|
logo
Live

Argus News - ମହାକୁମ୍ଭ ରେକର୍ଡ ! ୬୦ କୋଟି ଟପିବ ଶ୍ରଦ୍ଧାଳୁଙ୍କ ସଂଖ୍ୟା... ଅଖିଳେଶ କହିଲେ ଅବଧି ବଢ଼ାଅ

National

ମହାକୁମ୍ଭ ରେକର୍ଡ ! ୬୦ କୋଟି ଟପିବ ଶ୍ରଦ୍ଧାଳୁଙ୍କ ସଂଖ୍ୟା... ଅଖିଳେଶ କହିଲେ ଅବଧି ବଢ଼ାଅ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ମହାକୁମ୍ଭ ରେକର୍ଡ ! ୬୦ କୋଟି ଟପିବ ଶ୍ରଦ୍ଧାଳୁଙ୍କ ସଂଖ୍ୟା... ଅଖିଳେଶ କହିଲେ ଅବଧି ବଢ଼ାଅ

ମହାକୁମ୍ଭରେ ବୁଡ଼ ପକାଇଲେ ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁ । ଭାରତ ଚାଇନାକୁ ଛାଡ଼ିଦେଲେ ଅନ୍ୟ ଦେଶର ଜନସଂଖ୍ୟାଠୁ ବି ଅଧିକ ଶ୍ରଦ୍ଧାଳୁ ବୁଡ଼ପକାଇଲେଣି । ଶ୍ରଦ୍ଧାଳୁଙ୍କ ସଂଖ୍ୟା ଏବେ ସୁଦ୍ଧା ୫୦ କୋଟିରୁ ଅଧିକ ଛଇଁଲାଣି । ଫେବ୍ରୁଆରୀ ୨୬ ଯାଏଁ ଏହି ମହାକୁମ୍ଭ ମେଳା ଚାଲିବାକୁ ଥିବା ବେଳେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ୬୦ କୋଟି ଟପିବ ବୋଲି ଆକଳନ କରାଯାଉଛି । ପବିତ୍ର ତ୍ରିବେଣୀରେ ସ୍ନାନ କରିବା ପାଇଁ ସାରା ଭାରତ ଓ ବିଶ୍ୱରୁ ବହୁ ସଂଖ୍ୟାରେ ଲୋକ ଆସୁଛନ୍ତି।

ଏଥିରେ ୧୦ ନିୟୁତ କଳ୍ପବାସୀଙ୍କ ସହ ବିଶ୍ୱର ଶ୍ରଦ୍ଧାଳୁ ଓ ସାଧୁ ମାନେ ମଧ୍ୟ ସାମିଲ ଅଛନ୍ତି। ମୌନି ଅମାବାସ୍ୟାରେ ସର୍ବାଧିକ ୮ କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିଥିବା ବେଳେ ମକର ସଂକ୍ରାନ୍ତିରେ ସାଢ଼େ ୩ କୋଟି ଶ୍ରଦ୍ଧାଳୁ ସ୍ନାନ କରିଥିଲେ। ଜାନୁଆରୀ ୩୦ ଓ ଫେବ୍ରୁଆରି ପହିଲାରେ ୨ କୋଟିରୁ ଅଧିକ ଲୋକ ଦର୍ଶନ କରିଥିବା ବେଳେ ପୌଷ ପୂର୍ଣ୍ଣିମାରେ ୧.୭ କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିଥିଲେ। ଏହାବ୍ୟତୀତ ବସନ୍ତ ପଞ୍ଚମୀରେ ଅଢ଼େଇ କୋଟିରୁ ଅଧିକ ଶ୍ରଦ୍ଧାଳୁ ତ୍ରିବେଣୀରେ ସ୍ନାନ କରିଛନ୍ତି।

ତେବେ ପ୍ରୟାଗରାଜର ସଙ୍ଗମ ସହର ଏବେ ନୂଆ ରେକର୍ଡ କରିଛି। କୌଣସି ଧାର୍ମିକ, ସାଂସ୍କୃତିକ କିମ୍ବା ସାମାଜିକ କାର୍ଯ୍ୟକ୍ରମରେ ଏହି ଅଂଶଗ୍ରହଣ ଇତିହାସରେ ସର୍ବବୃହତ୍ ବୋଲି ଅଧିକାରୀମାନେ କହିଛନ୍ତି। ଅନ୍ୟପକ୍ଷରେ କୋଟି କୋଟି ଶ୍ରଦ୍ଧାଳୁ ବିଭିନ୍ନ କାରଣରୁ ମେଳାରେ ପହଞ୍ଚି ପାରିନଥିବାରୁ ମହାକୁମ୍ଭ ମେଳା ଅବଧି ବଢ଼ାଇବାକୁ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଦାବି କରିଛନ୍ତି। ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ଭାରତ ଓ ଚୀନ୍ ବ୍ୟତୀତ ପୃଥିବୀର ଅନ୍ୟ ଯେକୌଣସି ଦେଶର ଜନସଂଖ୍ୟାଠାରୁ ଅଧିକ।

କାରଣ, ଆମେରିକୀୟ ଜନଗଣନା ବ୍ୟୁରୋ ଅନୁଯାୟୀ, ବିଶ୍ୱର ଶ୍ରେଷ୍ଠ ୧୦ଟି ସର୍ବାଧିକ ଜନସଂଖ୍ୟାବିଶିଷ୍ଟ ଦେଶ ମଧ୍ୟରେ ଅଛନ୍ତି: ଭାରତ (୧,୪୧,୯୩, ୧୬,୯୩୩), ଚୀନ୍ (୧,୪୦,୭୧,୮୧,୨୦୯), ବ୍ରାଜିଲ (୨୨, ୧୩,୫୯,୩୮୭), ବାଂଲାଦେଶ (୧୭, ୦୧,୮୩,୯୧୬), ରୁଷ୍ (୧୪, ୦୧, ୩୭,୦୪୪), ଆମେରିକା (୩୪, ୨୦,୩୪,୪୩୨), ଇଣ୍ଡୋନେସିଆ (୨୮, ୩୫,୮୭,୦୯୭), ପାକିସ୍ତାନ (୨୫, ୭୦,୪୭,୦୪୪), ନାଇଜେରିଆ (୨୪, ୨୭, ୯୪,୭୫୧) ଓ ମେକ୍ସିକୋ (୧୩,୧୭,୪୧,୩୪୭)।

ମହାକୁମ୍ଭ ଆରମ୍ଭରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକଳନ କରିଥିଲେ ଯେ ଏହି କାର୍ଯ୍ୟକ୍ରମରେ ୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମ ସହରକୁ ଆସି ପବିତ୍ର ସ୍ନାନ କରିବେ, ଯାହା ଫେବ୍ରୁଆରି ୧୧ ସୁଦ୍ଧା ହାସଲ ହୋଇସାରିଛି। ମହାକୁମ୍ଭରେ ଆଉ ୧୨ ଦିନ ଓ ଗୋଟିଏ ଅମୃତ ସ୍ନାନ ବାକି ଅଛି। ଏଣୁ ମେଳା ଶେଷ ବେଳକୁ ମୋଟ ସଂଖ୍ୟା ୬୦ କୋଟି ଟପିବ ବୋଲି ଅନୁମାନ କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ମହାକୁମ୍ଭ ରେକର୍ଡ ! ୬୦ କୋଟି ଟପିବ ଶ୍ରଦ୍ଧାଳୁଙ୍କ ସଂଖ୍ୟା... ଅଖିଳେଶ କହିଲେ ଅବଧି ବଢ଼ାଅ | Argus News