆୟୋଜନ ହୋଇଛି । କାଶ୍ମୀରର ସୌନ୍ଦର୍ଯ୍ୟ ଏବଂ ଏହାର ଭୌଗୋଳିକ ଉପାଦେୟତାକୁ ଦେଖିଛି ପୂରା ବିଶ୍ବ । ୩୭୦ ଉଚ୍ଛେଦ ପରଠୁ ଅଞ୍ଚଳରେ ଦୀର୍ଘ ୩୩ ବର୍ଷ ପରେ ସିନେମା ହଲ ଖୋଲିବା, ମଲ୍ଟି ସ୍ପେଶାଲିଟି ମେଡିକାଲ ପ୍ରତିଷ୍ଠା ହେବା, ସ୍ପୋର୍ଟ୍ସ ଷ୍ଟାଡିୟମର ନିର୍ମାଣ, କାଶ୍ମୀରକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପୁଞ୍ଜି ନିବେଶ ଆସିବା ଏହାର ଉନ୍ନତିକୁ ଯୋଗାଇଛି ଆଉ ଏକ ଡେଣା ।