ଟେକ୍ ଅଫ୍ ବେଳେ ରନଓ୍ବେରେ ଖସିପଡ଼ିଲା ସ୍ପାଇସ୍ ଜେଟ୍ ବିମାନ ଚକ, ତା'ପରେ...

Key Points
ଟେକ୍ ଅଫ୍ ବେଳେ ଖସିପଡ଼ିଲା ସ୍ପାଇସ୍ ଜେଟ୍ ବିମାନ ଚକ । କାଣ୍ଡଲା-ମୁମ୍ବାଇ ବିମାନରେ ଉଡ଼ାଣ ପରେ ରନ୍ୱେରେ ମିଳିଲା ଚକ । ୭୫ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ।
ସ୍ପାଇସଜେଟ ବିମାନରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ଗୁଜୁରାଟର କାଣ୍ଡଲାରୁ ମୁମ୍ବାଇ ଆସୁଥିବା ସ୍ପାଇସଜେଟର Q400 ବିମାନ ଉଡ଼ାଣ ଭରିଥିଲା । ରନଓ୍ବେରୁ ଆକାଶକୁ ଉଠି ଯାଇଥିଲା ବିମାନ । କିନ୍ତୁ ରନଓ୍ବେରେ ଖସିପଡ଼ିଥିଲା ବିମାନର ଚକ । ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି, ଦକ୍ଷତା ଓ ସାହାସକତା ପାଇଁ ବିମାନଟି ସୁରକ୍ଷିତ ଭାବେ ମୁମ୍ବାଇରେ ଅବତରଣ କରିଥିଲା ।
ସ୍ପାଇସଜେଟର ବମ୍ବାର୍ଡିୟର DHC8-400 ବିମାନ, ଯାହାର ଉଡ଼ାଣ ନମ୍ବର SG-2906 ଥିଲା । ଶୁକ୍ରବାର ଦିନ ଅପରାହ୍ନ ୨.୩୯ରେ କାଣ୍ଡଲା ବିମାନବନ୍ଦରର ରନୱେ ନମ୍ବର ୨୩ରୁ ଉଡ଼ାଣ ଭରିଥିଲା । ଉଡ଼ାଣ ଆରମ୍ଭ ହେବାର ତୁରନ୍ତ ପରେ, ଟାୱାର କଣ୍ଟ୍ରୋଲର ରନୱେରେ ବିମାନରୁ ଏକ ବଡ଼ କଳା ବସ୍ତୁ ପଡ଼ିଥିବାର ଦେଖିବାକୁ ପାଇଥିଲେ । ଏହା ପରେ ଯାଞ୍ଚ ଟିମ୍ ଯାଇ ଦେଖିବା ପରେ ତାଙ୍କ ହୋସ୍ ଉଡ଼ିଯାଇଥିଲା । କାହିଁକି ନା ବିମାନଟି ରନଓ୍ବେରୁ ଉଡ଼ାଣ ଭରିବା ପରେ ବିମାନର ଗୋଟିଏ ଚକ ଖସିପଡ଼ିଥିଲା । ଯାନ୍ତ୍ରିକ ତ୍ରୁଟି ବିଷୟରେ ସୂଚନା ପାଇବା ପରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର (CSMIA)ରେ ଅପରାହ୍ନ ୧୫:୫୧ରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା।
ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିମାନବନ୍ଦର ପ୍ରଶାସନ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା । ତଥାପି, ବିମାନଟି ରନୱେ ନମ୍ବର ୨୭ରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା । ସ୍ପାଇସଜେଟର ଏହି ବିମାନରେ କ୍ରୁ ସଦସ୍ୟଙ୍କ ସମେତ ପ୍ରାୟ ୭୮ ଜଣ ଯାତ୍ରୀ ଥିଲେ । ଏବେ ସମସ୍ତେ ସୁରକ୍ଷିତ ଅଛନ୍ତି ।
ସ୍ପାଇସଜେଟର ଜଣେ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି, 'ସେପ୍ଟେମ୍ବର ୧୨ ତାରିଖରେ କାଣ୍ଡଲାରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରୁଥିବା ସ୍ପାଇସଜେଟ Q400 ବିମାନର ଏକ ବାହ୍ୟ ଚକ ଉଡ଼ାଣ ପରେ ରନୱେରେ ମିଳିଥିଲା। ବିମାନଟି ମୁମ୍ବାଇ ଅଭିମୁଖେ ଯାତ୍ରା ଜାରି ରଖିଲା ଏବଂ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କଲା। ଅବତରଣ କରିବା ପରେ, ବିମାନ ଟର୍ମିନାଲରେ ପହଞ୍ଚିଲା ଏବଂ ସମସ୍ତ ଯାତ୍ରୀ ସ୍ୱାଭାବିକ ଭାବରେ ଓହ୍ଲାଇ ଥିଲେ'।