Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

SC Stray Dogs / 'ଦୁନିଆ ସାମ୍ନାରେ ଖରାପ ହେଉଛି ଦେଶର ଛବି', କାହିଁକି ରାଜ୍ୟମାନଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ ?

Sushanta Sahoo
Browse all articles by Sushanta Sahoo
·8 months ago·2 min read
'ଦୁନିଆ ସାମ୍ନାରେ ଖରାପ ହେଉଛି ଦେଶର ଛବି', କାହିଁକି ରାଜ୍ୟମାନଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ ?

Key Points

ସୋମବାର ସୁପ୍ରିମକୋର୍ଟ ବୁଲା କୁକୁର ମାମଲାର ଶୁଣାଣି ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ରାଜ୍ୟ ସରକାରଙ୍କମାନଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ।
ନୂଆଦିଲ୍ଲୀ: ଏବେ ବି ସଡ଼କରେ ବୁଲୁଛନ୍ତି ହିଂସ୍ର କୁକୁର । ନା ପ୍ରଶାସନ ସେମାନଙ୍କୁ ଧରୁଛି ନା ବନ୍ଧ୍ୟାକରଣ କରାଯାଉଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାର ୨ ମାସ ପରେ ବି ଫଳ ମିଳୁନି । ଯାହାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୋମବାର ସୁପ୍ରିମକୋର୍ଟ ବୁଲା କୁକୁର ମାମଲାର ଶୁଣାଣି ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ରାଜ୍ୟ ସରକାରଙ୍କମାନଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ।

ଜଷ୍ଟିସ୍ ବିକ୍ରମ ନାଥଙ୍କ ନେତୃତ୍ଵାଧିନ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, "ସାରା ଦୁନିଆରେ ଆପଣଙ୍କ ଦେଶର ଛବି ଖରାପ ହେଉଛି । ଆପଣମାନଙ୍କୁ ପୂରା ୨ ମାସ ସମୟ ଦିଆଗଲା । କିନ୍ତୁ କୌଣସି କାମ ହେଲା ନାହିଁ ।" ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, ଅଗଷ୍ଟ ମାସରେ କୋର୍ଟ ନିର୍ଦ୍ଦେଶନାମା ଜାରି କରିଥିଲେ । ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଏବେ ବି କୁକୁର ପୂର୍ବ ଭଳି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛନ୍ତି ।

ଏଥିସହ ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଜିତିଲେ ପଶୁପ୍ରେମୀ, ବନ୍ଧ୍ୟାକରଣ ପରେ କୁକୁରଙ୍କୁ ଛାଡ଼ିଦେବାକୁ ନିର୍ଦ୍ଦେଶ

ଖଣ୍ଡପୀଠ ଉଦାହରଣ ଦେଇ କହିଛନ୍ତି, "ମହାରାଷ୍ଟ୍ରର ପୁଣେରେ ଏକ ଛୁଆକୁ କୁକୁର ଆକ୍ରମଣ କରିଛନ୍ତି । ଏହା ପୂର୍ବରୁ ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ ୨୦ କୁକୁର ଏକ ଛୁଆ ଉପରେ ଝାମ୍ପି ପଡ଼ିଥିଲେ । ଏହା ଛଡ଼ା ଗତ ସପ୍ତାହରେ କେରଳରେ ବୁଲା କୁକୁର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ ।"

ଉତ୍ତରପ୍ରଦେଶର ଲକ୍ଷ୍ନୌରେ ପରିବାରର ୩ ଜଣଙ୍କୁ କାମୁଡ଼ିଥିଲା ବୁଲା କୁକୁର । ତେଲଙ୍ଗାନାର ବାରଙ୍ଗଲରେ ମଧ୍ୟ କୁକୁର କାମୁଡ଼ିବା ମାମଲା ସାମ୍ନାକୁ ଆସିଛି । ଏତେ ସବୁ ଘଟଣା ପରେ ବି ରାଜ୍ୟ ସରକାର ଗୁଡ଼ିକ ପକ୍ଷରୁ କୌଣସି ଉତ୍ତର ରଖାଯାଇ ନାହିଁ । ଯାହା ଫଳରେ ଦେଶର ଛବି ଦୁନିଆ ସାମ୍ନାରେ ଖରାପ ହେଉଥିବା ଖଣ୍ଡପୀଠ କହିଛନ୍ତି ।

ଏବେ ଏହି ମାମଲାରେ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ଜବାବ ମାଗିଛନ୍ତି । ଖଣ୍ଡପୀଠ ପଚାରିଛନ୍ତି, "କ'ଣ ଆପଣମାନେ ଖବରକାଗଜ ପଢ଼ୁ ନାହାନ୍ତି କି ?" ଅଗଷ୍ଟ ୨୨ରେ କୋର୍ଟ ନିର୍ଦ୍ଦେଶନାମା ପାରିତ କରିଥିଲେ । ଏବେ ଏହି ମାମଲାରେ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ବ୍ୟକ୍ତିଗତ ଭାବେ ସୁପ୍ରିମକୋର୍ଟରେ ହାଜର ହେବା ସହ ବିଳମ୍ବ କାହିଁକି ହେଲା କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ ।

ଏଥିସହ ପଢ଼ନ୍ତୁ: ଜାତୀୟ ହାର ତୁଳନାରେ ବିଏମ୍‌ସି ଅଞ୍ଚଳରେ ବୁଲା କୁକୁରଙ୍କ ହାର ଅଧିକ

କୋର୍ଟ କହିଛନ୍ତି, କେବଳ ପଶ୍ଚିମବଙ୍ଗ ଓ ତେଲଙ୍ଗାନା ସରକାର କୋର୍ଟରେ ଉତ୍ତର ରଖିଛନ୍ତି । ଏଥିସହ ଦିଲ୍ଲୀ ମହାନଗର ନିଗମ ଜବାବ ରଖିଛି । ଆଉ କେହି କୌଣସି ଉତ୍ତର କୋର୍ଟଙ୍କୁ ଦେଇ ନାହାନ୍ତି । ଏପରିକି ଦିଲ୍ଲୀ ମହାନଗର ନିଗମ ଜବାବ ଦାଖଲ କରିଥିବା ବେଳେ ଦିଲ୍ଲୀ ସରକାର ଚୁପ୍ ରହିବା ନେଇ କୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Supreme Court Expresses Anger Over Rising Stray Dog Attacks Across India | Argus News | Argus News