Siddharthnagar Food Poisoning Case UP / ଦୀପାବଳିରେ ବିଗିଡ଼ିଲା ସ୍ୱାସ୍ଥ୍ୟବସ୍ଥା; ଗୁପ୍ଚୁପ୍ ଖାଇ ଅସୁସ୍ଥ ହୋଇପଡ଼ିଲେ ୧୫୦ ରୁ ଅଧିକ, ୩୦ ଡାକ୍ତରଖାନାରେ ଭର୍ତ୍ତି
·1 hour ago·2 min read

Key Points
ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାରେ, ଦୀପାବଳି ସମୟରେ ଗୁପ୍ ଚୁପ୍ ଖାଇବା ପରେ ୧୫୦ ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି।
ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାରେ ଦୀପାବଳି ପାଳନ ମଧ୍ୟରେ ଖାଦ୍ୟ ବିଷାକ୍ତ ହେବାର ଏକ ଗୁରୁତର ମାମଲା ରିପୋର୍ଟ ହୋଇଛି। ଖେସରାହା ଥାନା ଅଞ୍ଚଳର କଳନାଖୋର ପେଡାରୀ ଏବଂ ଏହାର ଆଖପାଖ ଗ୍ରାମରେ ଏକ ସ୍ଥାନୀୟ ଦୋକାନରୁ ଗୁପ୍ଚୁପ୍ ଖାଇ ୧୫୦ ଜଣରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ଝାଡ଼ା ବାନ୍ତି ହେବା ପରେ ଛୋଟ ପିଲାଙ୍କ ସମେତ ୩୦ ଜଣରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନିକ ଦଳ ତୁରନ୍ତ କାର୍ଯ୍ୟରେ ଲାଗିଛନ୍ତି, ପରିସ୍ଥିତି ଉପରେ ନଜର ରଖିବା ପାଇଁ ପ୍ରଭାବିତ ଗାଁରେ ମେଡିକାଲ କ୍ୟାମ୍ପ ସ୍ଥାପନ କରିଛନ୍ତି।
୧୫୦ ଜଣରୁ ଅଧିକ ଲୋକ ଅସୁସ୍ଥ; ଅନେକ ଛୋଟ ପିଲା PICU ରେ ହୋଇଛନ୍ତି ଭର୍ତ୍ତି
ହସ୍ପିଟାଲ ଜରୁରୀକାଳୀନ ବିଭାଗରେ କାର୍ଯ୍ୟରତ ଜଣେ ଡାକ୍ତର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଏପର୍ଯ୍ୟନ୍ତ ପ୍ରାୟ ୩୦-୩୩ ଜଣ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରେ ଶିଶୁ ଚିକିତ୍ସା କେନ୍ଦ୍ରରେ ୧୮ ଜଣ ଛୋଟ ପିଲା ଅଛନ୍ତି। ଆଉ ୧୫ ଜଣ ରୋଗୀ ୧୫ ବର୍ଷରୁ ଅଧିକ ବୟସର ଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି ଯେ ଗୁପ ଚୁପ୍ ଖାଇବାର ୨ ଦିନ ପରେ ପୀଡିତ ହଠାତ୍ ପ୍ରବଳ ବାନ୍ତି, ଝାଡ଼ା ଏବଂ ପେଟ ଯନ୍ତ୍ରଣା ଅନୁଭବ କରିବା ଆରମ୍ଭ କରିଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ ପ୍ରଥମେ ୨୩ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଥିଲା। ହେଲେ ସମୟୋଚିତ ଚିକିତ୍ସା ଯୋଗୁଁ ସମସ୍ତେ ଏବେ ସୁସ୍ଥ ଅଛନ୍ତି। ହେଲେ ତଥାପି ଆମ୍ବୁଲାନ୍ସ ଏବଂ ବସ୍ ମାଧ୍ୟମରେ ଅଧିକ ରୋଗୀ ଏବେ ମଧ୍ୟ ହସ୍ପିଟାଲ ଆସୁଛନ୍ତି।
ଗତ ମାସରେ ଆମେଠି ଜିଲ୍ଲାରେ ଘଟିଥିଲା ସମାନ ଘଟଣା
ପର୍ବ ଏବଂ ମେଳା ସମୟରେ ଖାଦ୍ୟ ବିଷାକ୍ତ ହେବାର ଏହା ପ୍ରଥମ ଘଟଣା ନୁହେଁ। ଗତ ମାସରେ ଉତ୍ତର ପ୍ରଦେଶର ଆମେଠି ଜିଲ୍ଲାରେ ମଧ୍ୟ ସମାନ ଘଟଣା ଘଟିଥିଲା। ଏଠାକାର କୋଟୱା ଗ୍ରାମରେ ଆୟୋଜିତ ହୋଇଥିବା ଏକ ମେଳାରେ ଖାସ୍ତା ଖାଇ ପ୍ରାୟ ୧୦୨ ଜଣ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୩୯ ଜଣ ଶିଶୁ ଏବଂ ୬୩ ଜଣ ବୟସ୍କଙ୍କ ସମେତ ୧୭ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ମାମଲା ସମ୍ପର୍କରେ ସୂଚନା ପାଇବା ମାତ୍ରେ ମୁଖ୍ୟ ଚିକିତ୍ସା ଅଧିକାରୀ ନିଜେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ଏବଂ ସ୍ୱାସ୍ଥ୍ୟ ବିଭାଗର ଦଳ ଗ୍ରାମରେ ଏକ ଶିବିର ସ୍ଥାପନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories