Videos
|
National

Sugar Price Hike / ପାର୍ବଣ ଋତୁରେ ମହଙ୍ଗା ଚିନି, ବର୍ଷକରେ କିଲୋ ପିଛା ୧୩ ଟଙ୍କା ବୃଦ୍ଧି

Rashmita Mishra
Browse all articles by Rashmita Mishra
·54 mins ago·2 min read
ପାର୍ବଣ ଋତୁରେ ମହଙ୍ଗା ଚିନି, ବର୍ଷକରେ କିଲୋ ପିଛା ୧୩ ଟଙ୍କା ବୃଦ୍ଧି
Sugar Price Hike

Key Points

ପାର୍ବଣ ଋତୁରେ ମହଙ୍ଗା ହେଲା ଚିନି,
ଏକ ବର୍ଷରେ କେତେ ମହଙ୍ଗା ହେଲା ଚିନି ?
ବର୍ଷକରେ କିଲୋ ପିଛା ୧୩ ଟଙ୍କା ବୃଦ୍ଧି, ଜାଣନ୍ତୁ କେବେ ମିଳିବ ଆଶ୍ୱସ୍ତି

ପାର୍ବଣ ଋତୁ ଆସିଲେ ଘରେ ଘରେ ମିଠାର ଚାହିଦା ବଢ଼ିଯାଏ । ଦୀପାବଳି ଓ ଛଟ୍ ପୂଜା ପ୍ରସ୍ତୁତି ମଧ୍ୟରେ ଏବେ ରୋଷେଇ ଘରର ବଜେଟ୍‌କୁ ନେଇ ଚିନ୍ତା ବଢ଼ାଇଛି ଚିନି ଦର । ବଜାରରେ ଚିନି ମୂଲ୍ୟରେ ହଠାତ୍ ବୃଦ୍ଧି ଦେଖାଦେଇଛି । ସରକାରଙ୍କ ପକ୍ଷରୁ ଯୋଗାଣ ସ୍ୱାଭାବିକ ରଖିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଗତ ଏକ ମାସ ମଧ୍ୟରେ କିଲୋ ପିଛା ଚିନି ଦର ୪ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି । ଦେଶରେ ଚିନିର ହାରାହାରି ଖୁଚୁରା ଦର ଏବେ କିଲୋ ପିଛା ୫୯.୫୦ ଟଙ୍କାରେ ପହଞ୍ଚିଛି ।

ଏକ ବର୍ଷରେ କେତେ ମହଙ୍ଗା ହେଲା ଚିନି ?
ଗତ ଏକ ମାସ ନୁହେଁ, ବରଂ ଗତ ଏକ ବର୍ଷର ତଥ୍ୟ ଦେଖିଲେ ଚିନି ଦରରେ ବଡ଼ ପରିବର୍ତ୍ତନ ହୋଇଥିବା ଜଣାପଡ଼ୁଛି । ବର୍ତ୍ତମାନ ଚିନିର ହାରାହାରି ଖୁଚୁରା ମୂଲ୍ୟ କିଲୋ ପିଛା ୫୯.୫୦ ଟଙ୍କା ଥିବାବେଳେ, ଠିକ୍ ଏକ ବର୍ଷ ପୂର୍ବେ ଏହା ୪୬.୫୦ ଟଙ୍କା ଥିଲା ।

ଅର୍ଥାତ୍ ଗୋଟିଏ ବର୍ଷ ମଧ୍ୟରେ କିଲୋ ପିଛା ଚିନି ଦର ୧୩ ଟଙ୍କା ବୃଦ୍ଧି ପାଇଛି । ସେହିପରି ହୋଲସେଲ୍ ବଜାରରେ ଚିନି ଦର କିଲୋ ପିଛା ୪୩.୨୩ ଟଙ୍କାରୁ ବୃଦ୍ଧି ପାଇ ୫୫.୪୦ ଟଙ୍କାରେ ପହଞ୍ଚିଛି ।

ଚିନି ଦର ବୃଦ୍ଧି ପଛରେ କ'ଣ ରହିଛି କାରଣ ?
ବଜାରରେ ଚିନିର ପର୍ଯ୍ୟାପ୍ତ ଷ୍ଟକ୍ ରଖିବା ପାଇଁ ସରକାର ଷ୍ଟକ୍ ଲିମିଟ୍ ଧାର୍ଯ୍ୟ କରିବା ସହ ଆମଦାନୀର ବିକଳ୍ପ ଉପରେ ବିଚାର କରିଛନ୍ତି । ଏହାସହ ଆଖୁ ପେଡ଼ା ଋତୁ ମଧ୍ୟ ଆଗୁଆ ଆରମ୍ଭ କରାଯାଇଛି । ତଥାପି ଚିନି ଦର କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଏହା ପଛରେ ରହିଛି ୪ଟି ପ୍ରମୁଖ କାରଣ ।

୧. ଚିନି ଉତ୍ପାଦନରେ ହ୍ରାସ: ୨୦୨୫-୨୬ ଋତୁରେ ଦେଶରେ ଚିନି ଉତ୍ପାଦନ ଅନୁମାନଠାରୁ କମ୍ ରହିଛି । ଫଳରେ ବଜାରରେ ଯୋଗାଣ ଉପରେ ପ୍ରଭାବ ପଡ଼ିଛି ।
୨. ପାର୍ବଣରେ ଚାହିଦା ବୃଦ୍ଧି: ଦୀପାବଳି, ଭାଇଦୂଜ୍ ଓ ଛଟ୍ ପୂଜା ସମୟରେ ଘରଠାରୁ ଆରମ୍ଭ କରି ମିଠା ଦୋକାନ ପର୍ଯ୍ୟନ୍ତ ଚିନିର ଚାହିଦା ବହୁତ ବଢ଼ିଯାଏ । ଏହା ମଧ୍ୟ ଦର ବୃଦ୍ଧିର ଏକ ବଡ଼ କାରଣ ।
୩. ଆଖୁ ଫସଲର କ୍ଷତି: ଖରାପ ପାଣିପାଗ ଯୋଗୁଁ ଆଖୁ ଫସଲ କ୍ଷତିଗ୍ରସ୍ତ ହୋଇଛି । ଏହାର ପ୍ରଭାବ ଚିନି ଉତ୍ପାଦନ ଓ ଯୋଗାଣ ଉପରେ ପଡ଼ିଛି ।
୪. ଅନ୍ତର୍ଜାତୀୟ ବଜାରର ପ୍ରଭାବ:ବିଶ୍ୱ ବଜାରରେ ଚିନିର ସୀମିତ ଯୋଗାଣ ସହ ଦେଶ ଭିତରେ ମହଜୁଦକାରୀଙ୍କ କାର୍ଯ୍ୟକଳାପ ନେଇ ଆଶଙ୍କା ମଧ୍ୟ ଦର ବୃଦ୍ଧିକୁ ପ୍ରଭାବିତ କରୁଛି ।

ଆଗକୁ ଶସ୍ତା ହେବ କି ଚିନି ?
ଚିନି ଗ୍ରାହକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ମଧ୍ୟ ରହିଛି । ଦେଶରେ ଚିନି ଯୋଗାଣ ବୃଦ୍ଧି କରିବା ଲକ୍ଷ୍ୟରେ ୨୦୨୬-୨୭ ନୂଆ ଆଖୁ ପେଡ଼ା ଋତୁ ଅକ୍ଟୋବର ୮ ତାରିଖରୁ ଆରମ୍ଭ ହୋଇଛି । ନ୍ୟାସନାଲ ଫେଡେରେସନ୍ ଅଫ୍ କୋଅପରେଟିଭ୍ ସୁଗାର ଫ୍ୟାକ୍ଟ୍ରିଜ୍ ଲିମିଟେଡ୍ (NFCSF) ଅନୁସାରେ, ୨୦୨୬ ଅକ୍ଟୋବର ୩୦ ସୁଦ୍ଧା ଦେଶର ୧୫୨ଟି ଚିନି କଳରେ ଉତ୍ପାଦନ ଆରମ୍ଭ ହୋଇସାରିଛି । ନୂଆ ଋତୁର ପ୍ରଥମ ମାସରେ ପ୍ରାୟ ୮.୪୫ ଲକ୍ଷ ଟନ୍ ଚିନି ଉତ୍ପାଦନ ହୋଇଛି ।

ବଜାର ବିଶେଷଜ୍ଞଙ୍କ ମତରେ, ନୂଆ ଚିନି ମଣ୍ଡିକୁ ଆସିବା ପରେ ଯୋଗାଣରେ ସୁଧାର ଆସିପାରେ । ଏହାଦ୍ୱାରା ପାର୍ବଣ ପରବର୍ତ୍ତୀ ସମୟରେ ଚିନି ଦର ଉପରେ ଥିବା ଚାପ କମିବା ସହ ମୂଲ୍ୟରେ ହ୍ରାସ ହେବାର ସମ୍ଭାବନା ରହିଛି । ତେବେ ଆଗାମୀ ଦିନରେ ଚିନି ଦର କେତେ କମିବ, ତାହା ନୂଆ ଉତ୍ପାଦନ ଓ ବଜାରରେ ଯୋଗାଣ ଉପରେ ନିର୍ଭର କରିବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: