ତେଲେଙ୍ଗାନା ବିଧାନସଭା ନିର୍ବାଚନ: ପ୍ରଚାର ବେଳେ ରେଷ୍ଟୁରାଣ୍ଟକୁ ଗଲେ ରାହୁଲ ଗାନ୍ଧୀ

ଅର୍ଗସ ବ୍ୟୁରୋ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଶନିବାର ରାହୁଲ୍ ଗାନ୍ଧୀ ହାଇଦ୍ରାବାଦସ୍ଥିତ ଏକ ରେଷ୍ଟୁରାଣ୍ଟକୁ ଯାଇ ସେଠାକାର କର୍ମଚାରୀ ଓ ଉପସ୍ଥିତ ଲୋକମାନଙ୍କ ସହିତ ମନଖୋଲି କଥାବାର୍ତ୍ତା କରିଛନ୍ତି। ଧଳା ‘ପୋଲୋ’ ଟି-ସାର୍ଟ ଓ ସାଧାରଣ ପ୍ୟାଣ୍ଟ୍ ପିନ୍ଧି ରାହୁଲ୍ ଗାନ୍ଧୀ ମଧ୍ୟାହ୍ନ ଭୋଜନ ଖାଇବା ଲାଗି ‘ବାୱର୍ଚି’ ନାମକ ରେଷ୍ଟୁରଣ୍ଟକୁ ଯାଇଥିଲେ। ସେଠାରେ କର୍ମଚାରୀ ଓ ଉପସ୍ଥିତ ଥିବା ଗ୍ରାହକମାନଙ୍କୁ ଭଲମନ୍ଦ ପଚାରି ବୁଝିବା ସହିତ ସାଧାରଣ କଥାବାର୍ତ୍ତା କରିଥିଲେ।
ଘଟଣାସ୍ଥଳରୁ ଉତ୍ତୋଳିତ ଭିଡିଓ କ୍ଲିପ୍ରେ ଦେଖାଯାଉଛି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ସହିତ ତେଲେଙ୍ଗାନା ରାଜ୍ୟରେ ନିର୍ବାଚନ ପ୍ରଚାର ଅଭିଯାନର ନେତୃତ୍ବ ନେଇଥିବା ରାହୁଲ୍ ଗାନ୍ଧୀଙ୍କ ରେଷ୍ଟୁରାଣ୍ଟ ଟେବୁଲ ନିକଟରେ କେତେକ ଲୋକ ଘେରି ଯାଇ କଥାବାର୍ତ୍ତା କରୁଛନ୍ତି।
ସୂଚନାଯୋଗ୍ୟ, ‘ବିଆର୍ଏସ୍’ ଶାସିତ ତେଲେଙ୍ଗାନାରେ ନଭେମ୍ବର ୩୦ ତାରିଖ ଦିନ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଏବଂ ଡିସେମ୍ବର ୩ ତାରିଖ ଦିନ ଭୋଟ୍ ଗଣନା କରାଯିବ। ଶନିବାର ପୂର୍ବାହ୍ନରେ ପ୍ରଚାର ଅଭିଯାନ ବେଳେ ରାହୁଲ୍ ଗାନ୍ଧୀ ହାଇଦ୍ରାବାଦର ଅଶୋକ ନଗରରେ ଯୁବକମାନଙ୍କ ସହିତ ଭାବ ବିନିମୟ କରିଥିଲେ।
ଏନେଇ ଏକ୍ସରେ ରାହୁଲ୍ କହିଛନ୍ତି, ଆଜି ହାଇଦ୍ରାବାଦର ଅଶୋକ ନଗରରେ ବିଭିନ୍ନ ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଯୁବକମାନଙ୍କୁ ଭେଟିଥିଲି। ତେଲେଙ୍ଗାନା ରାଜ୍ୟ ହେଲେ ସଫଳ ହେବେ ବୋଲି ସେମାନେ ଆଶା କରିଥିଲେ। କିନ୍ତୁ, ତେଲେଙ୍ଗାନା ରାଜ୍ୟ ହେବାର ୧୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ସେମାନଙ୍କର ଆଶା ପରିପୂରଣ ହୋଇ ନ ଥିବା କଥା ମତେ ବିବ୍ରତ କରିଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ରାଜନୀତି ଖବର